Home News in Odia କୁହୁଡି ପାଇଁ ପରିବହନ ବିଭାଗର ପରାମର୍ଶ

କୁହୁଡି ପାଇଁ ପରିବହନ ବିଭାଗର ପରାମର୍ଶ

ଭୁବନେଶ୍ୱର : ରାଜ୍ୟରେ ଆଜିକାଲି ଘନ କୁହୁଡି ହେଉଥିବାରୁ ରାସ୍ତାରେ ବହୁ ମାତ୍ର ରେ ସଡକ ଦୁର୍ଘଟଣା ହେବାର ଆଶଙ୍କା ରହିଅଛି । ଘନ କୁହୁଡି ସମୟରେ ସଡ଼କ ବ୍ୟବହାରକାରୀ ମାନଙ୍କ ଦ୍ୱାରା ନିମ୍ନ ଦୃଶ୍ୟମାନତା ଓ  ସମ୍ଭାବ୍ୟ ଦୁର୍ଘଟଣାର ସମସ୍ୟା କୁ ଏଡେଇବା ପାଇଁ ରାଜ୍ୟରେ ପରିବହନ ବିଭାଗ ଦ୍ୱାରା କିଛି ପରାମର୍ଶ ଜାରି କରାଯାଇଅଛି।

ଏହାକୁ ଦୃଷ୍ଟିରେ ରଖି ସୁରକ୍ଷାକୁ ପ୍ରାଥମିକତା ଦେଇ ନାଗରିକମାନଙ୍କୁ ନିମ୍ନଲିଖିତ ପଦକ୍ଷେପ ଗ୍ରହଣ କରିବାକୁ ପରିବହନ ବିଭାଗ ଅନୁରୋଧ କରିଛି । ସେଥି ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବାରେ ବିଳମ୍ବ ହେଉ ପଛେ ଗାଡି ଧୀରେ ଚଳାନ୍ତୁ ।

ରାସ୍ତାରେ ଗାଡିଗୁଡିକ ମଧ୍ୟରେ ପର୍ଯ୍ୟାପ୍ତ ଦୂରତା ବଜାୟ ରଖନ୍ତୁ ଯାହା ଦ୍ୱାରା ଠିକ ସମୟରେ ଗାଡିରେ ବ୍ରେକ ର ଉପଯୋଗ କରାଯାଇପାରିବ । କୁହୁଡିରେ ଗାଡି ଚଳାଇବା ସମୟରେ ସବୁବେଳେ ହେଡ୍ ଲାଇଟ୍ ଲଗାଇ ରଖନ୍ତୁ । କୁହୁଡି ସମୟରେ ରାସ୍ତା ର ଦୃଶ୍ୟମାନତା ବୃଦ୍ଧି କରିବା ପାଇଁ ଫୋଗ ଲ୍ୟାମ୍ପ ବ୍ୟବହାର କରନ୍ତୁ ।

କୁହୁଡିରେ ଗାଡି ଚଳାଇବା ସମୟରେ ସଡକ ଚିହ୍ନ ତଥା ଅନ୍ୟ ସଡକ ସଂକେତ ଉପରେ ନଜର ରଖନ୍ତୁ | ରାସ୍ତାର ମୋଡ ଗୁଡିକରେ ସାବଧାନତା ଅବଲମ୍ବନ କରନ୍ତୁ । କୁହୁଡି ସମୟରେ ଏକାଗ୍ରତା ସହ ଗାଡି ଚଳାନ୍ତୁ ଏବଂ ମୋବାଇଲ, ଇୟରଫୋନ୍ ତଥା ଉଚ୍ଚ ସ୍ୱରରେ ସଙ୍ଗୀତଠୁ ଦୁରେଇ ରୁହନ୍ତୁ ।

ରାଜ୍ୟ ପରିବହନ ପ୍ରାଧିକରଣ ଙ୍କ ସୋସିଆଲ ମିଡ଼ିଆରେ ରାଜ୍ୟର ଦୈନିକ କୁହୁଡି ରିପୋର୍ଟ ପୋଷ୍ଟ କରାଯିବ | ନାଗରିକମାନଙ୍କୁ ଅନୁରୋଧ, ରାଜ୍ୟ ପରିବହନ ପ୍ରାଧିକରଣ ଙ୍କ ସୋସିଆଲ ମିଡ଼ିଆକୁ ଅନୁସରଣ କରନ୍ତୁ ଓ ଦୈନିକ କୁହୁଡି ରିପୋର୍ଟକୁ ଯାଞ୍ଚ କରନ୍ତୁ ଏବଂ ସେହି ଅନୁଯାୟୀ ନିଜର ଯାତ୍ରା ଯୋଜନା ନିର୍ଦ୍ଧାରଣ କରନ୍ତୁ ।