Home Finance କେନ୍ଦ୍ରୀୟ ଅନୁଦାନ ୪୦ ପ୍ରତିଶତ କମ୍‍ ମିଳିଲା

କେନ୍ଦ୍ରୀୟ ଅନୁଦାନ ୪୦ ପ୍ରତିଶତ କମ୍‍ ମିଳିଲା

ଭୁବନେଶ୍ୱର : କେନ୍ଦ୍ରରୁ ଅନୁଦାନ ଭାବରେ ରାଜ୍ୟ ସରକାର ଅଗଷ୍ଟମାସ ଶେଷସୁଦ୍ଧା ୪୦ ପ୍ରତିଶତ ଅର୍ଥ କମ୍‍ ପାଇବା ଫଳରେ ଉଦ୍‍ବେଗଜନକ ସ୍ଥିତି ଉପୁଜିଛି । ଏହା ସାଙ୍ଗକୁ ଅଂଶଧନ ଟିକସର ପ୍ରାପ୍ୟ ମଧ୍ୟ କମିଯାଇଛି ।

ରାଜ୍ୟରେ ଉନ୍ନୟନମୂଳକ କାର୍ଯ୍ୟପାଇଁ ଅଧିକ ଆବଶ୍ୟକ ଥିବାବେଳେ କେନ୍ଦ୍ରୀୟ ପ୍ରାପ୍ୟ କମିଯାଉଥିବା ଯୋଗୁଁ ଜଟିଳ ପରିସ୍ଥିତି ଉପୁଜିଛି । ଚଳିତ ଆର୍ଥିକ ବର୍ଷରେ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ୩୭,୯୬୩ କୋଟି ୩୨ଲକ୍ଷ ଟଙ୍କା ପାଇବ ବୋଲି ଆଶା ରଖିଥିଲା । କିନ୍ତୁ ପ୍ରଥମ ୫ମାସ ମଧ୍ୟରେ ଓଡିଶାକୁ କେନ୍ଦ୍ର ସରକାର ଦେଇଛନ୍ତି ମାତ୍ର ୬୯୯୭କୋଟି ୮୭ଲକ୍ଷ ଟଙ୍କା ଦେଇଛନ୍ତି ଯାହା କି ପ୍ରକୃତ ପ୍ରାପ୍ୟର ୪୦ ପ୍ରତିଶତ କମ୍‍ । ପ୍ରତିବର୍ଷ କେନ୍ଦ୍ରୀୟ ଅନୁଦାନ ପରିମାଣ ବଢିବା ପରିବର୍ତ୍ତେ ତାହା କମିଯିବା ଜଟିଳ ପରିସ୍ଥିତି ସୃଷ୍ଟି କରିଛି ।

ଉଦାହରଣ ସ୍ୱରୂପ ୨୦୨୧-୨୨ ଆର୍ଥିକ ବର୍ଷରେ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟ ସରକାର କେନ୍ଦ୍ରୀୟ ଟିକସ ବାବଦରେ ୯୬୨୬କୋଟି ୮୩ଲକ୍ଷ ଟଙ୍କା ପାଇଛନ୍ତି । ଅଥଚ ୨୦୧୯-୨୦ ଆର୍ଥିକ ବର୍ଷରେ ଓଡିଶାକୁ ଏ ବାବଦରେ ଅଗଷ୍ଟ ଶେଷସୁଦ୍ଧା ୧୧,୮୬୩କୋଟି ଟଙ୍କା ମିଳିଥିଲା ।

୨୦୨୧-୨୨ ବର୍ଷରେ କେନ୍ଦ୍ରୀୟ ପାଣ୍ଠିରୁ ଓଡିଶାକୁ ୬୮,୧୦୦ କୋଟି ଟଙ୍କା ମିଳିବାକଥା । କିନ୍ତୁ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଏ ବାବଦରେ ଓଡିଶା ମାତ୍ର ୧୬,୬୨୪କୋଟି ୭୦ଲକ୍ଷ ଟଙ୍କା ପାଇଥିବା ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି । ମୋଟାମୋଟି ଭାବେ ଏ କ୍ଷେତ୍ରରେ ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ପ୍ରାୟ ୨୪ପ୍ରତିଶତ କମ୍‍ ଅର୍ଥ ମିଳିଛି ।

କେନ୍ଦ୍ରରୁ ଓଡିଶାକୁ ମିଳିବାକୁ ଥିବା ପ୍ରାପ୍ୟ ଠିକଣା ସମୟରେ ଆସୁନଥିବା ଏବଂ ଯାହା ବି ଆସୁଛି ତାହା ଢେର କମ୍‍ ହୋଇଥିବାରୁ ପ୍ରଶାସନିକ ଖର୍ଚ୍ଚ ସହିତ ବିଭିନ୍ନ ଉନ୍ନୟନମୂଳକ କାମ ଓ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମମାନ ଚାଲୁ ରଖିବାପାଇଁ ରାଜ୍ୟ ସରକାରଙ୍କୁ ଅର୍ଥ ଯୋଗାଡ ଲାଗି ବିକଳ୍ପ ବ୍ୟବସ୍ଥା କରିବାକୁ ପଡୁଛି । ଏଥିଲାଗି ଓଡିଶା ସରକାର ସ୍ୱତନ୍ତ୍ର ଭାବେ ‘ରିସୋର୍ସ ମୋବିଲାଇଜେନ ପ୍ଲାନ’ ଚଳାଉଛନ୍ତି । ଅର୍ଥ ବିଭାଗର ପ୍ରମୁଖ ସଚିବ ବିଶାଳ ଦେବ ରିସୋର୍ସ ମୋବିଲାଇଜେନ ପ୍ଲାନ ମାଧ୍ୟମରେ କିଭଳି ରାଜକୋଷକୁ ଅଧିକରୁ ଅଧିକ ଅର୍ଥ ଆସିପାରିବ ସେଥିଲାଗି ଦଳ ବଳ ଘେନି ବ୍ୟାପକ ଉଦ୍ୟମ ଚଳାଇଛନ୍ତି ।

ଓଡିଶା ସରକାର ସମ୍ବଳ ସଂଗ୍ରହପାଇଁ ଚଳାଇଥିବା ଏହି ଅଭିଯାନ ଯୋଗୁଁ ଚଳିତ ଆର୍ଥିକ ବର୍ଷର ଗତ ଅଗଷ୍ଟ ଶେଷସୁଦ୍ଧା ରାଜ୍ୟ ସରକାର ନିଜସ୍ୱ ରାଜସ୍ୱ ଆକାରରେ ପ୍ରାୟ ୩୧ହଜାର କୋଟି ଟଙ୍କା ସଂଗ୍ରହ କରିବାରେ ସମର୍ଥ ହୋଇଛନ୍ତି । ଭୂ ରାଜସ୍ୱ ଠାରୁ ଆରମ୍ଭ କରି ଜିଏସ୍‍ଟି ପର୍ଯ୍ୟନ୍ତ ବିଭିନ୍ନ କିସମର ଟିକସ କିଭଳି ବାକି ନରହି ଠିକଣା ସମୟରେ ଆଦାୟ କରାଯାଇ ପାରିବ ତାହା ଉପରେ ଅର୍ଥ ବିଭାଗ ଗୁରୁତ୍ୱଆରୋପ କରୁଛି । ଫଳରେ ଇତି ମଧ୍ୟରେ ୧୬,୫୦୦ ରୁ ଅଧିକ ନୂଆ କରଦାତା ରାଜ୍ୟ ସରକାରଙ୍କ ତାଲିକାରେ ସାମିଲ ହୋଇଛନ୍ତି ।

୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ୫ମାସରେ ଓଡିଶା ସରକାର ଯେତେ ପରିମାଣର ରାଜସ୍ୱ ସଂଗ୍ରହ କରିଥିଲେ ଚଳିତ ବର୍ଷର ସେହି ସମୟ ମଧ୍ୟରେ ତାହା ଅପେକ୍ଷା ୭୨ ପ୍ରତିଶତ ଅଧିକ ରାଜସ୍ୱ ସଂଗ୍ରହର ରେକର୍ଡ କରିଥିବା ଜଣାପଡିଛି । ବାକିଆ ରାଜସ୍ୱ ଆଦାୟ ପାଇଁ ଚାଲିଥିବା ଓଟିଏସ୍‍ ବ୍ୟବସ୍ଥାରେ ୬୦୦କୋଟି ଟଙ୍କାରୁ ଅଧିକ ଅର୍ଥ ମିଳିପାରିଛି ।

ବାଣିଜ୍ୟକର, ବିଦ୍ୟୁତ୍‍ ଶୁଳ୍କ, ଜଳ କର ଭଳି ଟିକସ ଯାହା ବକେୟା ରହିଛି ତାହା ଏକ କାଳୀନ ଶୁଝିବା ବ୍ୟବସ୍ଥାରେ ଆଦାୟ ପାଇଁ ପଦକ୍ଷେପ ନିଆଯାଉଛି । କାରଣ ଏହି ଟଙ୍କା ଆଦାୟ ହେଉନଥିବାବେଳେ ଏହାକୁ ନେଇ ବିଭନ୍ନ ଅଦାଲତରେ ମାମଲା ବଢି ଚାଲିଛି । ତାହାକୁ ଦୃଷ୍ଟିରେ ରଖି ଓଟିଏସ୍‍ ବ୍ୟବସ୍ଥାକୁ ସକ୍ରିୟ ଭାବେ କାର୍ଯ୍ୟକାରୀ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here