Home Mining କୋଇଲା ଖଣି ପ୍ରତି କମ୍ପାନୀ ବିମୁଖ

କୋଇଲା ଖଣି ପ୍ରତି କମ୍ପାନୀ ବିମୁଖ

ଭୁବନେଶ୍ୱର : କୋଇଲା ଖଣି ନେବାପାଇଁ ଘରୋଇ କମ୍ପାନୀଙ୍କ ବିମୁଖତା ଏବେ କେନ୍ଦ୍ର ସରକାରଙ୍କ ମୁଣ୍ଡବିନ୍ଧାର କାରଣ ହୋଇଛି । ସ୍ଥାନୀୟ ଲୋକଙ୍କ ବିରୋଧ, ପରିବେଶ ପ୍ରସଙ୍ଗ ଓ ଆଇନ୍‍ଶୃଙ୍ଖଳା ଆଦି କାରଣରୁ ଘରୋଇ କମ୍ପାନୀମାନେ କୋଇଲା ଖଣି ନେବାକୁ ପଛାଉଛନ୍ତି ।

କୋଇଲା ମନ୍ତ୍ରାଳୟ ପକ୍ଷରୁ ୪ଟି କୋଇଲା ବ୍ଲକ ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିଲା । ଏଥି ମଧ୍ୟରେ ଓଡିଶାର ଛେଣ୍ଡିପଦା, ଛେଣ୍ଡିପଦା-୨ ଏବଂ କୁରାଲୋଇ (କ) ଉତ୍ତର କୋଇଲାଖଣି ଥିବାବେଳେ ଝାଡଖଣ୍ଡର ଶେରଗଡ କୋଇଲାଖଣି ରହିଛି । ତେବେ କୁରାଲୋଇ କୋଇଲାଖଣି ପାଇଁ ମାତ୍ର ଗୋଟିଏ ଟେଣ୍ଡର ପଡିଥିବାବେଳେ ଅନ୍ୟ ତିନୋଟି ଖଣି ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରିନାହାନ୍ତି । ପୂର୍ବରୁ ଏହିସବୁ ଖଣି ପାଇଁ ଟେଣ୍ଡର ଆହ୍ୱାନ କରାଯାଇଥିବାବେଳେ ଗୋଟିଏ କରି ଆବେଦନ ପଡିଥିବାରୁ ତାହା ବାତିଲ ହୋଇଯାଇଥିଲା ।

ଏହିସବୁ କୋଇଲା ଖଣିରୁ ପୂର୍ଣ୍ଣ ମାତ୍ରାରେ ଉତ୍ତୋଳନ ହେଲେ ବାର୍ଷିକ ପ୍ରାୟ ୫୨ ନିୟୁତ ଟନ୍‍ କୋଇଲା ବାହାରିବ । ତେବେ କର୍ତ୍ତୃପକ୍ଷ ପ୍ରଥମ ଥର ଟେଣ୍ଡରରେ ଯେଉଁସବୁ ବ୍ୟବସ୍ଥା ଥିଲା ସେହି ଆଧାରରେ ଦ୍ୱିତୀୟଥର ପାଇଁ ଟେଣ୍ଡର ଜାରି କରିଥିଲେ । ଗତବର୍ଷ ଡିସେମ୍ବର ୯ ତାରିଖରେ ଓଡିଶାର ୩ଟି କୋଇଲାଖଣି ଓ ଝାଡଖଣ୍ଡର ଗୋଟିଏ ଏହିଭଳି ମୋଟ୍‍ ୪ଟି କୋଇଲା ଖଣି ପାଇଁ ଟେଣ୍ଡର ହୋଇଥିଲା । ଆବେଦନ କରିବାର ଶେଷ ତାରିଖ ଜାନୁଆରୀ ୨୭କୁ ଧାର୍ଯ୍ୟ ହୋଇଥିଲା ।

ଆବେଦନକାରୀମାନେ ଉଭୟ ଅନ୍‍ଲାଇନ୍‍ ଓ ଅଫ୍‍ଲାଇନ୍‍ରେ ପକାଇଥିବା ଟେଣ୍ଡର ଆଜି ନୂଆଦିଲ୍ଲୀର ଶାସ୍ତ୍ରୀଭବନରେ ଥିବା କୋଇଲା ମନ୍ତ୍ରାଳୟରେ ଖୋଲା ହୋଇଥିଲା । ବ୍ୟକ୍ତିଗତ କିମ୍ବା ଭର୍ଚୁଆଲ ବ୍ୟବସ୍ଥାରେ ଆବେଦନକାରୀଙ୍କ ଉପସ୍ଥିତିରେ ଏହା ଖୋଲାହେବାର ବ୍ୟବସ୍ଥା ଥିଲା । ଅନ୍‍ଲାଇନ୍‍ ବିଡ୍‍ଗୁଡିକ ଇଲେକଟ୍ରୋନି ବ୍ୟବସ୍ଥାରେ ଖୋଲାଯାଇଥିବାବେଳେ ବନ୍ଦ ଲଫାପାରେ ଆସିଥିବା ବିଡ୍‍ ମଧ୍ୟ ଖୋଲା ହୋଇଥିଲା ।

ପୂର୍ବରୁ କେନ୍ଦ୍ର କୋଇଲା ମନ୍ତ୍ରୀ ପ୍ରହଲ୍ଲାଦ ଯୋଷୀ କହିଥିଲେ ଯେ ୧୯ଟି କୋଇଲା ଖଣି ନିଲାମରୁ ବାର୍ଷିକ ପ୍ରାୟ ୭୦୦୦ କୋଟି ଟଙ୍କାର ରାଜସ୍ୱ ଆସିବା ସହିତ ଖଣି କାର୍ଯ୍ୟକ୍ଷମ ହେଲେ ୬୯ହଜାର ଲୋକଙ୍କୁ ନିଯୁକ୍ତି ମିଳିବ । ଗତବର୍ଷ ଜୁନ୍‍ ମାସରେ ପ୍ରଧାନମନ୍ତ୍ରୀ ୪୧ଟି କୋଇଲାଖଣିରୁ ବ୍ୟବସାୟିକ ଉତ୍ପାଦନ ଲାଗି ନିଲାମ ପ୍ରକ୍ରିୟାର ଶୁଭାରମ୍ଭ କରିଥିଲେ ।

ଏହି ନିଲାମ ପ୍ରକ୍ରିୟା ଘରୋଇ ସଂସ୍ଥାଙ୍କ ଦ୍ୱାରା କୋଇଲା କାରବାରର ବାଟ ଫିଟାଇଥିଲା । ପ୍ରଥମ ପର୍ଯ୍ୟାୟ ଟେଣ୍ଡର ପ୍ରକ୍ରିୟାରେ ଜୋରଦାର ପ୍ରତିଯୋଗିତା ଦେଖିବାକୁ ମିଳିଥିଲା । ଅଦାନୀ ଏଣ୍ଟରପ୍ରାଇଜର୍ସ, ବେଦାନ୍ତ, ହିଣ୍ଡାଲକୋ ଏବଂ ଜିନ୍ଦଲ ପାୱାର ଭଳି ବଡ ବଡ କମ୍ପାନୀ ଏହି ଟେଣ୍ଡର ପ୍ରକ୍ରିୟାରେ ଭାଗ ନେଇଥିଲେ । (ତଥ୍ୟ)