Home Health କୋଭିଡଠୁ ଭୟଙ୍କର ମନଇଚ୍ଛା ଔଷଧ ସେବନ

କୋଭିଡଠୁ ଭୟଙ୍କର ମନଇଚ୍ଛା ଔଷଧ ସେବନ

ଭୁବନେଶ୍ୱର : ଡାକ୍ତରଙ୍କ ବିନା ପରାମର୍ଶରେ ଆଖିବୁଜା ଅତ୍ୟଧିକ ଭିନାମିନ୍‍, ପ୍ରୋଟିନ୍‍, ରୋଗପ୍ରତିରୋଧକ ଶକ୍ତିବର୍ଦ୍ଧକ, ଆଣ୍ଟିବାୟୋଟିକ, ଷ୍ଟିରଏଡ୍‍ ଏବଂ ଅନ୍ୟାନ୍ୟ ଔଷଧ ସେବନ ଯୋଗୁଁ ବିଭିନ୍ନ ରୋଗବ୍ୟାଧି ବଢିବାରେ ଲାଗିଛି । ଏମିତିକି ଏଥିପାଇଁ ହୃଦ୍‍ଘାତ ଠାରୁ ଆରମ୍ଭକରି ବୃକକ୍‍, ଯକୃତ, ଫୁସ୍‍ଫୁସ୍‍ ସମେତ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହେଉଛି ଓ ଏହା କୋଭିଡ ଠାରୁ ଭୟଙ୍କର ହୋଇପାରେ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଦୁଇବର୍ଷ ଧରି କରୋନା ସଂକ୍ରମଣ କାଳରେ ଡାକ୍ତରଙ୍କ ବିନା ପରାମର୍ଶରେ ଅଧିକ ଔଷଧ ସେବନ କରିବା ବଢିଯାଇଛି । କେତେକ ଡାକ୍ତରଖାନାରେ ରୋଗୀ ଦେଖିବା ପୂର୍ବରୁ କୋଭିଡ ନେଗେଟିଭ ସାର୍ଟିଫିକେଟ ଆଗେ ଦେଖାଇବାକୁ ପଡୁଥିବାରୁ ଅନେକ ଲୋକ ଡାକ୍ତରଙ୍କ ପାଖକୁ ଯିବା ପରିବର୍ତ୍ତେ ସିଧାସଳଖ ଔଷଧ ଦୋକାନକୁ ଯାଇ କିମ୍ବା ଆଉ କାହାକୁ ପଚାରି ମନଇଚ୍ଛା ଔଷଧ କିଣି ବ୍ୟବହାର କରୁଛନ୍ତି । ଏଥିରୁ ଫାଇଦା ଉଠାଇବାପାଇଁ ଅନେକ ଔଷଧ ଦୋକାନୀ ବି ବିନା ପ୍ରେସକ୍ରିପସନରେ ଅଧିକ ଔଷଧ ଧରାଇ ଦେଉଛନ୍ତି ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅନେକ ଲୋକ ବର୍ଷ ବର୍ଷ ଧରି କୋଭିଡ ସମୟରେ ଭିଟାମିନ ଓ ପ୍ରୋଟିନ ବଟିକାମାନ ଖାଇ ଚାଲିଛନ୍ତି । କେବଳ ସେତିକି ନୁହେଁ ଏହା ସହିତ ଏବେ ବଜାରରେ ବହୁଳ ଭାବେ ଉପଲବ୍ଧ ‘ଇମ୍ୟୁନିଟି ବୁଷ୍ଟର’ ଔଷଧ ବି ଖାଉଛନ୍ତି । ଏଭଳି ଔଷଧ ଅତ୍ୟଧିକ ପରିମାଣରେ ଲଗାତାର ଖାଇଲେ ଶରୀରର ସ୍ୱାଭାବିକ ରୋଗ ପ୍ରତିରୋଧକଶକ୍ତି ନଷ୍ଟହେବା ସହ ଆଉ ଅନେକ ପାଶ୍ୱର୍ ପ୍ରତିକ୍ରିୟା ସୃଷ୍ଟି ହେଉଛି ।

ଗତ ଦୁଇମାସ ମଧ୍ୟରେ ଓମିକ୍ରନ କାଳରେ ସାମାନ୍ୟ ଥଣ୍ଡାଜ୍ୱର ଟିକେ ହେଲେ ବି ଅନେକ ଲୋକ ଡାକ୍ତରଙ୍କ ପାଖକୁ ନଯାଇ କୋଭିଡର ପ୍ରଥମ ଓ ଦ୍ୱିତୀୟ ଲହର ସମୟରେ ଷ୍ଟିରଏଡ୍‍, ଆଣ୍ଟି ବାୟୋଟିକ୍ସ, ଅଧିକ ମାତ୍ରାର ଥଣ୍ଡା ଔଷଧ ଓ ଜ୍ୱର କମାଇବାପାଇଁ ମିଳୁଥିବା ବଟିକା ସବୁ କିଣି ମନଇଚ୍ଛା ବ୍ୟବହାର କରୁଛନ୍ତି । ଏମିତିକି ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ଲୋକଙ୍କୁ ଏବଂ ପୂର୍ବରୁ ଅନ୍ୟାନ୍ୟ ରୋଗରେ ସଂକ୍ରମିତ ଥିବା ପରିମାରର ସଦସ୍ୟଙ୍କୁ ବି ଏଭଳି ଔଷଧ ଖୁଆଇ ଚାଲିଛନ୍ତି ।

ବରିଷ୍ଠ ଚିକିତ୍ସକ ଓ ବୈଜ୍ଞାନିକମାନେ କହୁଛନ୍ତି ଯେ ମାତ୍ରାଧିକ ପରିମାଣର ଷ୍ଟିରଏଡ୍‍, ଆଣ୍ଟିବାୟୋଟିକ୍ସ ଏବଂ ଅନ୍ୟ ଅନାବଶ୍ୟକ ଔଷଧ ବ୍ୟବହାର ଫଳରେ ତାହା ଶରୀରରେ ‘ସ୍ଲୋ ପଏଜନ’ ଭଳି କାମ କରି ଧିରେ ଧିରେ ଅନ୍ୟ ପାଶ୍ୱର୍ ପ୍ରତିକ୍ରିୟାମାନ ସୃଷ୍ଟି କରୁଛି । ଏହି ସମସ୍ୟାକୁ ରୋକାନଗଲେ ଭବିଷ୍ୟତରେ ବ୍ୟାପକ ଧନଜୀବନ ହାନି ଘଟିବାର ଆଶଙ୍କା ରହିଛି ।

ଓମିକ୍ରନ ସଂକ୍ରମଣ ବେଳେ ପ୍ରଥମରୁ ପରୀକ୍ଷଣ ସଂଖ୍ୟା ଅଧିକ ରହୁଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଲୋକେ ବିନା ପରୀକ୍ଷଣରେ ଔଷଧ ଖାଇବା ଆରମ୍ଭ କରିଦେବାରୁ ପରୀକ୍ଷଣ ସଂଖ୍ୟା କମିଗଲା ଏବଂ ଏହା ସଂକ୍ରମିତଙ୍କ ସଂଖ୍ୟା କମିବାର ଅନ୍ୟତମ କାରଣ ବୋଲି ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି । ତେବେ ଇତି ମଧ୍ୟରେ ପାଣିପାଗରେ ପରିବର୍ତ୍ତନ ସହ ଓମିକ୍ରନ ସଂକ୍ରମଣ ଢେର କମି ପରିସ୍ଥିତି ସ୍ୱାଭାବିକ ଆଡକୁ ଗତି କରୁଥିଲେ ବି ଡେଲ୍‍ଟା, ଓମିକ୍ରନ ଭଳି ପୁଣି କୋଭିଡର ନୂଆ ଭାରିଆଣ୍ଟ ବିଶ୍ୱର ବିଭିନ୍ନ ଦେଶରେ ଦେଖାଦେଲାଣି ।

ମୋଟାମୋଟି ଭାବେ ଅନ୍ୟ ରୋଗ ଭଳି କୋଭିଡ ବେଶ୍‍ ବର୍ଷ ଧରି ରହିବାକୁ ଯାଉଛି । କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ନକରାଇ ମନଇଚ୍ଛା ଔଷଧ ସେବନ କଲେ କୋଭିଡ ତୁଳନାରେ ଏହାର ପାଶ୍ୱର୍ ପ୍ରତିକ୍ରିୟାରେ କ୍ଷତିଗ୍ରସ୍ତ ଲୋକଙ୍କ ସଂଖ୍ୟା ଢେର ଅଧିକ ହୋଇପାରେବୋଲି ଆଶଙ୍କା ପ୍ରକାଶ ପାଉଛି । (ତଥ୍ୟ)