Home Agriculture କୁକୁଡା ଚାଷୀ କ୍ଷତିଗ୍ରସ୍ତ

କୁକୁଡା ଚାଷୀ କ୍ଷତିଗ୍ରସ୍ତ

ଭୁବନେଶ୍ୱର : ବାତ୍ୟା ଜୱାଦ ବାଟ ଭାଙ୍ଗି ଓଡିଶା ଉପକୂଳରୁ ଦୂରେଇ ଯାଇଥିବାବେଳେ ଏହାର ପ୍ରଭାବ ଆଶଙ୍କାରେ କୁକୁଡାଚାଷୀମାନେ ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛନ୍ତି । ବିଶେଷକରି ପୂର୍ବରୁ ଫନି ଓ ଅନ୍ୟାନ୍ୟ ବାତ୍ୟାରେ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିବା ପୁରୀ ଜିଲ୍ଲାର କୁକୁଡାଚାଷୀମାନେ ଆତଙ୍କିତ ହୋଇ ନିଜ ନିଜ ଫାର୍ମରୁ କୁକୁଡା ବିକ୍ରି କରିଥିବା ଜଣାଯାଇଛି ।

ବାତ୍ୟା ଜୱାଦ ପୁରୀରେ ମାଡ ହେବବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପରେ କୁକୁଡାଚାଷୀମାନେ ଆତଙ୍କିତ ହୋଇପଡିଥିଲେ । ତେଣୁ ଯେତେଶୀଘ୍ର ସମ୍ଭବ କୁକୁଡାଫାର୍ମ ଖାଲି ପାଇଁ ଲାଗି ପଡିଥିଲେ । ଯେଉଁ ସବୁ କମ୍ପାନୀମାନେ କୁକୁଡାଚିଆଁ ପକାଇଥିଲେ ସେମାନଙ୍କୁ ଖବର ଦେବା ସହିତ ତୁରନ୍ତ କୁକୁଡା ଉଠାଇବାକୁ କହିଥିଲେ ।

କୁକୁଡା ଚାଷୀଙ୍କ ମତରେ ସାଧାରଣତଃ ୪୦ ରୁ ୪୫ ଦିନରେ କୁକୁଡାଗୁଡିକ ବିକ୍ରିଯୋଗ୍ୟ ହୋଇଥାନ୍ତି । ହେଲେ ବାତ୍ୟା ଭୟରେ କିଏ ୩୦ ଦିନର ତ ଆଉ କିଏ ୩୫ଦିନର କୁକୁଡାଙ୍କୁ ବିକ୍ରି କରିଦେଇଛି । ଏହାଫଳରେ ଲାଭ ବଦଳରେ ଅନେକ କ୍ଷତି ସହିଛନ୍ତି । କାରଣ ଗତ ଫନି ବାତ୍ୟା ସମୟରେ ସେମାନେ ଯେଉଁ କ୍ଷତି ସହିଥିଲେ ସେହି ଭୟ ମନରୁ ଯାଇନାହିଁ । ତେଣୁ କ୍ଷତି ହେଉପଛେ ଅନେକ ଛୋଟ ଛୋଟ କୁକୁଡାଙ୍କୁ ଢେର ଆଗରୁ ବିକ୍ରି କରିଦେଇଛନ୍ତି ।

ତେବେ ଓଡିଶାରେ ବାତ୍ୟା ଭୟକୁ ଦେଖି ବଡ ବଡ କମ୍ପାନୀମାନେ କୁକୁଡାଗୁଡିକୁ ରାତାରାତି ଛତିଶଗଡ, ରାୟପୁର, ହାଇଦ୍ରାବାଦ, ଝାଡଖଣ୍ଡ ଆଦି ରାଜ୍ୟକୁ ନେଇ ଯାଇଛନ୍ତି । ଏପରିକି ଛୋଟ ଛୋଟ ଗାଡିରେ କୁକୁଡା ନେଉଥିବା ଏହି କମ୍ପାନୀମାନେ ରାତି ଅଧରେ ବଡ ବହ ଟ୍ରକ ଲଗାଇ ପୁରୀ ଜିଲ୍ଲାର ବିଭିନ୍ନ ଫାର୍ମରୁ କୁକୁଡା ଉଠାଣି କରିଥିବା ଦେଖିବାକୁ ମିଳିଛି । କେତେକ ସ୍ଥାନରେ କୁକୁଡାଫାର୍ମ ନିକଟକୁ ବଡ ବଡ ଟ୍ରକ ପଶିନପାରିବାରୁ କୁକୁଡା ଚାଷୀମାନେ ନିଜ ଖର୍ଚ୍ଚରେ କୁକୁଡା ପରିବହନ କରିଛନ୍ତି ।

ସେହିଭଳି ଠିକଣା ସମୟରେ କୁକୁଡା ବିକ୍ରି କରି କିଛି ଚାଷୀଙ୍କୁ କମ୍ପାନୀ ଯେଉଁ ପ୍ରୋତ୍ସାହନ ରାଶି ଦେଉଥିଲା ତାହା ବି ବାତ୍ୟା ଯୋଗୁଁ ଉପକୂଳ ଜିଲ୍ଲାର କୁକୁଡାଚାଷୀମାନେ ହରାଇଛନ୍ତି । ତେବେ ବାତ୍ୟା ସମୁଦ୍ରରେ ବାଟ ଭାଙ୍ଗି ଯିବାପରେ ଯଦିଓ ଅନେକ କୁକୁଡାଚାଷୀ ଆଶ୍ୱସ୍ତ ହୋଇଛନ୍ତି ତେବେ ବାତ୍ୟା ଭୟରେ ସେମାନେ କ୍ଷତି ସହିଥିବା ଦର୍ଶାଇଛନ୍ତି । ଉପକୂଳ ଜିଲ୍ଲାରେ ବାରମ୍ବାର ସୃଷ୍ଟି ହେଉଥିବା ବାତ୍ୟା କୁକୁଡା ଚାଷ ପାଇଁ ବିପଦ ସୃଷ୍ଟି କରୁଥିବାରୁ ବାତ୍ୟା ସହନଶୀଳ କୁକୁଡା ଫାର୍ମ ନିର୍ମାଣ ଓ ଆନୁଷଙ୍ଗିକ ସୁବିଧା ସୁଯୋଗ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି କୁକୁଡାଚାଷୀମାନେ ମତ ଦେଇଛନ୍ତି । (ତଥ୍ୟ)