Home Energy କେବୁଲ ତାର ପାଇଁ ଲୋକେ ହୀନସ୍ତା

କେବୁଲ ତାର ପାଇଁ ଲୋକେ ହୀନସ୍ତା

ଭୁବନେଶ୍ୱର : ବିଜୁଳି ଖୁଣ୍ଟରେ କେବୁଲ ତାର ଟଣା ବାବଦରେ ବିଦ୍ୟୁତ୍‍ ବିତରଣ କମ୍ପାନୀଗୁଡିକ ବର୍ଷକୁ ଦେଢ କୋଟିରୁ ଅଧିକ ଟଙ୍କା ପାଉଥିବାବେଳେ ଏହି ତାର ଛିଣ୍ଡିବା ଓ ଝୁଲି ରହିବା ଯୋଗୁଁ ଅନେକ ସ୍ଥାନରେ ଲୋକେ ହୀନସ୍ତା ହେଉଛନ୍ତି । ଖୋଦ ରାଜଧାନୀରେ ଅଧିକାଂଶ ସ୍ଥାନରେ ଏଭଳି କେବୁଲ ପ୍ରତି ନା ବିଜୁଳି କମ୍ପାନୀ ନା କେବୁଲ କମ୍ପାନୀ କେହି ହେଲେ ଦୃଷ୍ଟି ଦେଉ ନାହାନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଥିବା ୪ଟି ବିଜୁଳି ବିତରଣ କମ୍ପାନୀ ସେମାନଙ୍କ ବିଦ୍ୟୁତ୍‍ ଖୁଣ୍ଟରେ କେବୁଲ ତାର ଟାଣିବା ବାବଦରେ ବର୍ଷକୁ ଦେଢ କୋଟି ଟଙ୍କାରୁ ଅଧିକ ରାଜସ୍ୱ ପାଉଛନ୍ତି । ଏହି ଧରଣର ରାଜସ୍ୱ ପାଇବା କ୍ଷେତ୍ରରେ ସେସୁରୁ ଟାଟା ପାୱାରର ଟିପିସିଓଡିଏଲ ହୋଇଥିବା କମ୍ପାନୀର ଆୟ ସର୍ବାଧିକ । ଟିପିସିଓଡିଏଲ ବର୍ଷକୁ ଏ ବାବଦରେ କୋଟିଏରୁ ଅଧିକ ରାଜସ୍ୱ ପାଉଛି । ଏହି ବିତରଣ କମ୍ପାନୀର ପାଖପାଖି ୨ଲକ୍ଷ ବିଜୁଳି ଖୁଣ୍ଟରେ କେବୁଲ ଟଣା ହୋଇଛି । ଏହା ପଛକୁ ଟିପିଡବ୍ଲ୍ୟୁଓଡିଏଲ୍‍ର ୫୦ହଜାର ଖୁଣ୍ଟରେ କେବୁଲ ଟଣା ହୋଇଥିବାବେଳେ ସେ ବାବଦରେ ବର୍ଷକୁ ପ୍ରାୟ ୪୦ଲକ୍ଷ ଟଙ୍କା ପାଉଛି । ତେବେ ଅନ୍ୟ ଦୁଇ ବିତରଣ କମ୍ପାନୀର ଆୟ ଏ କ୍ଷେତ୍ରରେ ଢେର ନଗଣ୍ୟ ରହିଛି ।

ବିଦ୍ୟୁତ୍‍ ଖୁଣ୍ଟରେ ଟଣା ଯାଇଥିବା କେବୁଲ ବାବଦରେ କମ୍ପାନୀଗୁଡିକ କୋଟି କୋଟି ଟଙ୍କା ପାଉଥିବାବେଳେ ତାର କିଭଳି ଟଣା ଯାଇଛି ଓ ଏହା କି ଅବସ୍ଥାରେ ରହୁଛି ତାହାର କୌଣସି ଖୋଜ ଖବର ରଖୁନାହାନ୍ତି । ଯେଉଁସବୁ ସଂସ୍ଥାମାନେ ବିଜୁଳି ଖୁଣ୍ଟରେ କେବୁଲ ଟାଣୁଛନ୍ତି ସେମାନେ ବି ଥରେ କେବୁଲ ଟାଣିବାପରେ ଆଉ ଏଥିପ୍ରତି ଦୃଷ୍ଟି ଦେଉନାହାନ୍ତି ।

ବିଦ୍ୟୁତ୍‍ ତାରରେ ଟଣା ହୋଇଥିବା କେବୁଲ ପାଇଁ ଲୋକେ କିଭଳି ହୀନସ୍ତା ହୁଅନ୍ତି ତାହା ଗତ ଫନି ସମୟରେ ରାଜଧାନୀରେ ଦେଖିବାକୁ ମିଳିଥିଲା । ଲୋକଙ୍କ ଘର ଆଗରେ ଝୁଲୁଥିବା ତାରକୁ ହଟାଇ ଲୋକେ ପଦାକୁ ବାହାରିଥିଲେ । ନା ବିଜୁଳି କମ୍ପାନୀ ନା କେବୁଲ ସଂସ୍ଥା କାହାର ଦେଖା ଦର୍ଶନ ନଥିଲା । ଏବେ ବି ଅନୁରୂପ ଅବସ୍ଥା ବିଭିନ୍ନ ସ୍ଥାନରେ ଦେଖିବାକୁ ମିଳୁଛି । ବିଜୁଳି ଖୁଣ୍ଟରେ ଟଣା ହୋଇଥିବା ମାଳ ମାଳ କେବୁଲ ମୁଣ୍ଡ ଉପରେ ଝୁଲୁଥିଲେ ବି ତାହାକୁ କେହି ଉପରକୁ ଉଠାଉ ନାହାନ୍ତି ।

ଉଲ୍ଲେଖନୀୟ ଯେ କେବୁଲ ତାର ଟାଣୁଥିବା ସଂସ୍ଥାମାନେ ସହରାଞ୍ଚଳରେ ଖୁଣ୍ଟ ପିଛା ୧୦୦ ଟଙ୍କା ଦେଉଥିବାବେଳେ ଗ୍ରାମାଞ୍ଚଳରେ ୫୦ଟଙ୍କା ଦେଉଛନ୍ତି । ଏହି ଦେୟ ବଢାଇବାପାଇଁ ଗ୍ରିଡ୍‍କୋ ଅନୁରୋଧ କରିଛି । ତେବେ ଟିକସ ଆଦାୟ କରୁଥିବା ସଂସ୍ଥା ସେମାନଙ୍କ ଖୁଣ୍ଟରେ ତାର କିଭଳି ଅବସ୍ଥାରେ ରହିଛି ସେ ସବୁର ନିୟମିତ ଅନୁଧ୍ୟାନ ପାଇଁ ଦାବି ହେଉଛି । ବିଶେଷକରି କାଳବୈଶାଖି ପରବର୍ତ୍ତୀ ସମୟରେ ଏହାର ତୁରନ୍ତ ନିରୀକ୍ଷଣ ପାଇଁ ମତପ୍ରକାଶ ପାଉଛି । (ତଥ୍ୟ)