Home General କାର୍ଯ୍ୟକାରୀ ହେଉନି କରୋନା ମାର୍ଗଦର୍ଶିକା

କାର୍ଯ୍ୟକାରୀ ହେଉନି କରୋନା ମାର୍ଗଦର୍ଶିକା

ଭୁବନେଶ୍ୱର : କରୋନା ନିୟନ୍ତ୍ରଣ ପାଇଁ ଜାରି କରାଯାଇଥିବା ନୂଆ ମାର୍ଗଦର୍ଶିକାରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ, ଧୂମପାନ, ଗୁଟ୍‍ଖା, ପାନମସଲା ଓ ଅନ୍ୟାନ୍ୟ ନିଶାଦ୍ରବ୍ୟ ସେବନ ଓ ଛେପ ପକାଇବା ଉପରେ କଡା କଟକଣା ଜାରି କରାଯାଇଥିବାବେଳେ ଏହା କିନ୍ତୁ ଠିକଣା ଭାବେ କାର୍ଯ୍ୟକାରୀ ହେଉନାହିଁ ।

ଗତବର୍ଷ କରୋନା ଲାଗି ଲକ୍‍ଡାଉନ୍‍, ସଟ୍‍ଡାଉନ, କର୍ଫ୍ୟୁ, କଣ୍ଟେନମେଣ୍ଟ ଜୋନ୍‍ ଇତ୍ୟାଦି ଘୋଷଣଶ କରାଯାଉଥିବାବେଳ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, ଆଇସିଏମ୍‍ଆର ଏବଂ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ପ୍ରସ୍ତାବ ଅନୁଯାୟୀ ମଦ, ବିଡି, ସିଗାରେଟ, ଗୁଟ୍‍ଖା, ପାନ ଦୋକାନଆଦି ବନ୍ଦକରି ଦିଆଯାଇଥିଲା । ଫଳରେ ସର୍ବସାଧାରଣ ସ୍ଥାନରେ କରୋନା ଓ ଅନ୍ୟ ରୋଗ ବୃଦ୍ଧିରେ ସହାୟକ ହେଉଥିବା ଏହି ନିଶା ସାମଗ୍ରୀଗୁଡିକୁ ନିଶାଡିମାନେ ସେବନ ଲାଗି ଭୟ କରୁଥିଲେ । ସେତେବେଳେ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ କଡା ପୁଲିସ୍‍ ପେଟ୍ରୋଲିଂ ଚାଲୁଥିଲା ଓ ଉଲ୍ଲଙ୍ଘନକାରୀମାନଙ୍କୁ ଧରିବାମାତ୍ରେ ପୁଲିସ୍‍ ଦଣ୍ଡିତ କରୁଥିଲା । ଏମିତିକି ଜୋରିମାନା ଆଦାୟ ସହ ଅମାନିଆମାନଙ୍କୁ ମାଡ ଦେଇ, ରାସ୍ତାରେ ବସ ଉଠୁ କରାଇ ପୁଲିସ୍‍ ଶୃଙ୍ଖଳିତ କରୁଥିଲା ।

ଏବେ କିନ୍ତୁ ନିଶାଡିମାନେ ସେମାନଙ୍କ ଅଭ୍ୟାସ ଛାଡିବାକୁ ପ୍ରସ୍ତୁତ ନୁହନ୍ତି । ରାସ୍ତାଘାଟ, ପାର୍କ ଠାରୁ ଆରମ୍ଭକରି ଯେକୌଣସି ସର୍ବସାଧାରଣ ସ୍ଥାନରେ ସେମାନେ ଖାଲି ମଦ, ବିଡି, ସିଗାରେଟ ନୁହେଁ ବ୍ରାଉନସୁଗାର ଚରସ ଇତ୍ୟାଦି ସର୍ବସାଧାରଣ ସ୍ଥାନରେ ବ୍ୟବହାର କରୁଛନ୍ତି । ଖଣ୍ଡଗିରି ଠାରୁ ଆରମ୍ଭ କରି ବୁଦ୍ଧପାର୍କ, ଇନ୍ଦିରାପାର୍କରୁ ନନ୍ଦନକାନନ ପର୍ଯ୍ୟନ୍ତ ଚାରିଆଡେ ଏବେ ନିଶାଡିଙ୍କ କୋଳାହଳ ବୃଦ୍ଧି ପାଉଥିବା ଦେଖାଯାଉଛି । ପୁଲିସ୍‍ ବାରମ୍ବାର ଚଢଉ କରି ଅବଶ୍ୟ ରାଜଧାନୀର ଅନେକ ସ୍ଥାନରୁ ବିପୁଳ ପରିମାଣର ନିଶା ସାମଗ୍ରୀ ଜବତ କରିବାରେ ଲାଗିଛି ।

ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ଯେ ଭାରତରେ ପୁଣି କରୋନା ତାହାର କାୟା ବିସ୍ତାର କରିପାରେ । ଇତି ମଧ୍ୟରେ ଗୁଜୁରାଟ, ମହାରାଷ୍ଟ୍ର, ଛତିଶଗଡ, ମଧ୍ୟପ୍ରଦେଶ, କେରଳ ସମେତ କେତେକ ରାଜ୍ୟରେ କରୋନାର ପ୍ରାର୍ଦୁଭାବ ବଢିବାରେ ଲାଗିଛି । ଓଡିଶାରେ ଏହା ଦୀର୍ଘଦିନ ଧରି ନିୟନ୍ତ୍ରିତ ଥିବାବେଳେ ଏବେ କିନ୍ତୁ ଧିରେ ଧିରେ ମୁଣ୍ଡ ଟେକୁଛି ।

ବୈଜ୍ଞାନିକମାନଙ୍କ ମତରେ ନିଶା ସେବନ ଯୋଗୁଁ ଶ୍ୱାସନଳୀ ଏକ ପ୍ରକାର ଦୁର୍ବଳ ଅବସ୍ଥାରେ ଥାଏ । ଲୋକେ ଏବେ ମାସ୍କ ପିନ୍ଧାକୁ ଅଣଦେଖା କରୁଥିବାରୁ ଶ୍ୱାସନଳୀ ସଂକ୍ରମିତ ଲୋକଙ୍କ କ୍ଷେତ୍ରରେ କରୋନା ଆକ୍ରମଣ ସମ୍ଭାବନା ଅଧିକ । ସେହିପରି ଆଲକୋହଲ, ନିକୋଟିନ୍‍ ଆଦି ଯୋଗୁଁ ଶରୀରର ରୋଗ ପ୍ରତିରୋଧ ଶକ୍ତି କମୁଥିବା ଏବଂ କର୍କଟ ସମେତ ଅନ୍ୟାନ୍ୟ ରୋଗ ବୃଦ୍ଧିପାଇ ମଣିଷକୁ ଦୁର୍ବଳ କରୁଥିବା ପରିପ୍ରେକ୍ଷୀରେ ଏହି ଶ୍ରେଣୀର ଲୋକମାନଙ୍କୁ ସହଜରେ କରୋନା ଭୂତାଣୁ ସଂକ୍ରମିତ ହୋଇପାରେ ।

କରୋନାର ସମ୍ଭାବ୍ୟ ଆକ୍ରମଣ ପରିପ୍ରେକ୍ଷୀରେ କେତେକ ରାଜ୍ୟରେ ମାର୍ଚ୍ଚମାସରୁ ପୁଣି ଲକଡାଉନ, ସଟଡାଉନ ଆଦି ଲାଗୁ ହେବାକୁ ଯାଉଛି । ୨୦୨୦ ବର୍ଷରେ ସରକାରୀ ଓ ବେସରକାରୀ ସ୍ତରରେ ବ୍ୟାପକ ସଚେତନତା, କଟକଣା ଓ କାର୍ଯ୍ୟକ୍ରମ ଦୃଷ୍ଟିରୁ କରୋନା ନିୟନ୍ତ୍ରିତ ସ୍ଥିତିକୁ ଆସିଥିବାବେଳେ ଏବେ ଠାରୁ ନିଶାଡିମାନଙ୍କୁ ସାବାଡ କରିବା ସହ କରୋନା ମାର୍ଗଦର୍ଶିକାର କଡା ଅନୁପାଳନ ପାଇଁ ଗୁରୁତ୍ୱଆରୋପ କରାଯାଉଛି ।

LEAVE A REPLY

Please enter your comment!
Please enter your name here