Home Agriculture କୃଷକଙ୍କୁ ସୂଚନା ଦେବ ‘କିଷାନ ସାରଥୀ’

କୃଷକଙ୍କୁ ସୂଚନା ଦେବ ‘କିଷାନ ସାରଥୀ’

ନୂଆଦିଲ୍ଲୀ : ଏଣିକି ଡିଜିଟାଲ ପ୍ଲାଟଫର୍ମରେ କୃଷକମାନେ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରରେ ସେମାନଙ୍କ ସମସ୍ୟା ନେଇ ବୈଜ୍ଞାନିକମାନଙ୍କ ସହିତ ସିଧାସଳଖ କଥାବାର୍ତ୍ତା କରିପାରିବେ ବୋଲି କେନ୍ଦ୍ର ସୂଚନା ପ୍ରଯୁକ୍ତି ବିଦ୍ୟାମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି ।

ଠିକ୍ ସମୟରେ କୃଷକମାନଙ୍କୁ ଉପଯୁକ୍ତ ସୂଚନା ସେମାନଙ୍କ ମାତୃଭାଷାରେ ଦେବା ପାଇଁ ‘କିଷାନ ସାରଥୀ’ ନାମକ ଏକ ଡିଜିଟାଲ ପ୍ଲାଟଫର୍ମକୁ କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ବିଜ୍ଞାନ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ୯୩ତମ ପ୍ରତିଷ୍ଠା ଦିବସ ଅବସରରେ ଆଜି ମିଳିତଭାବେ ଉଦ୍ଘାଟନ କରିଛନ୍ତି ।

ଏହି ଅବସରରେ ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ନିଜ ବକ୍ତବ୍ୟରେ କହିଥିଲେ ଯେ, ‘କିଷାନ ସାରଥୀ’ ମାଧ୍ୟମରେ ଦେଶର ଗ୍ରାମାଞ୍ଚଳର କୃଷକମାନଙ୍କୁ ଡିଜିଟାଲ ପଦ୍ଧତି ପ୍ରୟୋଗ କରି ସଶକ୍ତ କରାଯାଇପାରିବ । କୃଷିବିଜ୍ଞାନ କେନ୍ଦ୍ରଗୁଡିକରୁ କୃଷକମାନେ କୃଷି ଏବଂ କୃଷି ସମ୍ପର୍କୀତ ବିଷୟ ନେଇ ରହିଥିବା ସମସ୍ୟାଗୁଡିକ ଉପରେ ଆଲୋଚନା କରିପାରିବେ ।

ଶ୍ରୀ ବୈଷ୍ଣବ ଆହୁରି ମଧ୍ୟ କହିଥିଲେ ଯେ କୃଷକମାନଙ୍କ ଉତ୍ପାଦିତ ପଦାର୍ଥ ସବୁକୁ ଉତ୍ପାଦିତ ସ୍ଥାନରୁ ବିକ୍ରି ପାଇଁ ନିକଟତମ ବଜାର ପର୍ଯ୍ୟନ୍ତ ପରିବହନ ବ୍ୟବସ୍ଥାରେ କ୍ଷତିକୁ ସର୍ବନିମ୍ନସ୍ତରକୁ ଆଣିବା ପାଇଁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ବୈଜ୍ଞାନିକମାନେ ଗବେଷଣା କରିବା ଉଚିତ ।

ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ବିଜ୍ଞାନ ମନ୍ତ୍ରଣାଳୟ ଏବଂ ଯୋଗାଯୋଗ ମନ୍ତ୍ରଣାଳୟର ମନ୍ତ୍ରୀ, କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରଣାଳୟ, ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଚାଷ ମନ୍ତ୍ରଣାଳୟକୁ ସମସ୍ତ ପ୍ରକାର ସହଯୋଗ କରି କୃଷକମାନଙ୍କୁ ସଶକ୍ତ କରିବା ଦିଗରେ ଉଦ୍ୟମ କରିବେ ବୋଲି କହିଥିଲେ । କୃଷିଜାତ ପଦାର୍ଥର ପରିବହନ ସମୟକୁ ସର୍ବନିମ୍ନ ସ୍ତରକୁ ଆଣିବା ପାଇଁ ରେଳମନ୍ତ୍ରଣାଳୟ ଯୋଜନା କରୁଛି ବୋଲି ମଧ୍ୟ କହିଥିଲେ ।

ଭୌଗୋଳିକ ସ୍ଥିତିକୁ ନେଇ କୃଷକମାନଙ୍କୁ ଆବଶ୍ୟକୀୟ ସୂଚନା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବା ପାଇଁ ‘କିଷାନ ସାରଥୀ’ ପ୍ଲାଟଫର୍ମ ପ୍ରସ୍ତୁତ କରିଥିବାରୁ ଭାରତୀୟ କୃଷି ଅନୁସନ୍ଧାନ ପରିଷଦକୁ ମନ୍ତ୍ରୀ ଶ୍ରୀବୈଷ୍ଣବ ଧନ୍ୟବାଦ ଜଣାଇଥିଲେ ।

ଏହି ଉପଲକ୍ଷେ ଆୟୋଜିତ ଭିଡିଓ କନ୍ଫରେନ୍ସିଂ ସମ୍ମିଳନୀରେ ମତ୍ସ୍ୟ ପଶୁପାଳନ ଏବଂ ଦୁଗ୍ଧ ଚାଷ ମନ୍ତ୍ରୀ ପୁରୁଷୋତମ ରୂପାଲା ସଭାପତିତ୍ୱ କରିଥିଲେ । କୃଷି ଏବଂ କୃଷକ କଲ୍ୟାଣ ରାଜ୍ୟମନ୍ତ୍ରୀ କୈଳାସ ଚୌଧୁରୀ ଏବଂ ରାଜ୍ୟମନ୍ତ୍ରୀ ଶୋଭା କରନଡଲ୍ଲାଜେ ମଧ୍ୟ ଉପସ୍ଥିତ ଥିଲେ ।

ଏହି ଭର୍ଚୁଆଲ ସମ୍ମିଳନୀରେ ଇଲେକ୍ଟ୍ରୋନିକ୍ସ ଓ ସୂଚନା ବିଜ୍ଞାନ ମନ୍ତ୍ରଣାଳୟ ସଚିବ ଅଜୟ ସାହାନେ, ଭାରତୀୟ କୃଷି ଅନୁସନ୍ଧାନ ପରିଷଦର ମହାନିର୍ଦ୍ଦେଶକ ତଥା ସଚିବ ଡକ୍ଟର ତ୍ରିଲୋଚନ ମହାପାତ୍ର, ଡିଜିଟାଲ ଇଣ୍ଡିଆ କର୍ପୋରେସନର ମୁଖ୍ୟ ନିର୍ବାହୀ ଅଧିକାରୀ ଏବଂ ପରିଚାଳନା ନିର୍ଦ୍ଦେଶକ ଅଭିଷେକ ସିଂ ତଥା ଏହିସବୁ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ସମଗ୍ର ଦେଶର କୃଷକ, କୃଷି ସମ୍ପର୍କୀତ କ୍ଷେତ୍ରର ଭାଗିଦାରୀମାନେ, କୃଷିବିଜ୍ଞାନ କେନ୍ଦ୍ର, ସୂଚନା ପ୍ରଯୁକ୍ତି କ୍ଷେତ୍ର ସହ ସମ୍ପୃକ୍ତ ବ୍ୟକ୍ତିମାନେ, କୃଷି ସମ୍ପ୍ରସାରଣ ନିର୍ଦ୍ଦେଶାଳୟ ସହ ସମ୍ପର୍କୀତ ଅଧିକାରୀମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ ।