Home Infrastructure କେସିଙ୍ଗା ଆରଓବିକୁ କେନ୍ଦ୍ରର ଅନୁମୋଦନ

କେସିଙ୍ଗା ଆରଓବିକୁ କେନ୍ଦ୍ରର ଅନୁମୋଦନ

ଭୁବନେଶ୍ୱର : କଳାହାଣ୍ଡି ଜିଲ୍ଲାର କେସିଙ୍ଗାରେ ୪ଲେନ୍‍ ବିଶିଷ୍ଟ ରୋଡ ଓଭର ବ୍ରିଜ (ଆରଓବି) ନିର୍ମାଣକୁ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡକରୀ ଅନୁମୋଦନ କରିଛନ୍ତି । ଏଥିପାଇଁ ୩୨୪କୋଟି ୯ଲକ୍ଷ ଟଙ୍କା ଖର୍ଚ୍ଚ ହେବବୋଲି ଆକଳନ କରାଯାଇଛି ।

କେସିଙ୍ଗାର ଜନସାଧାରଣ ସହର ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥ-୨୬ ଉପରେ ଆରଓବି ନିର୍ମାଣରେ ଅହେତକୁ ବିଳମ୍ବକୁ ନେଇ ପ୍ରତିବାଦ କରି ଆସୁଥିଲେ । ଏହି ପ୍ରକଳ୍ପ ପାଇଁ ଜମି ଅଧିଗ୍ରହଣ ଖର୍ଚ୍ଚକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ବିବାଦ ଉପୁଜିଥିଲା । ସେହିଭଳି ତୃତୀୟ ଲେନ୍‍ ରେଳପଥ ନିର୍ମାଣକୁ ନେଇ ମଧ୍ୟ କେସିଙ୍ଗା ସମନ୍ୱୟ କମିଟି ପ୍ରତିବାଦ କରି ଆସୁଛି ।

ସେମାନଙ୍କ କହିବାକଥା ଯେ ଆରଓବି ନିର୍ମାଣ ପରେ କେସିଙ୍ଗା ଷ୍ଟେସନରେ ତୃତୀୟ ଲାଇନ୍‍ ନିର୍ମାଣ କରାଯାଉ । ଲୋକଙ୍କ କହିବାକଥା ବିଜୟନଗରମ-ରାୟପୁର ରେଳମାର୍ଗରେ ଟ୍ରାଫିକ ଭିଡ ରହୁଛି । ଏହା ଫଳରେ କେସିଙ୍ଗା ରେଳ ଫାଟକଟି ଦିନକୁ ଅତି କମ୍‍ରେ ୧୨ଘଣ୍ଟା ବନ୍ଦ ରହୁଛି । ଏହାଦ୍ୱାରା ୨୬ନମ୍ବର ଜାତୀୟ ରାପଥ ସହିତ କେସିଙ୍ଗା ସହର ଭିତରେ ବି ଟ୍ରାଫିକ ଗୁରୁତର ପ୍ରଭାବିତ ହେଉଛି ।

ରେଳ ଓଭର ବ୍ରିଜ ନିର୍ମାଣ ପୂର୍ବରୁ ତୃତୀୟ ରେଳଲାଇନ୍‍ କାମ ଆରମ୍ଭ ହେଲେ ଟ୍ରାଫିକ ସମସ୍ୟା ବୃଦ୍ଧି ପାଇବା ସହିତ ଜାତୀୟ ରାଜପଥ-୨୬ ଏକ ପ୍ରକାର ଅଚଳ ହୋଇପଡିବ । କେସିଙ୍ଗା ଆରଓବି ୨୦୧୬ ମସିହାରେ କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରାଳୟ ଦ୍ୱାରା ମଞ୍ଜୁର ହୋଇଥିଲା ଓ ସେତେବେଳେ ଏହାର ବ୍ୟୟ ଅଟକଳ ୨୦୫ କୋଟି ୭ଲକ୍ଷ ଟଙ୍କା ଥିଲା । ଜମି ଅଧିଗ୍ରହଣ ପାଇଁ ଏଥିରେ ୬କୋଟି ୭୬ଲକ୍ଷ ଟଙ୍କା ସ୍ଥିର ହୋଇଥିଲା ।

ଦୀର୍ଘ ପାଞ୍ଚ ବର୍ଷ ପରେ ମଧ୍ୟ ରାଜ୍ୟ ସରକାର ଜମି ଅଧିଗ୍ରହଣ ଖର୍ଚ୍ଚ କେନ୍ଦ୍ର ବହନ କରିବାକୁ କହି କାର୍ଯ୍ୟ ଆରମ୍ଭ କରିପାରିଲେ ନାହିଁ । ରାଜ୍ୟ ସରକାର ପୂର୍ବରୁ ଜାରି ହୋଇଥିବା ଆରଓବି ପ୍ରସ୍ତାବର ପୁନଃ ମୂଲ୍ୟାୟନ କରିବାକୁ ଚାହିଁଲେ ଯାହା ଦ୍ୱାରା ପୁଣି ଥରେ ଟେଣ୍ଡର ହୋଇପାରିବ । ତେବେ କେନ୍ଦ୍ରୀୟ ମନ୍ତ୍ରାଳୟ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି ।

ସେହିଭଳି କେନ୍ଦ୍ରମନ୍ତ୍ରୀ ତାଙ୍କର ଏକାଧିକ ଟୁଇଟ୍‍ ଜରିଆରେ ଦର୍ଶାଇଛନ୍ତି ଯେ ଆନ୍ଧ୍ରପ୍ରଦେଶରେ ଏକ ଦୁଇ ଲାଇନ୍‍ ପ୍ରକଳ୍ପର ଅନୁମୋଦନ କରାଯାଇଥିବାବେଳେ ଏହାର ବ୍ୟୟ ଅଟକଳ ୩୮୮କୋଟି ୭୦ଲକ୍ଷ ଟଙ୍କା ରହିଛି । ଏହି ସଡକ ମୁଲାକାଲାଚେରୁଭୁ ଠାରୁ ମଦନାପାଲେ ପର୍ଯ୍ୟନ୍ତ ୪୨ ନମ୍ବର ଜାତୀୟ ରାଜପଥର ଉପରେ ଇପିସି ମୋଡ୍‍ରେ ନିର୍ମାଣ କରାଯିବ । ଏଥିପାଇଁ ଆନ୍ଧ୍ରପ୍ରଦେଶ ମଧ୍ୟ ୪୮୦କୋଟି ୧୦ଲକ୍ଷ ଟଙ୍କାର ବଜେଟ୍‍ ବ୍ୟବସ୍ଥା କରିଛନ୍ତି । (ତଥ୍ୟ)