Home Agriculture କେବଳ ଚାଉଳରେ ବଳକା

କେବଳ ଚାଉଳରେ ବଳକା

ଭୁବନେଶ୍ୱର : ଚାଉଳକୁ ବାଦ୍‍ ଦେଲେ ଅନ୍ୟାନ୍ୟ ଖାଦ୍ୟ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଓଡିଶା ପଛରେ ପଡିଛି । ଡାଲି ଠାରୁ ଆରମ୍ଭ କରି ତୈଳବୀଜ ଏବଂ ଆଳୁ ପିଆଜ ଭଳି ଖାଦ୍ୟ କ୍ଷେତ୍ରରେ ମଧ୍ୟ ଆମେ ନିଅଣ୍ଟିଆ ରାଜ୍ୟ । ଫଳରେ ପ୍ରତିବର୍ଷ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାରୁ କୋଟି କୋଟି ଟଙ୍କାର ମୁନାଫା ନେଇ ଯାଉଛନ୍ତି ।

ସରକାରୀ ହିସାବରୁ ଜଣାଯାଇଛି ଯେ ୨୦୧୭-୧୮ ବର୍ଷ ବେଳକୁ ଆମେ ଚାଉଳ ଉତ୍ପାଦନ କ୍ଷେତ୍ରରେ ନିଅଣ୍ଟିଆ ରାଜ୍ୟ ଥିଲୁ । ସେତେବେଳେ ରାଜ୍ୟରେ ୬୭ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଆବଶ୍ୟକ ଥିବାବେଳେ ଆମେ ଏହାର ପାଖାପାଖି ୬୫.୫୧ ଲକ୍ଷ ଟନ୍‍ ଉତ୍ପାଦନ କରିପାରିଥିଲୁ । କିନ୍ତୁ ଏହାପରେ ରାଜ୍ୟ ସରକାର ଚାଉଳ ଉତ୍ପାଦ ଉପରେ ଫୋକସ କରିବାପରେ ୨୦୧୯-୨୦ ବେଳକୁ ଓଡିଶା ଚାଉଳ ଉତ୍ପାଦନରେ ଏକ ବଳକା ରାଜ୍ୟ ହୋଇପାରିବା ସହିତ ଅନ୍ୟ ରାଜ୍ୟକୁ ଚାଉଳ ପଠାଉଛି । ଏହିବର୍ଷ ରାଜ୍ୟରେ ପ୍ରାୟ ୬୯ଲକ୍ଷ ମେଟ୍ରିକ ଟନ୍‍ ଚାଉଳ ଆବଶ୍ୟକ ସ୍ଥଳେ ଆମେ ୯୭ଲକ୍ଷ ଟନ୍‍ରୁ ଅଧିକ ଚାଉଳ ଉତ୍ପାଦନ କରିଛୁ ।

ହେଲେ ଡାଲି ଓ ତୈଳବୀଜ ଉତ୍ପାଦନରେ ଆମେ ଢେର ପଛରେ । ଏ କ୍ଷେତ୍ରରେ ଆମେ କେବଳ ପଛରେ ପଡିନାହୁଁ ବର୍ଷକୁ ବର୍ଷ ଉତ୍ପାଦନ ବି କମି କମି ଯାଉଛି । ୨୦୧୭-୧୮ବର୍ଷରେ ରାଜ୍ୟରେ ୧୦.୭୬ ଲକ୍ଷ ଟନ୍‍ ଡାଲି ଉତ୍ପାଦନ ହେଉଥିବାବେଳେ ୨୦୧୯-୨୦ ବର୍ଷ ବେଳକୁ ତାହା ୧୦.୪୫ଲକ୍ଷ ଟନ୍‍କୁ ହ୍ରାସ ପାଇଛି ।

ଗୋଟିଏ ପଟେ ଉତ୍ପାଦନ କମୁଥିବାବେଳେ ଅନ୍ୟ ପଟେ ଆବଶ୍ୟକତା ବଢି ବଢି ଚାଲିଛି । ୨୦୧୭-୧୮ ବର୍ଷରେ ରାଜ୍ୟରେ ୧୧.୮୮ ଲକ୍ଷ ଟନ୍‍ ଡାଲି ଆବଶ୍ୟକ ଥିବାବେଳେ ୨୦୧୯-୨୦ ବର୍ଷରେ ତାହା ୧୨.୨୪ ଲକ୍ଷ ଟନ୍‍ରେ ପହଞ୍ଚିଛି । ତେଣୁ ଓଡିଶା ବର୍ଷ ସାରା ଅନ୍ୟ ରାଜ୍ୟରୁ ହରଡ ସମେତ ଅନ୍ୟାନ୍ୟ ଡାଲି ଆମଦାନୀ କରିବାରେ ଲାଗିଛି ଓ ଓଡିଶାର ଖାଉଟିମାନେ ଏ ବାବଦରେ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କୁ ଟେକି ଦେଉଛନ୍ତି ।

ଡାଲି ଭଳି ତୈଳବୀଜ ଉତ୍ପାଦନରେ ମଧ୍ୟ ଓଡିଶାର ଅବସ୍ଥା । ୨୦୧୭-୧୮ ବର୍ଷରେ ରାଜ୍ୟରେ ୨୨.୭୭ ଲକ୍ଷ ମେଟ୍ରିକ ଟନ୍‍ ତୈଳବୀଜ ଆବଶ୍ୟକ ଥିବାବେଳେ ଉତ୍ପାଦନ ପରିମାଣ ଥିଲା ୫.୩୫ ଲକ୍ଷ ଟନ୍‍ । ୨୦୧୯-୨୦ ରେ ଚାହିଦା ୨୩.୪୧ ଲକ୍ଷ ଟନ୍‍ ଥିବାବେଳେ ଉତ୍ପାଦନ ୫.୬୯ଲକ୍ଷ ଟନ୍‍ରେ ସୀମିତ ରହିଛି । ଫଳରେ ସୋରିଷ ତେଲ ଠାରୁ ଆରମ୍ଭ କରି ପାମୋଲିନ୍‍ ଓ ସୂର୍ଯ୍ୟମୁଖୀ ଯର୍ପ୍ୟନ୍ତ ତେଲ ଟିକେ ପାଇଁ ଓଡିଶା ବର୍ଷସାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳ । ଏ ବାବଦରେ ବି ଓଡିଶାରୁ ପ୍ରତିବର୍ଷ କୋଟି କୋଟି ଟଙ୍କା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ନେଇ ଯାଉଛନ୍ତି ।

ଡାଲି, ତେଲ ଭଳି ଓଡିଶା ମଧ୍ୟ ଆଳୁ, ପିଆଜ ଓ ଅନ୍ୟାନ୍ୟ ପନିପରିବା ପାଇଁ ପଡୋଶୀ ରାଜ୍ୟ ଉପରେ ନିର୍ଭରଶୀଳ । ସରକାରଙ୍କ ଆଳୁ ଓ ପିଆଜ ମିଶନ କାର୍ଯ୍ୟକାରୀ ସତ୍ୱେ ରାଜ୍ୟ ଏ କ୍ଷେତ୍ରରେ ଆତ୍ମନିର୍ଭର ହୋଇପାରିଲା ନାହିଁ । ତେଣୁ ଓଡିଶାରେ ଏହି ସବୁ ଖାଦ୍ୟ ସାମଗ୍ରୀ କେତେ ଦରରେ ବିକ୍ରି ହେବ ତାହା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ସ୍ଥିର କରୁଛନ୍ତି । ଯଦି ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, କର୍ଣ୍ଣାଟକ ଆଦି ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟ ଦେଖାଦେଉଛି ତେବେ ଓଡିଶାର ଖାଉଟିଙ୍କ ଅବସ୍ଥା ବେହାଲ ହେବାରେ ଲାଗୁଛି । ମୋଟାମୋଟି ଭାବେ ଓଡିଶା ଏକ ଖାଉଟି ରାଜ୍ୟର ମାନ୍ୟତା ପାଇଥିବାବେଳେ ଅନ୍ୟ ରାଜ୍ୟର ବ୍ୟବସାୟୀଙ୍କ ଲାଭଜନକ ବ୍ୟବସାୟକେନ୍ଦ୍ର ପାଲଟିଛି । (ତଥ୍ୟ)