Home Forest କେହି ବିସ୍ଥାପିତ ହେବେ ନାହିଁ

କେହି ବିସ୍ଥାପିତ ହେବେ ନାହିଁ

ଭୁବନେଶ୍ୱର : ସାତକୋଶିଆ ବ୍ୟାଘ୍ର ପ୍ରକଳ୍ପ ସଂଲଗ୍ନ ନରସିଂହପୁର ଯୋଡ଼ୁମୁଁ ପ୍ରଗଣା ଅଞ୍ଚଳର ପ୍ରସ୍ତାବିତ ଇକୋ-ସେନ୍‌ସିଟିଭ୍‌ ଜୋନ୍‌ ଗ୍ରାମପୁଂଜର ଅଧିବାସୀମାନେ ଆତଙ୍କିତ ହେବା ଅନୁଚିତ । କେହି ବିସ୍ଥାପିତ ହେବେ ନାହିଁ ବୋଲି ଯୋଡ଼ୁମୁଁ ପ୍ରଗଣାର ଆଞ୍ଚଳିକ ଉନ୍ନୟନ ପରିଷଦର କର୍ମକର୍ତ୍ତାମାନଙ୍କ ସହ ଆଲୋଚନାବେଳେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଶ୍ରୀ ପ୍ରଦିପ କୁମାର ଅମାତ ପ୍ରକାଶ କରିଛନ୍ତି ।

ଆଜି ଭୁବନେଶ୍ୱର ସଚିବାଳୟଠାରେ ଯୋଡୁମୁଁ ଆଞ୍ଚଳିକ ଉନ୍ନୟନ କମିଟିର ସ୍ମାରକପତ୍ର ଆଧାରରେ ସ୍ଥାନୀୟ ବିଧାୟକ ଶ୍ରୀ ଦେବୀପ୍ରସାଦ ମିଶ୍ରଙ୍କ ଅନୁରୋଧରେ ଉନ୍ନୟନ କମିଟିର ସଭାପତି ଆଡ୍‌ଭୋକେଟ୍‌ ଶରତ ଖଟୁଆ, ବରିଷ୍ଠ କର୍ମକର୍ତ୍ତା ବୈକୁଣ୍ଠନାଥ ସାହୁ, ପବିତ୍ର ପ୍ରଧାନ, ଜୟ ବିଶ୍ୱାଳ, ଅଚୁ୍ୟତ ସାହୁ, ନିର ସାହୁ, ବିଘ୍ନେଶ ପ୍ରଧାନ, ନରେନ୍ଦ୍ର ପ୍ରଧାନ, ନିରଞ୍ଜନ ଦାଶ ପ୍ରମୁଖ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।

ଏଥିରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ପିସିସିଏଫ୍‌ (ବନ୍ୟଜନ୍ତୁ) ଶ୍ରୀ ସୁଶୀଲ କୁମାର ପୋପ୍‌ଲି, ପିସିସିଏଫ୍‌ ତଥା ବନବାହିନୀ ମୁଖ୍ୟ ଶ୍ରୀ ଦେବୀଦତ୍ତ ବିଶ୍ୱାଳ, କଟକ ଜିଲ୍ଲାପାଳ ଶ୍ରୀ ନରହରି ସେଠୀ, ଅତିରିକ୍ତ ସଚିବ ଶ୍ରୀ ଦେବେନ୍‌ କୁମାର ପ୍ରଧାନ, କନ୍‌ଜର୍‌ଭେଟର ଶ୍ରୀ କେଦାର ସ୍ୱାଇଁ, ସାତକୋଶିଆ (ବନ୍ୟପ୍ରାଣୀ) ଡିଭିଜନ୍‌ ବନ ଅଧିକାରୀ ଶ୍ରୀ ସରୋଜ କୁମାର ପଣ୍ଡା ପ୍ରମୁଖ ପ୍ରସ୍ତାବିତ ଇକୋ-ସେନ୍‌ସିଟିଭ୍‌ ଜୋନ୍‌ ସଂପର୍କରେ ବିସ୍ତୃତ ଭାବେ ଉପସ୍ଥାପନ କରିଥିଲେ ।

ସୁପି୍ରମକୋର୍ଟର ନିର୍ଦ୍ଦେଶ ଓ ଭାରତ ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ମାର୍ଗଦର୍ଶିକା ଆଧାରରେ ଏହା କରାଯାଉଛି ବୋଲି ଶ୍ରୀ ପୋପ୍‌ଲି କହିବା ସହ ରାଜ୍ୟ ସରକାର ଏହାକୁ ଘୋଷିତ ଅଭୟାରଣ୍ୟ ପରିସୀମାର ଗୋଟିଏ କି.ମି. ଯାଏଁ ସୀମିତ ରଖିଛନ୍ତି ବୋଲି ପ୍ରକାଶ କରିଥିଲେ । ଏହା ଅଧିସୂଚିତ ନହେବା ପର୍ଯ୍ୟନ୍ତ ମାନ୍ୟବର ସୁପି୍ରମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ୧୦ କି.ମି. ବ୍ୟାସାର୍ଦ୍ଧ ଅଞ୍ଚଳ ଇକୋ-ସେନ୍‌ସିଟିଭ୍‌ ଜୋନ୍‌ର ଅନ୍ତର୍ଭୁକ୍ତ ହୋଇରହିବ । କୌଣସି ଘରବାଡ଼ି, ଚାଷଜମି, ସାମୂହିକ ବ୍ୟକ୍ତିଗତ ଅଧିକାର ଏଥିରେ ସଂକୁଚିତ ହେବ ନାହିଁ । କିନ୍ତୁ ପରିବେଶ ପ୍ରଦୂଷଣ କରୁଥିବା କୌଣସି ଶିଳ୍ପ ଅନୁଷ୍ଠାନ, ହାଇଡ୍ରୋ-ଇଲେକ୍‌ଟ୍ରିକ୍‌ ପ୍ରକଳ୍ପ, ଖଣିଖାଦାନ, କ୍ରସର ଓ ନୂଆ କରତ କଳ ଇତ୍ୟାଦି କାର୍ଯ୍ୟ ଏଠି କରାଯାଇପାରିବ ନାହିଁ ବୋଲି ବୈଠକରେ କୁହାଯାଇଥିଲା ।

ଏଥିରେ କେହି ବିସ୍ଥାପିତ ହେବାର ପ୍ରଶ୍ନ ଉଠୁନାହିଁ ବୋଲି ବୈଠକରେ ଅଧିକାରୀବୃନ୍ଦ କହିଥିଲେ । ଏହାଛଡ଼ା ଡ୍ରାଫ୍‌ଟ ନୋଟିଫିକେସନ୍‌ ପରେ ଆପତ୍ତିଅଭିଯୋଗକୁ କେନ୍ଦ୍ର ସରକାର ବିବେଚନା କରି ବିହିତ ପଦକ୍ଷେପ ଗ୍ରହଣ କରିବେ । ଅଞ୍ଚଳରେ ଥିବା ୮ଟି ଇକୋସୋସାଇଟି (ଇ.ଡି.ସି) ପାଇଁ ଅର୍ଥ ମଂଜୁର କରାଯାଇ ପରିବେଶ ପର୍ଯ୍ୟଟନକୁ ଆଗକୁ ନେବା ପାଇଁ ପ୍ରତିନିଧି ଦଳ ଓ ବିଧାୟକ ଶ୍ରୀ ମିଶ୍ର ଅନୁରୋଧ କରିଥିଲେ । ଏହା ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ପ୍ରକାଶ କରିଥିଲେ ।