Home Environment କୋଭିଡ ଚିକିତ୍ସା ରାଜିନାମା ଅବଧି ବୃଦ୍ଧି

କୋଭିଡ ଚିକିତ୍ସା ରାଜିନାମା ଅବଧି ବୃଦ୍ଧି

198
0

କରୋନା ମୁକାବିଲା ପାଇଁ ଓଡିଶା ସରକାର ଯେଉଁ ସଂସ୍ଥାମାନଙ୍କ ସହ ରାଜିନାମା ସ୍ୱାକ୍ଷର କରିଥିଲେ ତାହାର ମିଆଦ ପୂରିଯିବା ପରେ ଏବେ ପୁଣି ଆଉଥରେ ସମୟସୀମାକୁ ଚଳିତବର୍ଷ ଶେଷ ପର୍ଯ୍ୟନ୍ତ ବଢାଇଛନ୍ତି । ଏହି ମର୍ମରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର ଜିଲ୍ଲାପାଳମାନଙ୍କୁ ପତ୍ର ଲେଖି ଜଣାଇଛନ୍ତି ।

ରାଜ୍ୟ ସରକାରଙ୍କ ବୈଷୟିକ କମିଟିର ସୁପାରିଶ ଆଧାରରେ ଏହି ସମୟସୀମା ବୃଦ୍ଧି କରାଯାଇଛି । ଏଠାରେ ଉଲ୍ଲେଖନୀୟ ଯେ କରୋନାର ମୁକାବିଲା ପାଇଁ ଓଡିଶା ସରକାର ଗତ ମାର୍ଚ୍ଚମାସରୁ ଆଗୁଆ ପଦକ୍ଷେପ ଗ୍ରହଣ କରି ରାଜ୍ୟର ସମସ୍ତ ସହରାଞ୍ଚଳ ଓ ପଞ୍ଚାୟତରେ ସଂଗରୋଧ କେନ୍ଦ୍ରମାନ ସ୍ଥାପନ କରିଥିଲେ । ଏହାଛଡା କୋଭିଡ କେୟାର ସେଣ୍ଟର ଓ ଅସ୍ଥାୟୀ କୋଭିଡ ହସ୍ପିଟାଲମାନ ମଧ୍ୟ ସବୁ ଜିଲ୍ଲାରେ ସ୍ଥାପନ କରାଯାଇଛି । ଏଥିପାଇଁ ବିଭିନ୍ନ ବେସରକାରୀ ସଂସ୍ଥା ସହ ରାଜ୍ୟ ସରକାର ବିଧିବଦ୍ଧ ଚୁକ୍ତିନାମା କରିଥିଲେ । କରୋନା ସଂକ୍ରମିତଙ୍କ ଚିକିତ୍ସାପାଇଁ ରାଜ୍ୟରେ କୋଭିଡ କେୟାର ସେଣ୍ଟରରେ ୧୨,୫୧୬, କୋଭିଡ ହସ୍ପିଟାଲରେ ୮୦୦୦ ଶଯ୍ୟା ରହିଥିବାବେଳେ ୧୫୧୯ଟି ଆଇସିୟୁ/ଏଚ୍‍ଡିୟୁ ଶଯ୍ୟା ଓ ୫୬୪ଟି ଭେଣ୍ଟିଲେଟର ରହିଛି ।

ପ୍ରଥମ ପର୍ଯ୍ୟାୟରେ ୩ମାସ ପାଇଁ ବିଭିନ୍ନ ସଂସ୍ଥା ସହ ରାଜ୍ୟ ସରକାର ଚୁକ୍ତି କରିଥିଲେ । କିନ୍ତୁ ପରେ କରୋନାର ସ୍ଥିତିକୁ ଆଖିଆଗରେ ରଖି ରାଜିନାମାର ସମୟସୀମା ଭିନ୍ନ ଭିନ୍ନ ପର୍ଯ୍ୟାୟରେ ଗତ ସେପ୍ଟେମ୍ବର ଶେଷ ପର୍ଯ୍ୟନ୍ତ ବଢାଯାଇଥିଲା । ଏହା ପରଠାରୁ କୋଭିଡ ହସ୍ପିଟାଲ ଗୁଡିକର ଚୁକ୍ତି ସମୟ ଆଉ ବଢିନଥିଲେ ବି ଏଠାରେ ରୋଗୀ ଚିକିତ୍ସା କିନ୍ତୁ ଅବ୍ୟାହତ ରହିଥିଲା ।

ବୈଷୟିକ କମିଟି ବିଭିନ୍ନ ଦିଗରୁ ଅନୁଶୀଳନ କରି ଚୁକ୍ତିନାମାର ସମୟସୀମା ବୃଦ୍ଧି ଲାଗି ରାଜ୍ୟ ସରକାରଙ୍କୁ ସୁପାରିଶ କରିବାପରେ ଜିଲ୍ଲା ପ୍ରଶାସନ ଓ ଅନ୍ୟ ସଂସ୍ଥାଗୁଡିକ ସହ ଯୋଗାଯୋଗ କରି ଶେଷରେ ଆସନ୍ତା ଡିସେମ୍ବର ଶେଷ ପର୍ଯ୍ୟନ୍ତ ଚୁକ୍ତିନାମାର ସମୟସୀମା ବଢାଇବାପାଇଁ ରାଜ୍ୟ ସରକାର ନୀତିଗତ ଭାବେ ନିଷ୍ପତ୍ତି ନେଇଛନ୍ତି ।

ତେବେ ପରିବର୍ତ୍ତିତ ଅବସ୍ଥାରେ ଏବେ ପ୍ରାୟ ୭୫ ପ୍ରତିଶତ କରୋନା ଆକ୍ରାନ୍ତ ଘରୋ ସଂଗରୋଧରେ ରହି ଚିକିତ୍ସିତ ହେଉଛନ୍ତି ଏବଂ ସେମାନଙ୍କୁ ସରକାରଙ୍କ ପକ୍ଷରୁ ଔଷଧ ସମେତ ଅନ୍ୟାନ୍ୟ ଡାକ୍ତରୀ ପରାମର୍ଶ ମାଗଣାରେ ଯୋଗାଇ ଦିଆଯାଉଛି । ଏହା ଫଳରେ କୋଭିଡ ଡାକ୍ତରଖାନା, କୋଭିଡ କେୟାର ସେଣ୍ଟର ଓ ସଂଗରୋଧ କେନ୍ଦ୍ର ଗୁଡିକରେ ପୂର୍ବଭଳି ଆଉ ଗହଳି ନାହିଁ । ଏମିତିକି ଆଉ କେତେକ ସମ୍ପନ୍ନ ଲୋକ ବେସରକାରୀ ଡାକ୍ତରଖାନାରେ ନିଜ ଖର୍ଚ୍ଚରେ ବି ଚିକିତ୍ସିତ ହେଉଛନ୍ତି ।

ଏଣୁ କେତେକ କ୍ଷେତ୍ରରେ ଆଇସିୟୁ, ଭେଣ୍ଟିଲେଟର ଠାରୁ ଆରମ୍ଭ କରି ଅସ୍ଥାୟୀ କୋଭିଡ ଡାକ୍ତରଖାନାଗୁଡିକର ଶଯ୍ୟା ଖାଲି ପଡୁଛି । ଯେଉଁଠି ଗତ ୨ସପ୍ତାହ ଧରି କୋଭିଡ ଚିକିତ୍ସାକେନ୍ଦ୍ର ଗୁଡିକରେ ୫୦ପ୍ରତିଶତରୁ ଅଧିକ ଶଯ୍ୟା ଖାଲି ପଡୁଛି ସେଗୁଡିକରେ ଶଯ୍ୟାସଂଖ୍ୟା ୫୦ ପ୍ରତିଶତ ହ୍ରାସ କରିବାପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି । ତେବେ ଆଇସିୟୁ ଏବଂ ଡାଏଲିସିସ୍‍ ସମେତ ଅନ୍ୟାନ୍ୟ ଚିକିତ୍ସା ସୁବିଧା ପାଇଁ ପୂର୍ବ ଚୁକ୍ତିନାମାରେ ଯାହା ବ୍ୟବସ୍ଥା ଥିଲା ତାହା ବଳବତ୍ତର ରହିବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜିଲ୍ଲା ପ୍ରଶାସନଗୁଡିକୁ ସୂଚନା ଦିଆଯାଇଛି ।  

LEAVE A REPLY

Please enter your comment!
Please enter your name here