Home Infrastructure କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଅନୁରୋଧ

କେନ୍ଦ୍ରୀୟ ମଞ୍ଜୁରୀ ପାଇଁ ଅନୁରୋଧ

ଭୁବନେଶ୍ୱର : କେନ୍ଦ୍ର ସରକାର ପୁଞ୍ଜିନିବେଶ, ଭିତ୍ତିଭୂମି ଏବଂ ଅଭିବୃଦ୍ଧି ଉପରେ ଗୁରୁତ୍ୱ ଦେଉôତବାବେଳେ ଧାର୍ଯ୍ୟ ସମୟରେ ଜଙ୍ଗଲ ଓ ପରିବେଶ ଅନୁମତି ଦେଇ ରାଜ୍ୟରେ ଭିତ୍ତିଭୂମି ବିକାଶକୁ ଆଗେଇ ନେବାପାଇଁ ଓଡିଶା ସରକାର ଅନୁରୋଧ କରିଛନ୍ତି । କୋଭିଡ ମହାମାରୀ ସତ୍ୱେ ଓଡିଶାରେ ଗତ ଦୁଇବର୍ଷ ମଧ୍ୟରେ ୪ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ହୋଇଥିବାବେଳେ ଏହିସବୁ ପ୍ରକଳ୍ପ କାର୍ଯ୍ୟକାରୀ ଲାଗି କେନ୍ଦ୍ର ସରକାରଙ୍କ ଅନୁମତି ଆବଶ୍ୟକ ।

କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ସହିତ ଆଲୋଚନା ସମୟରେ ଓଡିଶା ସରକାର ଏହି ପ୍ରସଙ୍ଗ ଉଠାଇଥିବାବେଳେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ରକ୍ଷାକରି ପୁଞ୍ଜିନିବେଶ, ଭିତ୍ତିଭୂମି ଓ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ପାଇଁ କେନ୍ଦ୍ରୀୟ କର୍ତ୍ତୃପକ୍ଷ କହିଛନ୍ତି । ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ନିକଟରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀଥାରମଣଙ୍କୁ ଭେଟି ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

ଏଭଳି ଉଦାହରଣ ମଧ୍ୟରେ ଆର୍ସେଲର ମିତ୍ତଲ ନିପନ କମ୍ପାନୀ କେନ୍ଦ୍ରାପଡା ଜିଲ୍ଲାରେ ୧,୦୨,୨୭୫ କୋଟି ଟଙ୍କା ବିନିଯୋଗରେ ବାର୍ଷିକ ୨୪ ନିୟୁତ ଟନ୍‍ ଇସ୍ପାତ ଉତ୍ପାଦନ କାରଖାନା ପ୍ରତିଷ୍ଠା କରିବାକୁ ଯାଉଥିବାବେଳେ ଏଥିପାଇଁ କେନ୍ଦ୍ରରୁ ଧାର୍ଯ୍ୟ ସମୟରେ ବିଭିନ୍ନ ଅନୁମତି ଆବଶ୍ୟକ ପଡୁଛି । ଅନୁରୂପ ଭାବେ ଓଡିଶାର ୪୮୦ କିଲୋମିଟର ବେଳାଭୂମି ଯାହାକି ଆଗାମୀ ଦିନରେ ଦକ୍ଷିଣ ପୂର୍ବ ଏସିଆ ଓ ଅନ୍ୟ ଆର୍ନ୍ତଜାତୀୟ ବଜାର ପାଇଁ ରପ୍ତାନି ହବ୍‍ ହେବାକୁ ଯାଉଛି । ଏହାର ଗୁରୁତ୍ୱକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏହି ଉତ୍ସର୍ଗୀକୃତ ପରିବହନ କରିଡର, ଅର୍ନ୍ତଦେଶୀୟ ଜଳପଥ ଓ ବନ୍ଦର ଭିତ୍ତିଭୂମି ବିକାଶ କରିବା ଜରୁରୀ ହୋଇପଡିଛି ।

ସେହିଭଳି ରାଜ୍ୟ ସରକାର ଗ୍ୟାସ ଓ ସ୍ଲରୀ ପାଇପ ଲାଇନ୍‍ କାର୍ଯ୍ୟ ତ୍ୱରାନ୍ୱିତ ଉପରେ ଗୁରୁତ୍ୱ ଦଉଛନ୍ତି । ଏହି ପ୍ରସ୍ତାବିତ ଆର୍ଥିକ କରିଡର ପାରାଦୀପ ରୁ ବଡବିଲ୍‍ ପର୍ଯ୍ୟନ୍ତ ଲମ୍ବିଛି । ଏହି ୩୦୦ କିଲୋମିଟର ଦୈର୍ଘ୍ୟ ଆର୍ଥିକ କରିଡର ଭଦ୍ରାସାହି, ରିମୁଳି, କେନ୍ଦୁଝର, ଡୁବୁରୀ ଏବଂ ଚଣ୍ଡିଖୋଲ ଆଦି ଦେଇ ଯିବ । ଅନୁରୂପ ଭାବେ ପାରାଦୀପ ଠାରେ ପ୍ରସ୍ତାବିତ ଇଣ୍ଡିଆନ ଅଏଲ କର୍ପୋରେସନର ନାପ୍‍ଥା କ୍ରାକର ପ୍ରକଳ୍ପ ଓଡିଶାର ଅନ୍ୟତମ ପୁଞ୍ଜି ବିନିଯୋଗ ପ୍ରକଳ୍ପ ହୋଇଥିବାବେଳେ ଏହାର କାର୍ଯ୍ୟ ତ୍ୱରାନ୍ୱିତ ହେବା ଜରୁରୀ ।

ବନ୍ଦର ସଂଯୋଗୀକରଣ ଭାବେ ଧାମରା, ସୁବର୍ଣ୍ଣରେଖା ଏବଂ ଗୋପାଳପୁର ବନ୍ଦରକୁ ଜାତୀୟ ରାଜପଥ-୧୬ ସହିତ ସଂଯୋଗୀକରଣ କାର୍ଯ୍ୟ ଅଗ୍ରାଧିକାର ଭିତ୍ତିରେ କରିବାକୁ ସ୍ଥିର ହୋଇଛି । ଏହି ମର୍ମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସଡ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କ ସହିତ ଆଲୋଚନା କରିଥିବାବେଳେ ସେ ମଧ୍ୟ ଏଥିପାଇଁ ରାଜି ହୋଇଛନ୍ତି । ଏହାବାଦ ଭାରତମାଳା ଓ କ୍ୟାପିଟାଲ ରିଙ୍ଗ ରୋଡ ଯୋଜନାରେ ଉପକୂଳ ରାଜପଥ ପ୍ରକଳ୍ପକୁ ଅଗ୍ରାଧିକାର ଭିତ୍ତିରେ ପ୍ରତିଷ୍ଠା ପାଇଁ ଏନ୍‍ଏଚ୍‍ଏଆଇ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ କରିଛନ୍ତି ।

ପାଖାପାଖି ୬ହଜାର ଏକର ଲୁଣ ଉତ୍ପାଦନ ହେଉଥିବା ଜମି ଗୋଟିଏ ଦଶନ୍ଧିରୁ ଅଧିକ ସମୟ ଧରି ପଡି ରହିଛି । ଏହି ଜମିରେ ବୃହତ୍‍ ଶିଳ୍ପ ପାର୍କ ଯଥା ଔଷଧ ପାର୍କ, ଟେକ୍ସଟାଇଲ ପାର୍କ ଓ ପେଟ୍ରୋ କେମିକାଲ୍ସ କମ୍ପେ୍ଲକ୍ସ ନିର୍ମାଣ ହୋଇପାରିବ । ତେଣୁ ଏହି ଜମିକୁ କେନ୍ଦ୍ର ସରକାର ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କଲେ ସେଠାରେ ଶିଳ୍ପ ପାର୍କ ପ୍ରତିଷ୍ଠା ହୋଇପାରିବ । ରାଜ୍ୟକୁ ଆସିଥିବା ୪ଲକ୍ଷ କୋଟିର ପୁଞ୍ଜି ନିବେଶ ପ୍ରସ୍ତାବ ମଧ୍ୟରେ ବିଭିନ୍ନ ପ୍ରକଳ୍ପ ଯଥା ମେଟାଲ, ଶକ୍ତି, ସିମେଣ୍ଟ, ପେଟ୍ରୋ କେମିକାଲ୍ସ, ଖାଦ୍ୟ ପ୍ରକ୍ରିୟାକରଣ, ପର୍ଯ୍ୟଟନ ଆଦି ରହିଛି । ଏହି ପ୍ରକଳ୍ପ ପ୍ରତିଷ୍ଠା ପାଇଁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ମଧ୍ୟରେ ସମନ୍ୱୟ ଜରୁରୀ ବୋଲି ଅଧିକାରୀମାନେ ମତ ଦେଉଛନ୍ତି । (ତଥ୍ୟ)