Home Administration କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁଁ ସରକାର ଚିନ୍ତାରେ

କେନ୍ଦ୍ରୀୟ ଅନୁଦାନ ହ୍ରାସ ଯୋଗୁଁ ସରକାର ଚିନ୍ତାରେ

ରାଜସ୍ୱ ସଂଗ୍ରହ ହ୍ରାସ ସହିତ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ କମିଯିବା ଏବେ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ହୋଇଛି । ଧିରେ ଧିରେ ରାଜସ୍ୱ ଆଦାୟ କମୁଥିବାବେଳେ କେନ୍ଦ୍ରରୁ ମିଳୁଥିବା ଅନୁଦାନ ପରିମାଣ ହ୍ରାସ ପାଉଥିବାକୁ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ।

୨୦୨୦-୨୧ ଆର୍ଥିକ ବର୍ଷରେ ୧,୨୪,୩୦୦ କୋଟି ଟଙ୍କାର ରାଜସ୍ୱ ମିଳିବ ବୋଲି ବଜେଟ୍‍ରେ ଆକଳନ କରାଯାଇଥିବାବେଳେ ପ୍ରଥମ ୬ମାସରେ ମିଳିଛି ୪୫,୫୪୯କୋଟି ୨୯ଲକ୍ଷ ଟଙ୍କା । ଯାହାକି ଲକ୍ଷ୍ୟର ମାତ୍ର ୩୬.୬୪ ପ୍ରତିଶତ । ଅଗଷ୍ଟ ମାସରେ ମୋଟ୍‍ ୭୪୯୪କୋଟି ୧୬ଲକ୍ଷ ଟଙ୍କାର ରାଜସ୍ୱ ମିଳିଥିବାବେଳେ ସେପ୍ଟେମ୍ବର ମାସରେ ଏହା ୫୬୪୦କୋଟି ୫୪ଲକ୍ଷକୁ ହ୍ରାସ ପାଇଛି ।

ଅଗଷ୍ଟ ମାସରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୨୦୦୬କୋଟି ୪୭ଲକ୍ଷ ଟଙ୍କା ମିଳିଥିବାବେଳେ ସେପ୍ଟେମ୍ବରର ଏହା ୨୭୯କୋଟି ୧୫ଲକ୍ଷକୁ ହ୍ରାସ ପାଇଛି । ବଡ ଧରଣର ଅନୁଦାନ କାଟ୍‍ ଯୋଗୁଁ ଏଭଳି ହ୍ରାସ ପାଇଥିବା ଆକଳନ କରାଯାଉଛି । ବଜେଟ୍‍ରେ କେନ୍ଦ୍ରୀୟ ଅନୁଦାନ ଆକାରରେ ୩୨ହଜାର କୋଟି ଟଙ୍କା ମିଳିବ ବୋଲି ହିସାବ କରାଯାଇଥିବାବେଳେ ସେପ୍ଟେମ୍ବର ୩୦ ସୁଦ୍ଧା ମିଳିଛି ମାତ୍ର ୧୨,୩୦୨ କୋଟି ଟଙ୍କା ।

ଗତବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ତୁଳନାରେ ଉଭୟ ନିଜସ୍ୱ ଟିକସ ଓ ଅଣଟିକସ ରାଜସ୍ୱ ହ୍ରାସ ପାଇଛି । ବଜେଟ୍‍ରେ ଉଭୟ ଟିକସ ବାବଦରୁ ୫୬ହଜାର କୋଟି ଟଙ୍କା ମିଳିବ ବୋଲି ଆକଳନ ହୋଇଥିବାବେଳେ ସେପ୍ଟେମ୍ବର ଶେଷସୁଦ୍ଧା ମଳିଛି ୨୧,୨୧୪କୋଟି ୧୩ଲକ୍ଷ ଟଙ୍କା । ଯାହାକି ଆକଳନର ମାତ୍ର ୩୭.୮୮ ପ୍ରତିଶତ । ଅଗଷ୍ଟ ମାସରେ ଉଭୟ ଟିକସ ବାବଦରେ ରାଜକୋଷକୁ ୩୫୪୫କୋଟି ୭ଲକ୍ଷ ଟଙ୍କା ଆସିଥିବାବଳେ ସେପ୍ଟେମ୍ବରରେ ଏହା ୩୪୧୮କୋଟି ୭୯ଲକ୍ଷ ଟଙ୍କାକୁ ହ୍ରାସ ପାଇଛି । ଅଣଟିକସ କ୍ଷେତ୍ରରୁ ଅଗଷ୍ଟ ମାସରେ ୧୧୦୪କୋଟି ୯୫ଲକ୍ଷ ଟଙ୍କା ଆଦାୟ ହୋଇଥିବାବେଳେ ସେପ୍ଟେମ୍ବରରେ ଏହା ୮୯୮କୋଟି ୭ଲକ୍ଷ ଟଙ୍କାକୁ ଖସିଆସିଛି । ତେବେ ନିଜସ୍ୱ ଟିକସ ଆଦାୟ ସେପ୍ଟେମ୍ବରରେ ସାମାନ୍ୟ ବୃଦ୍ଧି ପାଇଛି । ଏ କ୍ଷେତ୍ରରୁ ଅଗଷ୍ଟରେ ୧୫୯୧କୋଟି ଟଙ୍କା ମିଳିଥିବାବେଳେ ସେପ୍ଟେମ୍ବରରେ ମିଳିଛି ୧୬୪୭କୋଟି ୩୭ଲକ୍ଷ ଟଙ୍କା ।

ଖଣି କ୍ଷେତ୍ରରୁ ରାଜକୋଷକୁ ବଡ ସହାୟତା ମିଳିବ ବୋଲି ଆଶା କରାଯାଉଥିବାବେଳେ ଅଗଷ୍ଟ ତୁଳନାରେ କିନ୍ତୁ ସେପ୍ଟେମ୍ବରରେ ଏହି କ୍ଷେତ୍ରରୁ କମ୍‍ ରାଜସ୍ୱ ମିଳିଛି । କେନ୍ଦ୍ରୀୟ ଅଂଶଧନ ଟିକସ ଆଦାୟ ପରିମାଣ ସେପ୍ଟେମ୍ବରରେ ୧୯୪୨କୋଟି ୬୧ଲକ୍ଷ ଟଙ୍କା ରହିଛି ଯାହାକି ଅଗଷ୍ଟ ପରିମାଣ ସହିତ ପ୍ରାୟତଃ ସମାନ । କେନ୍ଦ୍ରୀୟ ଅନୁଦାନ ପରିମାଣ ହ୍ରାସ ପାଇଥିବାରୁ ରାଜ୍ୟର କୋଭିଡ ମୁକାବିଲା ଉପରେ ଏହାର ପ୍ରଭାବ ପଡିବ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି ।

ବିଭିନ୍ନ କ୍ଷେତ୍ରରେ କୋଭିଡ ମହାମାରୀ ଆର୍ଥିକ ଅନିଶ୍ଚିତତା ସୃଷ୍ଟି କରିଥିବାବେଳେ କେନ୍ଦ୍ରୀୟ ଅନୁଦାନ ହ୍ରାସ ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି । ଏଭଳି ସ୍ଥିତିରେ ସ୍ୱାସ୍ଥ୍ୟ, ଭିତ୍ତିଭୂମି ଓ ଜୀବିକା କ୍ଷେତ୍ର ପାଇଁ ରାଜ୍ୟ ସରକାର ଖୋଲା ବଜାରରୁ ଅଧିକ ଋଣ କରିବାକୁ ବାଧ୍ୟହେବ, ଯାହାକୁ କି ସରକାର ତାଙ୍କର ସଫଳ ଆର୍ଥିକ ପରିଚାଳନା ଯୋଗୁଁ ଟାଳିଦେଇ ଆସୁଥିଲେ ।