Home Environment କୁକୁର ମଳରେ ଗନ୍ଧଉଛି ସ୍ମାର୍ଟସିଟି

କୁକୁର ମଳରେ ଗନ୍ଧଉଛି ସ୍ମାର୍ଟସିଟି

ଭୁବନେଶ୍ୱର କୁକୁର ମଳରେ ଏବେ ସ୍ମାର୍ଟସିଟି ଭୁବନେଶ୍ୱର ଗନ୍ଧାଉଛି । ରାସ୍ତାଘାଟ, ପାର୍କ, ଡାକ୍ତରଖାନା, ସରକାରୀ ଦପ୍ତର ଯୁଆଡେ ଦେଖିବ ମାଳ ମାଳ ବୁଲାକୁକୁର ଓ ସେମାନଙ୍କ ମଳତ୍ୟାଗ । ଅବସ୍ଥା ଏଭଳି ହେଲାଣି ଯେ ରାସ୍ତାଘାଟରେ ଲୋକେ ନାକରେ ହାତ ଦେଇ ଯା ଆସ କଲେଣି ।

ସ୍ମାର୍ଟସିଟିରେ କୁକୁର ବନ୍ଧ୍ୟାକରଣ ଯୋଜନା ଫେଲ ମାରିବାପରେ ଏବେ ଯୁଆଡେ ଦେଖିବ ମାଳ ମାଳ ବୁଲା କୁକୁରଙ୍କ ରାଜୁତି । ରାସ୍ତାଘାଟରେ ମଳ ତ୍ୟାଗ ଯୋଗୁଁ ରାଜଧାନୀ ଏବେ ପୂତ୍ତି ଗନ୍ଧମୟ ଅବସ୍ଥା । ବୁଲା କୁକୁରଙ୍କ ମଳତ୍ୟାଗରୁ ରକ୍ଷା ପାଇବାପାଇଁ ଅନେକ ଲୋକ ଏବେ ନିଜ ଘର ଆଗରେ ନାଲିରଙ୍ଗ ଭର୍ତ୍ତି ବୋତଲ ଝୁଲାଇଲେଣି । କିଏ କିଏ ତ ରାତି ପାହିଲେ ଘର ସମ୍ମୁଖରୁ କୁକୁରମାନଙ୍କୁ ଘଉଡାଇବାପାଇଁ ଜଗି ବସୁଛନ୍ତି ।

ତେବେ ସହରର ମୁଖ୍ୟ ରାସ୍ତା ଠାରୁ ଆରମ୍ଭକରି ଗଳିକନ୍ଦି ରାସ୍ତା ସବୁ ଏବେ ବୁଲା କୁକୁରଙ୍କ ଶୌଚାଳୟ ପାଲଟିଛି । ରାତି ପାହିଲା ବେଳକୁ ରାସ୍ତାଘାଟ କୁକୁରଙ୍କ ମଳରେ ପୂତ୍ତିଗନ୍ଧମୟ ହୋଇ ଉଠୁଛି । ଏଥିଯୋଗୁଁ ସ୍ୱାସ୍ଥ୍ୟରକ୍ଷା ପାଇଁ ସକାଳୁ ଚାଲିବାପାଇଁ ଘରୁ ବାହାରୁଥିବା ଲୋକେ ଅତ୍ୟନ୍ତ ଦୁର୍ଗନ୍ଧ ପରିବେଶରେ ସମୟ କାଟୁଛନ୍ତି ।

କୁକୁରମାନଙ୍କୁ ନିୟନ୍ତ୍ରଣ ପାଇଁ ବିଏମ୍‍ସିର ପ୍ରାୟ ସମସ୍ତ ଯୋଜନା ଏକ ପ୍ରକାର ଫେଲ ମାରିଛି । ଯଦି କେଉଁଠାରୁ କାଁ ଭାଁ ଅଭିଯୋଗ ଆସୁଛି ତେବେ ବିଏମ୍‍ସି କର୍ମଚାରୀମାନେ ଯାଇ ସେହି ଅଞ୍ଚଳରୁ ୮/୧୦ଟି ବୁଲା କୁକୁରଙ୍କୁ ଧରି ନେଇ ଯାଉଛନ୍ତି । ହେଲେ ରାଜଧାନୀରେ ଏବେ ବୁଲା କୁକୁରଙ୍କ ସଂଖ୍ୟା ଯେତିକି ରହିଛି ସେମାନଙ୍କୁ ଧରିବା ଏକ ପ୍ରକାର ଅସମ୍ଭବ ବ୍ୟାପର ବୋଲି ବିଏମ୍‍ସିର କିଛି କର୍ମଚାରୀ ମତ ଦେଉଛନ୍ତି ।

ବନ୍ଧ୍ୟାକରଣ ମାଧ୍ୟମରେ କୁକୁର ବଂଶ ହ୍ରାସ ପାଇଁ ହୋଇଥିବା ଯୋଜନା ବି ଫେଲ ମାରିଛି । କାରଣ ସହରରେ ଯେଉଁଭଳି ହାରରେ ବୁଲା କୁକୁରଙ୍କ ସଂଖ୍ୟା ବୃଦ୍ଧି ପାଉଛି ସେଥିରୁ ବନ୍ଧ୍ୟାକରଣ ବାବଦରେ ବ୍ୟୟ ହେଉଥିବା ଲକ୍ଷାଧିକ ଟଙ୍କା ଉପରେ ପ୍ରଶ୍ନ ଉଠିଲାଣି । ଯଦି କର୍ତ୍ତୃପକ୍ଷ ବ୍ୟାପକ ଅର୍ଥ ବ୍ୟୟକରି କୁକୁରମାନଙ୍କ ବନ୍ଧ୍ୟାକରଣ କରୁଛନ୍ତି ତେବେ ସଂଖ୍ୟା କାହିଁକି ବଢୁଛି ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ।

ଅନ୍ୟ ପକ୍ଷରେ ଖାଲି କୁକୁରମଳ ଯୋଗୁଁ ସ୍ମାର୍ଟସିଟିବାସୀ ଅତିଷ୍ଠ ହେଉନାହାନ୍ତି, କୁକୁରଙ୍କ ଆକ୍ରମଣରେ ବି ଲୋକେ ଖଣ୍ଡିଆ ଖାବରା ହେଉଛନ୍ତି । ବିଶେଷକରି ଯେଉଁମାନେ ବିଳମ୍ବିତ ରାତ୍ରୀରେ କୌଣସି ଜରୁରୀ କାମରେ ଘରୁ ବାହାରୁଛନ୍ତି ସେମାନେ ଏହି ବୁଲାକୁକୁରଙ୍କ ଆକ୍ରମଣର ଶିକାର ହେଉଛନ୍ତି । ଦୁଇ ଚକିଆ ଯାନ ଦେଖିଲେ ମାଳ ମାଳ କୁକୁର କାମୁଡିବାକୁ ଗୋଡାଉଛନ୍ତି । କିଏ କୁକୁର କାମୁଡା ଖାଇ ତ ଆଉ କିଏ ଭୟରେ ଗାଡିରୁ ପଡି ଡାକ୍ତରଖାନା ଯାଉଛନ୍ତି ।

ବିଏମ୍‍ସି କର୍ତ୍ତୃପକ୍ଷ ଏବେ ରାସ୍ତାଘାଟ ସଫା ଉପରେ ଗୁରୁତ୍ୱ ଦେଉଥିବାବେଳେ ବୁଲାକୁକୁରମାନେ ଏ କ୍ଷେତ୍ରରେ ବଡ ପ୍ରତିବନ୍ଧକ ସାଜିଛନ୍ତି । ରାସ୍ତାଘାଟରେ ଏମାନଙ୍କ ମଳତ୍ୟାଗ ଯୋଗୁଁ ସଫେଇ କର୍ମଚାରୀମାନେ ଝାଡୁ ମାରିବାକୁ ପଛଉ ଥିବାବେଳେ ଯାନ୍ତ୍ରିକ ସଫେଇ ଗାଡି ପରିବେଶକୁ ଅତ୍ୟନ୍ତ ଅପରିଷ୍କାର କରୁଛି । ତେଣୁ ବିଏମ୍‍ସି କର୍ତ୍ତୃପକ୍ଷ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବା ସହିତ ସହରର କୁକୁରବଂଶ ହ୍ରାସ ଉପରେ ପଦକ୍ଷେପ ନେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)