Home Administration କାମରେ ଆସୁନି ଜିଏ ଆବଣ୍ଟିତ ପ୍ଲଟ୍‍

କାମରେ ଆସୁନି ଜିଏ ଆବଣ୍ଟିତ ପ୍ଲଟ୍‍

ଭୁବନେଶ୍ୱର : ରାଜଧାନୀର ନିଳାଦ୍ରୀବିହାର ଅଞ୍ଚଳରେ କୋଟି କୋଟି ଟଙ୍କାର ସରକାରୀ ଜମି ଜବରଦଖଲକାରୀଙ୍କ କବ୍‍ଜାକୁ ଚାଲିଯାଉଥିବା ବେଳେ ଏଗୁଡ଼ିକର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପାଇଁ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବାକୁ ବିଭିନ୍ନ ମହଲରୁ ଦାବି ଉଠୁଛି ।

ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ନିଳାଦ୍ରୀବିହାର ଅଞ୍ଚଳର ବି-୧୩୧ ନମ୍ବର ନକ୍ସାରେ ୨୩୩ଟି ବାସପୋଯୋଗୀ ପ୍ଲଟ୍‍ ଲଟେରୀ ମାଧ୍ୟମରେ ଆବଣ୍ଟନ କରିଥିଲେ । ଏଥିମଧ୍ୟରୁ ଅଧିକାଂଶ ଆବଣ୍ଟିତ ପ୍ଲାଟ୍‍ରେ ଘର ତିଆରି କରି ଲୋକେ ରହୁଥିବା ବେଳେ ଆଉ କେତେକ ପ୍ଲଟ୍‍କୁ ଆପାର୍ଟମେଣ୍ଟ ତିଆରି ପାଇଁ ଟେକି ଦିଆଯାଉଛି । ଫଳରେ ବିଦ୍ୟୁତ୍‍, ପାଣି, ରାସ୍ତାଘାଟ ଆଦି ସମସ୍ୟା ସୃଷ୍ଟି ହେବା ସହ ଜନବସତି ଉପରେ କୁପ୍ରଭାବ ପଡ଼ୁଛି । ପ୍ଲଟ୍‍ ଆବଣ୍ଟନ ସମୟରେ ଏହି ଅଞ୍ଚଳରେ ୮ଟି ଇୟର୍‍ମାର୍କ ପ୍ଲଟ୍‍ ସର୍ବସାଧାରଣଙ୍କ ସେବା ଉଦ୍ଦେଶ୍ୟରେ ରଖାଯାଇଥିବା ବେଳେ ତିନୋଟି ଖୋଲା ସ୍ଥାନ ରହିଥିଲା । ତେବେ ଏଥିରୁ କେତେକ ଏବେ ଜବରଦଖଲକାରୀଙ୍କ କବ୍‍ଜାରେ ଅଛି ।

ଏହି ଜିଏ ପ୍ଲଟ୍‍ ଅଞ୍ଚଳରେ ଧର୍ମାନୁଷ୍ଠାନ, କଲ୍ୟାଣମଣ୍ଡପ ଆଦି ପାଇଁ ଥିବା ଜମି ବ୍ୟବହୃତ ହେଉଥିବା ବେଳେ ଖୋଲା ସ୍ଥାନରେ କେନ୍ଦ୍ରୀୟ ବିଦ୍ୟାଳୟ ଚାଲୁଛି । ତେବେ ଏହି ଅଞ୍ଚଳରେ ପୁଲିସ ଫାଣ୍ଡି, ଟ୍ରାନ୍ସଫର୍ମର ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଇୟର୍‍ମାର୍କ ପ୍ଲଟ୍‍ ସବୁ ଥିଲା ସେଗୁଡ଼ିକୁ କର୍ତ୍ତୃପକ୍ଷ ଏଯାବତ୍‍ ବ୍ୟବହାର ଉପଯୋଗୀ କରିନାହାନ୍ତି ।

ନିଳାଦ୍ରୀବିହାର ଜିଏ ପ୍ଲଟ୍‍ ଅଞ୍ଚଳର ପି-୪ରେ ଗୋଷ୍ଠୀ କେନ୍ଦ୍ର, ବ୍ୟାୟାମଶାଳା ଆଦି ନିର୍ମାଣ ପାଇଁ ଆବାସିକ ସଂଘ ପକ୍ଷରୁ ରାଜ୍ୟ ସରକାର ଓ ପୌର ନିଗମ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା ଏବଂ ନୀତିଗତ ଭାବେ ଏହି ପ୍ଲଟ୍‍କୁ ଏଭଳି ସର୍ବସାଧାରଣ ଉଦ୍ଦେଶ୍ୟରେ ଉପଯୋଗ କରିବା ଲାଗି କର୍ତ୍ତୃପକ୍ଷ ମୌଖିକ ପ୍ରତିଶ୍ରୁତି ଦେଇଆସୁଥିଲେ ମଧ୍ୟ ଏଯାବତ୍‍ ଏହି ଇୟର୍‍ମାର୍କ ପ୍ଲଟ୍‍ଗୁଡ଼ିକରେ କମ୍ୟୁନିଟି ସେଣ୍ଟର, ବ୍ୟାୟାମଶାଳା, ବରିଷ୍ଠ ନାଗରିକଙ୍କ ଡେ କେୟାର ସେଣ୍ଟର, ଫାଣ୍ଡି ଇତ୍ୟାଦି ନିର୍ମିତ ହୋଇନାହିଁ । ଅନ୍ୟପକ୍ଷରେ ଏହି ପ୍ଲଟ୍‍ଗୁଡ଼ିକୁ ହାତେଇବା ପାଇଁ କେତେକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠୀ ଉଦ୍ୟମ ଚଳାଇବା ସଙ୍ଗେ ସଙ୍ଗେ କିଛି ଜମି ମଧ୍ୟ ଇତିମଧ୍ୟରେ ଜବରଦଖଲ କରିନେଲେଣି ।

ବିଶେଷକରି ନିଳାଦ୍ରୀବିହାର, ଲୁମ୍ବିନିବିହାର, ଡିଫେନ୍ସ କଲୋନୀ ଆଦି ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କ ମଧ୍ୟରୁ ସଂଖ୍ୟାଧିକ ବରିଷ୍ଠ ନାଗରିକ ହୋଇଥିବା ବେଳେ ସେମାନଙ୍କ ପାଇଁ କମ୍ୟୁନିଟି ସେଣ୍ଟରର ବ୍ୟବସ୍ଥା ହୋଇନପାରିବା ଏବଂ ବୁଦ୍ଧପାର୍କ ନିକଟବର୍ତ୍ତୀ ଅଞ୍ଚଳରେ ନିଶାଡ଼ୀ ଓ ଅନ୍ୟ ଅସାମାଜିକ ବ୍ୟକ୍ତିମାନଙ୍କ ଦୌରାତ୍ମ୍ୟ ବଢ଼ି ଚାଲୁଥିବା ବେଳେ ଫାଣ୍ଡି ପାଇଁ ଇୟର୍‍ ମାର୍କ ସରକାରୀ ଜାଗା ଥାଇ ମଧ୍ୟ ତାହା ନିର୍ମାଣ କରାଯାଉନଥିବା ଘେନି ଜନ ଅସନ୍ତୋଷ ବୃଦ୍ଧି ପାଉଛି ।

ସ୍ଥାନୀୟ ଲୋକ ପ୍ରତିନିଧିମାନେ ଏହି ସମସ୍ୟାକୁ ଗମ୍ଭୀରତାର ସହ ନେଉଥିଲେ ବି ଏଯାବତ୍‍ ଜବରଦଖଲ ସରକାରୀ ଜମିଗୁଡ଼ିକୁ ମୁକ୍ତ କରିବା ସହ ଯେଉଁ ଉଦ୍ଦେଶ୍ୟରେ ଏ ଅଞ୍ଚଳରେ ସରକାରୀ ପ୍ଲଟ୍‍ମାନ ସଂରକ୍ଷିତ ରହିଛି ସେହି ଉଦ୍ଦେଶ୍ୟରେ ତାହାର ଠିକଣା ଉପଯୋଗ ହୋଇପାରୁନାହିଁ । ଏ ଦିଗରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here