Home General କାମରେ ଆସୁନି ପାଣି ମିଟର

କାମରେ ଆସୁନି ପାଣି ମିଟର

ଭୁବନେଶ୍ୱର : ଓଡିଶା ୱାଟର କର୍ପୋରେସନ (ୱାଟ୍‍କୋ) ପକ୍ଷରୁ ଲଗାଯାଇଥିବା ପାଣି ମିଟର କାମରେ ଆସୁନାହିଁ । ଏହାର କେହି ରିଡିଂ ନେଉନାହାନ୍ତି କି ତଦନୁଯାୟୀ ଅର୍ଥ ବି ଆଦାୟ ହେଉନାହିଁ । କେତେକ ସ୍ଥାନରେ ଏହାକୁ ଚୋର ନେଇଯାଉଥିବାବେଳେ ଆଉ କେତେକ ସ୍ଥାନରେ ଅଚଳ ହୋଇଗଲାଣି ।

ରାଜଧାନୀର ଯେଉଁସବୁ ଅଞ୍ଚଳରେ ‘ସୁଜଳ’ ଯୋଜନାରେ ୨୪ଘଣ୍ଟିଆ ଆକ୍ୱାଗାଡ୍‍ମାନର ଜଳଯୋଗାଣ ହେଉଛି ସେଠାରେ କର୍ତ୍ତୃପକ୍ଷ ପତ୍ୟେକ ଘରେ ପାଣି ମିଟର ଲଗାଇଛନ୍ତି । ସରକାରୀ କ୍ୱାଟର୍ସ ଠାରୁ ଆରମ୍ଭ କରି ବସ୍ତିବାସିନ୍ଦା ଓ ଘରୋଇ ସଂଯୋଗରେ ବି ମିଟର ଲାଗିଛି । ମିଟର ଲଗାଯିବା ସହିତ ପ୍ରତି ମାସରେ ଏହାର ରିଡିଂ ନିଆଯାଇ ସେହି ଆଧାରରେ ପାଣି ବିଲ୍‍ ଆଦାୟ ହେବ ଏବଂ ପ୍ରତି ସପ୍ତାହରେ ଘରକୁ ଘର ପାଣିର ମାନ ଯାଞ୍ଚ ହେବବୋଲି କୁହାଯାଇଥିଲା ।

ଏଥିପାଇଁ କର୍ତ୍ତୃପକ୍ଷ ଜଳସାଥି ନିଯୁକ୍ତି ଦେବା ସହିତ ସେମାନଙ୍କୁ ପାଣି ପରୀକ୍ଷା, ମିଟର ରିଡିଂ, ଅର୍ଥ ଆଦାୟ ଆଦି ସଂକ୍ରାନ୍ତରେ ତାଲିମ ପ୍ରଦାନ କରିଥିଲେ । ହେଲେ ସେମାନେ ପ୍ରଶିକ୍ଷଣ ପାଇଲା ପରେ ପାଣି ମିଟର ରିଡିଂ କିମ୍ବା ପାଣି ପରୀକ୍ଷା କରୁଥିବା ଦେଖିବାକୁ ମିଳୁନାହିଁ । ବିଶେଷକରି ସରକାରୀ କ୍ୱାଟର୍ସଗୁଡିକରେ ଏସବୁ ନାହିଁ କହିଲେ ଚଳେ । ପାଣିର ମାନ ପରୀକ୍ଷା ଓ ମିଟର ରିଡିଂ ତ ଦୂରରକଥା ଠିକଣା ସମୟରେ ଅର୍ଥ ଆଦାୟ ପାଇଁ ବି ଏମାନେ ଆସୁନାହାନ୍ତି ।

ସେହିଭଳି ପାଣି ମିଟର ଲଗାଇଥିବା ସଂସ୍ଥା ତାହାକୁ ସେହିଭଳି ଭାବେ ଖୋଲା ମେଲାରେ ଛାଡି ପଳାଇବା ଫଳରେ ଅଧିକାଂଶ ସ୍ଥାନରେ ସେଗୁଡିକ ଚୋରମାନେ ନେଇ ଗଲେଣି । ଯେଉଁଠି ବି ଲାଗିଛି ସେଠାରେ ଅଳିଆ ଆବର୍ଜନା ପରିପୂର୍ଣ୍ଣ ହୋଇ ଅଚଳ ହେଲାଣି । ଏହା ଲଗାଯିବାର ବର୍ଷେରୁ ଅଧିକ ସମୟ ହୋଇଥିଲେ ବି ଥରୁଟିଏ କେହି ଏହାର ରିଡିଂ ନେବାକୁ ଆସୁନାହାନ୍ତି । ସରକାରୀ କର୍ମଚାରୀମାନଙ୍କ ବେତନରୁ ପ୍ରତିମାସରେ ପାଣି ବିଲ୍‍ କଟୁଥିବାବେଳେ ସେମାନଙ୍କ ଘରେ ପାଣିମିଟର ଲଗାଇବା ପ୍ରହସନ କ’ଣ ପାଇଁ ଲୋକେ ପ୍ରଶ୍ନ କରୁଛନ୍ତି ।

ଅନ୍ୟ ପକ୍ଷରେ ସରକାର ୨୪ଘଣ୍ଟା ଯୋଗାଉଥିବା ଆକ୍ୱାଗାର୍ଡ ମାନର ପାଣିର ସିଂହଭାଗ ଏବେ ଲୋକଙ୍କ ପାଇଖାନା, ଗାଧୁଆଘର, ବାଡିବଗିଚା ଓ ଗାଡିଧୁଆରେ ଖର୍ଚ୍ଚ ହେଉଛି । ଏହି ପାଣି ପ୍ରସ୍ତୁତି ପାଇଁ ଲିଟର ପିଛା ଅତି କମ୍‍ରେ ୧୦ରୁ ୧୫ ପଇସା ଖର୍ଚ୍ଚ ହେଉଥିବାବେଳେ ତାହାକୁ ପିଇବା ଓ ରୋଷେଇପାଇଁ ବ୍ୟବହାର କରିବା ପରିବର୍ତ୍ତେ ସମସ୍ତ କାର୍ଯ୍ୟରେ ବ୍ୟବହାର ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି । ଗୋଟିଏ ପଟେ ଦାମୀ ପାଣିର ଅପବ୍ୟବହାର ହେଉଥିବାବେଳେ ଅନ୍ୟପଟେ ରାଜସ୍ୱ ଆଦାୟପାଇଁ ଲାଗିଥିବା ମିଟର ଅକାମୀ ହେବା ଏବେ କର୍ତ୍ତୃପକ୍ଷଙ୍କ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ଲଗାଇ ଦେଲାଣି । (ତଥ୍ୟ)