Home Education କେନ୍ଦ୍ରାଞ୍ଚଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ

କେନ୍ଦ୍ରାଞ୍ଚଳ ଜିଲ୍ଲାରେ କାର୍ଯ୍ୟକ୍ଷମ ହେବ ଆଦର୍ଶ ବିଦ୍ୟାଳୟ

ଭୁବନେଶ୍ୱର : କେନ୍ଦ୍ରୀୟ ରାଜସ୍ୱ ଡିଭିଜନ୍‌ ଅନ୍ତର୍ଗତ ଜିଲ୍ଲାମାନଙ୍କରେ ଓଡ଼ିଶା ଆଦର୍ଶ ବିଦ୍ୟାଳୟଗୁଡ଼ିକ ଶିଘ୍ର କାର୍ଯ୍ୟକ୍ଷମ ହେବ । ଉଚ୍ଚମାନର ଶିକ୍ଷାଦାନ ନିମନ୍ତେ ବିଦ୍ୟାଳୟ ଗୁଡ଼ିକୁ ପୂର୍ଣ୍ଣରୂପେ ପ୍ରସ୍ତୁତ କରିବା ପାଇଁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ନିର୍ଦ୍ଦେଶ ଦେଇଛନ୍ତି ।

ଆଦର୍ଶ ବିଦ୍ୟାଳୟ ଏବଂ ମୋ ସ୍କୁଲ୍‌ କାର୍ଯ୍ୟକ୍ରମ ସମୀକ୍ଷାକରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ ମୋ ସ୍କୁଲ ଏବଂ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଯୋଜନାର କାର୍ଯ୍ୟାନ୍ୱୟନ ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ ।

ଜିଲ୍ଲାୱାରୀ ସ୍ଥିତିର ସମୀକ୍ଷାକରି ଆଦର୍ଶ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା-ଦାନ ଏବଂ ଶିକ୍ଷା-ଗ୍ରହଣ ବ୍ୟବସ୍ଥା ଉପରେ ମୁଖ୍ୟ ଶାସନ ସଚିବ ଗୁରୁତ୍ୱ ଆରୋପ କରିଥିଲେ । ବିଦ୍ୟାଳୟର ଚର୍ତୁପାର୍ଶ୍ୱରେ ସବୁଜ ପାଚେରୀ ନିର୍ମାଣ କରିବା ଏବଂ ବିଦ୍ୟାଳୟ ପରିବେଶରେ ଯେପରି ବର୍ଷାପାଣି ଜମି ନରହେ ସେଥିପାଇଁ ଉପଯୁକ୍ତ ବ୍ୟବସ୍ଥା କରିବା ପାଇଁ ମଧ୍ୟ ଶ୍ରୀ ମହାପାତ୍ର ବିଦ୍ୟାଳୟ ନିର୍ମାଣକାରୀ ବିଭାଗର ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

ବିଦ୍ୟାଳୟକୁ ଭଲ ରାସ୍ତା, ଚର୍ତୁପାର୍ଶ୍ୱରେ ସବୁଜିମାର ବଳୟ, ବିଦ୍ୟାଳୟ କାନ୍ଥମାନଙ୍କରେ ଦୀର୍ଘସ୍ଥାୟୀ ପାଣିପାଗ ସହନଶୀଳ ରଙ୍ଗର ବ୍ୟବହାର ଆଦି ବିଷୟ ଉପରେ ଦୃଷ୍ଟି ଦେବାପାଇଁ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ବରିଷ୍ଠତା ହାସଲ କରିଥିବା ପ୍ରାଥମିକ ବିଦ୍ୟାଳୟର ପ୍ରାୟ ୨୦,୦୦୦ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ପଦୋନ୍ନତି ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ମଧ୍ୟ ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ ଜିଲ୍ଲାପାଳମାନଙ୍କୁ କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଏବେ ସୁଦ୍ଧା ରାଜ୍ୟରେ ୪୩୭୨ଟି ବିଦ୍ୟାଳୟର ରୂପାନ୍ତରଣ ନିମନ୍ତେ ତ୍ୱରାନ୍ୱିତ ପଦକ୍ଷେପ ନିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ୧୦୭୨ଟି ଏବଂ ୨ୟ ପର୍ଯ୍ୟାୟରେ ୩୩୦୦ଟି ବିଦ୍ୟାଳୟର ରୂପାନ୍ତରଣ କାର୍ଯ୍ୟ କରାଯାଉଛି ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସାହୁ କହିଥିଲେ । ଏଥିରେ କେନ୍ଦ୍ରାଞ୍ଚଳ ରାଜସ୍ୱ ଡିଭିଜନ୍‌ ଅନ୍ତର୍ଗତ ୧୭ଟି ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଅଛି ।

ବାଲେଶ୍ୱର ଜିଲ୍ଲାର ଓଉପଡ଼ା ଓ ନିଳଗିରି ବ୍ଲକ୍‌ ; କଟକ ଜିଲ୍ଲାର ଆଠଗଡ଼, ସଦର , ଓ ନରସିଂପୁର ବ୍ଲକ୍‌ ; ଯାଜପୁର ଜିଲ୍ଲାର ବିଂଝାରପୁର ଓ ବଡ଼ଚଣା ବ୍ଲକ୍‌ ; ଖୋର୍ଦ୍ଧା ଜିଲ୍ଲାର ବାଲିଅନ୍ତା, ଖୋର୍ଦ୍ଧା, ଚିଲିକା, ବୋଲଗଡ଼ ଓ ଜଟଣୀ ବ୍ଲକ୍‌ ; ନୟାଗଡ଼ ଜିଲ୍ଲାର ଗଣିଆ, ରଣପୁର, ଖନତାପଡ଼ା ଓ ଭାପୁର ବ୍ଲକ୍‌ ; ଏବଂ , ପୁରୀ ଜିଲ୍ଲାର ସତ୍ୟବାଦୀ ବ୍ଲକ୍‌ରେ ଏହି ସବୁ ବିଦ୍ୟାଳୟ କାର୍ଯ୍ୟକରିବ । ନିଜ ନିଜ ଜିଲ୍ଲା ଅନ୍ତର୍ଗତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଯେପରି ଉଚ୍ଚ ଗ୍ରେଡ୍‌ରେ ପାଶ୍‌ କରିବେ ସେଥିପ୍ରତି ଜିଲ୍ଲାପାଳମାନଙ୍କର ଦୃଷ୍ଟି ଏକାନ୍ତ ଆବଶ୍ୟକ ବୋଲି ମଧ୍ୟ ସେ କହିଥିଲେ ।

ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା, ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା, ଅନୁସୂଚୀତ ଜନଜାତି ଓ ଜାତି ଉନ୍ନୟନ ବିଭାଗ ପ୍ରମୁଖ ଶାସନ ସଚିବ ରଂଜନା ଚୋପ୍ରା, ବିଦ୍ୟାଳୟ ଓ ଗଣଶିକ୍ଷା ପ୍ରମୁଖ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁ, ସୂଚନା ଓ ପ୍ରଯୁକ୍ତିବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ମିଶନ ଶକ୍ତି ବିଭାଗ ଶାସନ ସଚିବ ସୁଜାତା କାର୍ତ୍ତିକେୟାନଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।