Home News in Odia କେବେ ସରିବ ଦୁଇ ରେଳ ପ୍ରକଳ୍ପ

କେବେ ସରିବ ଦୁଇ ରେଳ ପ୍ରକଳ୍ପ

ଭୁବନେଶ୍ୱର : ଖୋରଧାରୋଡ-ବଲାଙ୍ଗିର ଏବଂ ତାଳଚେର-ବିମଳାଗଡ ରେଳପଥ ପାଇଁ ପୁଣି ରେଳ ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଦଶନ୍ଧି ଦଶନ୍ଧି ଧରି କାମ ଚାଲିଥିବା ଏହି ଦୁଇଟି ରେଳ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ କେବେ ଶେଷହେବ ସେଥିଘେନି ନିର୍ଦ୍ଦିଷ୍ଟ ଭାବେ କେହି କିଛି କହିପାରୁ ନାହାନ୍ତି ।

ଖୋରଧାରୋଡ-ବଲାଙ୍ଗିର ରେଳପଥ କାମ ୧୯୯୪-୯୫ ବର୍ଷରେ ଆରମ୍ଭ ହୋଇଥିବାବେଳେ ତାଳଚେର-ବିମଳାଗଡ ରେଳପଥ କାମ ଆରମ୍ଭ ହୋଇଥିଲା ୨୦୦୪-୦୫ ବର୍ଷରେ । ଇତି ମଧ୍ୟରେ ଖୋରଧାରୋଡ-ବଲାଙ୍ଗିର ରେଳପଥର ଖୋରଧାରୋଡରୁ ଦଶପଲ୍ଲା ପର୍ଯ୍ୟନ୍ତ ରେଳ ଚଳାଚଳ ଆରମ୍ଭ ହୋଇଥିବାବେଳେ ବଲାଙ୍ଗିର ପଟୁ ବି ଅଳ୍ପବାଟ ପର୍ଯ୍ୟନ୍ତ ରେଳ ଗଡିଛି । ତେବେ ପ୍ରାୟ ୮୦ବର୍ଷ ଧରି ଏହି ରେଳପଥ ନିର୍ମାଣ ଲାଗି ବ୍ୟାପକ ଦାବି ଉଠୁଥିବାେଳେ ବର୍ଷ ବର୍ଷ ଧରି କାମ କିନ୍ତୁ ଅତି ଧିମା ଗତିରେ ଚାଲିଥିବା ଘେନି ଅଭିଯୋଗ ହୋଇଛି ।

୨୮୯ କିଲୋମିଟର ଦୈର୍ଘ୍ୟର ଖୋରଧାରୋଡ ବଲାଙ୍ଗିର ରେଳପଥ ନିର୍ମାଣ ଆରମ୍ଭର ପ୍ରାୟ ୩୦ବର୍ଷ ଅତିକ୍ରମ କରିବାକୁ ଯାଉଥିବାବେଳେ ଏବେ ବି ତାହା ଅସମ୍ପୂର୍ଣ୍ଣ ଭାବେ ରହିଛି । ସେହିପରି ତାଳଚେର-ବିମଳାଗଡ ରେଳପଥର ନିର୍ମାଣ କାର୍ଯ୍ୟ ୨୦୦୪-୦୫ ବର୍ଷରୁ ଆରମ୍ଭ ହୋଇଛି । ପ୍ରାୟ ୧୫୦ କିଲୋମିଟର ଦୈର୍ଘ୍ୟର ଏହି ରେଳପଥ ୨୦ବର୍ଷ ଭିତରେ ସେମିତି କିଛି ଆଖିଦୃଶିଆ ଅଗ୍ରଗତି କରିପାରି ନାହିଁ । ଏହି ଦୁଇଟି ରେଳପଥ ପାଇଁ ପ୍ରଥମରୁ ବ୍ୟୟ ଅଟକଳ ଯାହା ଥିଲା ବିଳମ୍ବିତ କାରଣ ଯୋଗୁଁ ତାହା ବହୁଗୁଣିତ ହୋଇ ସାରିଲାଣି ।

ତାଳଚେର-ବିମଳାଗଡ ରେଳପଥ କାର୍ଯ୍ୟକ୍ଷମ ହେଲେ ରାଉରକେଲାରୁ ତାଳଚେର ମଧ୍ୟରେ ଦୂରତା ୧୨୬ କିଲୋମିଟର କମିଯିବ । ଭୁବନେଶ୍ୱରରୁ ରାଉରକେଲା ମଧ୍ୟ ଅଧିକ ପାଖ ହେବ । ଏମିତିକି ରାଉରକେଲା ଇସ୍ପାତ କାରଖାନାରୁ ପାରାଦୀପ ବନ୍ଦର ବାଟେ ସାମଗ୍ରୀ ରପ୍ତାନି କରିବା ସହଜ ହେବ । ଏହା ଫଳରେ କୋଇଲା, ଲୁହାପଥର ଓ ଅନ୍ୟାନ୍ୟ କଞ୍ଚାମାଲ ଏବଂ ଇସ୍ପାତ ଆଦି ପରିବହନ ବାବଦରେ ଯେତେ ଖର୍ଚ୍ଚ ହେଉଛି ତାହା ଢେର କମିଯିବ । କେବଳ ସେତିକି ନୁହେଁ ରାଉରକେଲା ଭୁବନେଶ୍ୱର ମଧ୍ୟରେ ଦୂରତା ହ୍ରାସ ପାଇବାରୁ ରେଳଭଡା ମଧ୍ୟ ଢେର କମ୍‍ ଦେବାକୁ ପଡିବ ।

କୁହାଯାଉଛି ଯେ ଏହି ଦୁଇଟି ଗୁରୁତ୍ୱପୂର୍ଣ୍ଣ ରେଳପ୍ରକଳ୍ପ ଲାଗି ଏଯାବତ୍‍ ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହୋଇନାହିଁ ଏବଂ ସବୁଠାରୁ ବଡ ପ୍ରତିବନ୍ଧକ ରହିଛି ଜଙ୍ଗଲ ଜମିର ଉପଯୋଗ ଲାଗି ପରିବେଶ ମଞ୍ଜୁରୀ । କେନ୍ଦ୍ର ଓ ରାଜ୍ୟ ସରକାର ଏବଂ ରେଳ ଓ ପରିବେଶ ବିଭାଗ ସମ୍ମିଳିତ ଭାବେ ଉଦ୍ୟମ କଲେ ଏହି ସମସ୍ୟାର ସହଜ ସମାଧାନ ହୋଇପାରିବ ବୋଲି କୁହାଯାଉଛି ।

ଇତି ମଧ୍ୟରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ବାରମ୍ବାର ସମୀକ୍ଷା କରିଛନ୍ତି । ତାଳଚେର-ବିମଳାଗଡ ରେଳପଥ ତାଳଚେର ଠାରୁ ସୁନାଖଣି ପର୍ଯ୍ୟନ୍ତ ଶେଷ ହୋଇଥିବାବେଳେ ସୁନାଖଣିରୁ ଅନୁଗୁଳ ଜିଲ୍ଲାର ପରବିନ୍‍ ପର୍ଯ୍ୟନ୍ତ କାର୍ଯ୍ୟ ପ୍ରାୟ ସରି ଆସୁଥିବା କୁହାଯାଉଛି । ତେବେ ଦେବଗଡ ଓ ସୁନ୍ଦରଗଡ ଜିଲ୍ଲାରେ ଜମି ସମସ୍ୟା ଏହି ପ୍ରକଳ୍ପକୁ ଆଗେଇ ନେବାରେ ପ୍ରତିବନ୍ଧକ ସାଜିଛି । (ତଥ୍ୟ)