Home General କେନ୍ଦ୍ରୀୟ ସଂସ୍ଥାରେ ମାଳ ମାଳ ପଦବୀ ଖାଲି

କେନ୍ଦ୍ରୀୟ ସଂସ୍ଥାରେ ମାଳ ମାଳ ପଦବୀ ଖାଲି

ଭୁବନେଶ୍ୱର : କେନ୍ଦ୍ର ସରକାରୀ ଚାକିରିରେ ୧୦ଲକ୍ଷ ନୂତନ ନିଯୁକ୍ତି ପାଇଁ ପୁଣି ଥରେ ଘୋଷଣା ହୋଇଥିବାବେଳେ ଓଡିଶାରେ ଥିବା କେନ୍ଦ୍ରୀୟ ସଂସ୍ଥାଗୁଡିକରେ ପ୍ରାୟ ଏକ ତୃତୀୟାଂଶ ପଦବୀ ଖାଲି ପଡିଛି । ଏସବୁ କେବେ ପୂରଣ ହେବ ସେଥିଘେନି ଦାୟିତ୍ୱରେ ଥିବା ଅଧିକାରୀମାନେ କିଛି କହିପାରୁ ନାହାନ୍ତି ।

ଓଡିଶାରେ ଥିବା ଏକମାତ୍ର ଭୁବନେଶ୍ୱର ଆଇଆଇଟିର ନିର୍ଦ୍ଦେଶକ ପଦବୀ ଦୀର୍ଘଦିନ ଧରି ଖାଲିପଡିଛି । ଏଥିପାଇଁ ବିଜ୍ଞାପନ ପ୍ରକାଶ ସହ ସାକ୍ଷାତକାର କରାଯାଇଥିଲେ ବି ଏହି ଗୁରୁତ୍ୱପୂର୍ଣ୍ଣ ପଦବୀଟି ପୂରଣ କରାଯାଉନାହିଁ । କେବଳ ନିର୍ଦ୍ଦେଶକ ନୁହେଁ, ଭୁବନେଶ୍ୱର ଆଇଆଇଟିରେ ଆଉ ଅନେକ ଶିକ୍ଷକ, ପ୍ରଶାସକ ଓ ଅନ୍ୟାନ୍ୟ ପଦ ପଦବୀ ବର୍ଷ ବର୍ଷ ଧରି ଖାଲି ରହିଥିବାରୁ ଶିକ୍ଷା, ଗବେଷଣା ଓ ପ୍ରଶାସନିକ କାର୍ଯ୍ୟରେ ସମସ୍ୟା ଉପୁଜିଛି । ନାଇଜର, ଆଇଜର ସମେତ କେନ୍ଦ୍ର ସରକାରଙ୍କ ମ୍ୟାନେଜମେଣ୍ଟ ଶିକ୍ଷା ପ୍ରତିଷ୍ଠାନରେ ବି ବହୁ ପଦବୀ ଖାଲି ।

ଭୁବନେଶ୍ୱର ଏମ୍‍ସର ନିର୍ଦ୍ଦେଶକ ପଦବୀ ଗତ ଡିସେମ୍ବର ମାସରୁ ଖାଲି ପଡିଛି । ଏହି ପଦବୀ ପାଇଁ ପ୍ରାର୍ଥୀ ଚୟନ ପ୍ରକ୍ରିୟା ଢେର ପୂର୍ବରୁ ଆରମ୍ଭ ହୋଇଥିଲେ ମଧ୍ୟ କାହିଁକି ଯେ ନୂଆ ନିର୍ଦ୍ଦେଶକ ନିଯୁକ୍ତ ନକରି ଆନ୍ଧ୍ରପ୍ରଦେଶରେ ଥିବା ମଲାଙ୍ଗଗିରି ଏମ୍‍ସର ନିର୍ଦ୍ଦେଶକଙ୍କୁ ଭୁବନେଶ୍ୱର ଏମ୍‍ସର ଅତିରିକ୍ତ ଦାୟିତ୍ୱରେ ରଖାଯାଇଛି ତାହା ବୁଝା ପଡୁନାହିଁ ।

ଭୁବନେଶ୍ୱର ଏମ୍‍ସରେ ଅନେକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଖୋଲା ଯାଉନାହିଁ । ଯେତିକି ବିଭାଗ ବି ଅଛି ସେଥିରେ ରୋଗୀଙ୍କ ସଂଖ୍ୟା, ଅଧ୍ୟାପନା ଓ ଗବେଷଣାର ଚାପାକୁ ଆଖିଆଗରେ ରଖି ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତରୀ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯାଉନଥିବାରୁ ଦିନକୁ ଦିନ ସମସ୍ୟା ବିଗିଡିବାରେ ଲାଗିଛି ।

କୋରାପୁଟ ଜିଲ୍ଲାରେ ଥିବା ଓଡିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ଅବସ୍ଥା ଅତି ସାଂଘାତିକ । ଏଠାରେ ବହୁ ବିଭାଗରେ ପ୍ରଫେସର ଓ ସହକାରୀ ପ୍ରଫେସର ନାହାନ୍ତି । ଠିକା ଶିକ୍ଷକଙ୍କୁ ଆଶ୍ରା କରି ଏହି କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଚାଲିଛି । ବ୍ୟାପକ ସଂଖ୍ୟକ ଶିକ୍ଷକ ପଦବୀ ଖାଲି ପଡିବା ସହ ଏଠାରେ ମଧ୍ୟ ଅର୍ଦ୍ଧାଧିକ ଅଣଶିକ୍ଷକ ପଦବୀ ଖାଲି ରହିଛି । ଏଗୁଡିକ କେବେ ପୂରଣ ହେବ ତାହାର ଉତ୍ତର କାହା ପାଖରେ ନାହିଁ ।

ଓଡିଶାରେ କେନ୍ଦ୍ରୀୟ ବିଦ୍ୟାଳୟ ସଂଖ୍ୟା ବଢି ଚାଲୁଥିବାବେଳେ ମଞ୍ଜୁରୀପ୍ରାପ୍ତ ଶିକ୍ଷକ ପଦବୀ ସବୁ ପୂରଣ କରାଯାଉନାହିଁ । ସଂଖ୍ୟାଧିକ କେନ୍ଦ୍ରୀୟ ବିଦ୍ୟାଳୟ ଠିକା ଶିକ୍ଷକଙ୍କୁ ଆଶ୍ରାକରି ଚାଲିଛି । ଏମିତିକି କେନ୍ଦ୍ରୀୟ ବିଦ୍ୟାଳୟଗୁଡିକରୁ ଯେଉଁ ଶିକ୍ଷକମାନେ ଅବସରଗ୍ରହଣ କରୁଛନ୍ତି ସେମାନଙ୍କ ଭିତରୁ ଅନେକଙ୍କୁ ଏଠାରେ ଠିକାରେ ରଖାଯାଇଛି ।

ଶିକ୍ଷା ବିଭାଗର ମନ୍ତ୍ରୀଭାବେ ଦାୟିତ୍ୱ ନେବାପରେ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ବିଭାଗର ସମୀକ୍ଷାକରି ଖାଲିଥିବା ପଦବୀ ସବୁ ତିନିମାସ ମଧ୍ୟରେ ପୂରଣ କରାଯିବ ବୋଲି କହିଥିବାବେଳେ ପଦବୀ ପୂରଣ ହେବା ପରିବର୍ତ୍ତେ ଖାଲି ପଦବୀ ସଂଖ୍ୟା ପ୍ରତିମାସରେ ବଢି ଚାଲୁଛି ।

ରିଜର୍ଭ ବ୍ୟାଙ୍କ୍‍, ଏଜି, ଡାକ ଓ ଟେଲିଫୋନ୍‍, ରେଳବାଇ, ଏମସିଏଲ୍‍, ଦୂରଦର୍ଶନ ଭଳି ସଂସ୍ଥା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କେନ୍ଦ୍ରୀୟ ଦପ୍ତରଗୁଡିକରେ ବି କର୍ମଚାରୀ ମରୁଡି ବାରିହୋଇ ଯାଉଛି । ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକରେ ବହୁ ଚଉକି ଖାଲି ପଡିଛି । ଗୋଟିଏ ପଟେ ଉଚ୍ଚଶିକ୍ଷିତ ବେକାର ଯୁବକ ଯୁବତୀମାନେ କର୍ମନିଯୁକ୍ତି ନପାଇ ଅନିଶ୍ଚିତତା ମଧ୍ୟରେ କାଳ କାଟୁଥିବାବେଳେ ଅନ୍ୟ ପଟେ ପ୍ରତିବର୍ଷ ନିଯୁକ୍ତି ଦିଆଯାଉନଥିବାରୁ ବେକାରୀ ସମସ୍ୟା ଉତ୍କଟ ହେଉଛି ।

ଓଡିଶାପାଇଁ ଯେତେ ସଂଖ୍ୟକ ଆଇଏଏସ୍‍ ଓ ଆଇପିଏସ୍‍ ଭଳି ସର୍ବଭାରତୀୟ ସେବାର ପଦବୀ ରହିଛି ସେଥିରୁ ବି ଅନେକ ଖାଲି ପଡିଥିବାରୁ ଜଣେ ଜଣେ ଅଧିକାରୀଙ୍କୁ ଏକାଧିକ ବିଭାଗର ଦାୟିତ୍ୱରେ ରଖିବାକୁ ସରକାର ବାଧ୍ୟ ହେଉଛନ୍ତି । (ତଥ୍ୟ)