Home News in Odia କାଶୀପୁର ହଇଜା ମୃତ୍ୟୁ ମନୁଷ୍ୟକୃତ

କାଶୀପୁର ହଇଜା ମୃତ୍ୟୁ ମନୁଷ୍ୟକୃତ

ଭୁବନେଶ୍ୱର : କାଶୀପୁର ହଇଜା ଘଟଣା ସଂପୂର୍ଣ୍ଣ ମନୁଷ୍ୟକୃତ ଏବଂ ଏହି ପରିସ୍ଥିତି ପାଇଁ ରାଜ୍ୟ ସରକାର ସଂପୂର୍ଣ୍ଣ ଦାୟୀ ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ।

ଏଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି କହିଛନ୍ତି ଯେ କାଶୀପୁରରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଅଂଚଳବାସୀ ଦୂଷିତ ପାନୀୟ ଜଳ ପିଇବା ଏବଂ ବିଷାକ୍ତ ଖାଦ୍ୟ ଖାଉଥିବାରୁ ଝାଡା, ବାନ୍ତିରେ ପଡ଼ିଛନ୍ତି । ନିଜ ଆବଶ୍ୟକତା ପୂରଣ କରିବା ପାଇଁ ଆଜି ବି କେନାଲ ପାଣି ଉପରେ ନିର୍ଭର କରୁଥିବା କାଶୀପୁର ଅଂଚଳବାସୀଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବା ବ୍ୟବସ୍ଥାରୁ ବଂଚିତ ରଖିଛନ୍ତି ରାଜ୍ୟ ସରକାର ।

ଘଟଣାର ସତ୍ୟାସତ୍ୟ ଏବଂ ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ଶ୍ରୀ ମାଝୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଗତ ୨୪ ତାରିଖ ଦିନ କାଶୀପୁର ବ୍ଲକ, ଟିଲିରି ଏବଂ ଆଖପାଖ ଅଂଚଳ ଗସ୍ତ କରିଥିଲ।। ଗସ୍ତ ଏବଂ ଘଟଣା ସଂପର୍କରେ ସୂଚନା ଦେଇ ଆଜି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝୀ କହିଛନ୍ତି ଯେ, ଯେଉଁ ଅଭାବ ଅନଟନର ଚିତ୍ର ଦେଖାଦେଇଛି, ତାହା ରାଜ୍ୟ ସରକାରଙ୍କ ସମସ୍ତ ବିକାଶର ଦାବି ପ୍ରତି ନିଷ୍ଠୁର ଉପହାସ । ୨୦୦୨ ମସିହାଠାରୁ ସେ ଅଂଚଳରେ ପ୍ରାୟ ପ୍ରତିବର୍ଷ ଝାଡାବାନ୍ତି ଓ ହଇଜା କାରଣରୁ ବହୁ ସଂଖ୍ୟାରେ ପ୍ରାଣହାନି ହେଉଛି ।

୨୦୦୭ରେ ଏହା ମହାମାରୀର ରୂପ ନେବା ସହିତ କାଶୀପୁର ବ୍ଲକ ସଂଲଗ୍ନ ଅଂଚଳ କଳାହାଣ୍ଡିର ଥୁଆମୂଳ, ରାମପୁର, କୋରାପୁଟର ଲକ୍ଷ୍ମୀପୁର ଓ ଗଜପତି ଜିଲ୍ଲାର ମୋହନା ବ୍ଲକକୁ ମଧ୍ୟ ସଂକ୍ରମିତ ହୋଇଥିଲା । ରାଜ୍ୟ ସରକାର ବର୍ତମାନ ସୁଦ୍ଧା ଏହାକୁ ନିୟନ୍ତ୍ରଣ କରିବାକୁ ଅସମର୍ଥ ହୋଇଥିବାରୁ ଆଜି ଏହା କଲେରା ଭଳି ମହାମାରୀ ରୂପ ନେଇଛି । ଏହି ସମସ୍ୟା କେବଳ ସ୍ୱାସ୍ଥ୍ୟଗତ କାରଣରୁ ନୁହେଁ, ବରଂ ସୁଷମ ଖାଦ୍ୟ ଓ ପାନୀୟ ଜଳ ଅଭାବ ହେଉଛି ମୁଖ୍ୟ କାରଣ । ଆଜି ସୁଦ୍ଧା କାଶୀପୁରରେ ୧୪ଜଣ ଆଦିବାସୀଙ୍କର ଜୀବନ ଅକାଳରେ ଝଡି ଯାଇଛି ଏବଂ ଶତାଧିକ ଚିକିତ୍ସାଧୀନ ।

୧୯୯୯ ମସିହାରେ ଶତାଧିକ ଆଦିବାସୀ ପ୍ରାଣ ହରାଇଥିବାରୁ କାଶୀପୁର ବିଶ୍ୱର ଏକ ଚର୍ଚ୍ଚିତ ବିଷୟ ପାଲଟି ଯାଇଥିଲା । ଏହା ଅର୍ନ୍ତରାଷ୍ଟ୍ରୀୟ ସ୍ତରରେ ଓଡିଶାର ଛବିକୁ ଅତ୍ୟନ୍ତ ମଳିନ କରିଥିଲା । ଗୋଟିଏ ପଟେ କଳାହାଣ୍ଡିରେ ଅନାହାର ମୃତ୍ୟୁ, ପିଲା ବିକ୍ରି ଏବଂ ଅନ୍ୟପଟେ ରାୟଗଡାରେ ଅଖାଦ୍ୟ ଖାଇ ଝାଡାବାନ୍ତିରେ ଆଦିବାସୀଙ୍କ ମୃତ୍ୟୁ ଏକ ଖରାପ ପରିଚୟ ଆଣି ଦେଇଥିଲା ଓଡିଶାକୁ । ଦୀର୍ଘ ୨୨ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ଶାସନ କ୍ଷମତାରେ ଥିବା ସତ୍ୱେ ଏହି ସମସ୍ୟାର ସମାଧାନ ହୋଇନପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମାଝୀ କହିଛନ୍ତି ।

ଖାଦ୍ୟ ସୁରକ୍ଷା ଯୋଜନାର ଆଂଚଳିକ ବିଫଳତା ଏବଂ ପିଇବାପାଣି ନ ପାଇ ସ୍ଥାନୀୟ ଲୋକେ ଆମ୍ବ ଟାକୁଆ ଖାଇବାକୁ ବାଧ୍ୟ ହେଉଛନ୍ତି । ଶୁଦ୍ଧ ପାନୀୟ ଜଳ ନପାଇ ଅଂଚଳବାସୀ ଝରଣା, ନଦୀନାଳ ପାଣି ପିଇବାକୁ ବାଧ୍ୟ ହେଉଛନ୍ତି । କାଶୀପୁର ବ୍ଲକର ବିଭିନ୍ନ ଗାଁରେ ୫ବର୍ଷ ହେଲା ଲୋକଙ୍କର ପଡି କାର୍ଡ ନାହିଁ । ସେମାନଙ୍କୁ ନା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ୍ ନା ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାର ଚାଉଳ ମିଳୁଛି । କାହିଁକି ଆଦିବାସୀମାନଙ୍କୁ ୫ବର୍ଷ ହେଲା କଂଟ୍ରୋଲ୍ ସାମଗ୍ରୀ ଯୋଗାଇ ଦିଆଯାଇନାହିଁ ସେ ବାବଦରେ ସରକାର ସ୍ପଷ୍ଟୀକରଣ ଦେବାକୁ ଶ୍ରୀ ମାଝୀ ଦାବୀ କରିଛନ୍ତି ।