Home Health କାର୍ୟ୍ୟକ୍ଷେତ୍ର ନିକଟରେ ଟୀକା

କାର୍ୟ୍ୟକ୍ଷେତ୍ର ନିକଟରେ ଟୀକା

ସ୍ୱାସ୍ଥ୍ୟ ସେବା କର୍ମଚାରୀମାନଙ୍କୁ ସେମାନଙ୍କ କାର୍ୟ୍ୟକ୍ଷେତ୍ର ନିକଟରେ କରୋନା ଟୀକା ଦିଆଯିବ । ଟୀକା ପ୍ରଦାନ ପାଇଁ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ତାଲିକା ପ୍ରସ୍ତୁତ ପରେ ଏଭଳି ନିଷ୍ପତ୍ତି ନିଆଯାଇଛି ।

କରୋନା ଯୁଦ୍ଧରେ ଆଗଧାଡିରେ ଥିବା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କୁ ଅଗ୍ରାଧିକାର ଭିତ୍ତିରେ କୋଭିଡ ଟୀକା ଦେବାପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେବା ସହିତ ଏମାନଙ୍କ ତାଲିକା ପ୍ରସ୍ତୁତ ପାଇଁ ରାଜ୍ୟ ସରକାରଙ୍କୁ କହିଥିଲେ । ତଦନୁଯାୟୀ ରାଜ୍ୟ ସରକାର ସମସ୍ତ ସରକାରୀ, ଘରୋଇ ଚିକିତ୍ସାକେନ୍ଦ୍ର ସହିତ ଅଙ୍ଗନବାଡି ଓ ଆଶା କର୍ମଚାରୀଙ୍କ ତଥ୍ୟ ସଂଗ୍ରହ ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗକୁ କହିଥିଲେ ।

ବର୍ତ୍ତମାନ ସୁଦ୍ଧା ୩୭୫୨ଟି ସରକାରୀ ଏବଂ ଘରୋଇ ସ୍ୱାସ୍ଥ୍ୟସେବା ଅନୁଷ୍ଠାନ ତାଲିକାଭୁକ୍ତ ହୋଇଥିବାବେଳେ ମୋଟ୍‍ ୩,୦୮,୮୮୯ ବ୍ୟକ୍ତିଙ୍କୁ ଏଥିପାଇଁ ଚିହ୍ନଟ କରାଯାଇଛି । ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ପରେ ମୋଟ୍‍ ୯୮ ପ୍ରତିଶତ ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ତଥ୍ୟ ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ ଯେ ଟୀକାକରଣ ପାଇଁ ଗତମାସ ଶେଷ ସୁଦ୍ଧା ସ୍ୱାସ୍ଥ୍ୟ ସେବା କର୍ମଚାରୀଙ୍କ ତଥ୍ୟ ଅପ୍‍ଲୋଡ କରିବାପାଇଁ କୁହାଯାଇଥିଲା ।

ତେବେ କୋଭିଡ ଟୀକା ପ୍ରଦାନ ପାଇଁ ସରକାର ଆଉ ପାଦେ ଆଗକୁ ଯିବା ସହିତ ଟୀକା ଯେଭଳି ସୁରୁଖୁରୁରେ ବିଭିନ୍ନ ସ୍ଥାନରେ ପହିଞ୍ଚିପାରିବ ସେଥିପାଇଁ ଅଭିଜ୍ଞ ପରିବହନ ସଂସ୍ଥାକୁ ନିୟୋଜିତ କରିବା ସହିତ ଅତିରିକ୍ତ କୋଲ୍ଡ ଚେନ୍‍ ବ୍ୟବସ୍ଥା ଲାଗି ଯୋଜନା କରିଛନ୍ତି ।