Home Agriculture କାମରେ ଆସୁନି ଆମ କୃଷି ଆପ୍‍

କାମରେ ଆସୁନି ଆମ କୃଷି ଆପ୍‍

ଭୁବନେଶ୍ୱର : ଚାଷୀଙ୍କୁ ଡିଜିଟାଲ ବ୍ୟବସ୍ଥାରେ ମାଗଣା କୃଷି ପରାମର୍ଶ ଦେବାପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଥିବା ‘ଆମ କୃଷି’ ଆପ୍‍ ଚାଷୀଙ୍କ କାମରେ ଆସୁନାହିଁ । ଲକ୍ଷାଧିକ ଟଙ୍କା ବ୍ୟୟରେ ପ୍ରସ୍ତୁତ ଏହି ବହୁଭାଷୀ ଆପ୍‍ଟି ଅଚଳ ଅବସ୍ଥାରେ ରହିଛି ।

ଚାଷୀମାନେ ମେ।।ବଇଲ୍‍ ବୋତାମ ଚିପି ମାଗଣାରେ କୃଷି ସୂଚନା ଓ ପରାମର୍ଶ ପାଇଁ ପାଇଁ ପ୍ରାୟ ଦୁଇବର୍ଷ ତଳେ ‘ଆମ କୃଷି’ ନାଁରେ ଆପ୍‍ ପ୍ରସ୍ତୁତ ହୋଇଥିଲା । ଯେଉଁମାନେ ମୋବାଇଲ୍‍ ବ୍ୟବହାର କରୁନାହାନ୍ତି ସେମାନେ ୱେବସାଇଟ୍‍ ଜରିଆରେ ଯାଇ ଏଥିରେ ନିଜକୁ ପଞ୍ଜିକୃତ କରିପାରିବେ ନହେଲେ ମାଗଣା ଟେଲିଫୋନ୍‍ ନମ୍ବର ୧୫୫୩୩୩ କୁ ଫୋନ୍‍ କରି ପରାମର୍ଶ ପାଇପାରିବେ ।

ଉଭୟ ଓଡିଆ, ସମ୍ବଲପୁରୀ ଓ ଇଂରାଜୀ ଭାଷାରେ ପ୍ରସ୍ତୁତ ହୋଇଥିବା ଏହି ଆମ କୃଷି ଆପ୍‍ କିନ୍ତୁ ଗୁଗୁଲ ପ୍ଲେ ଷ୍ଟୋରରେ ଉପଲବ୍ଧ ନାହିଁ । ପ୍ଲେ ଷ୍ଟୋରରେ ଆମ କୃଷି ଓଡିଶା ସ୍ଥାନରେ ଅନ୍ୟ ସୂଚନା ପ୍ରତିଫଳିତ ହୋଇଛି । ଫଳରେ ଲୋକେ ଏହି ଆପ୍‍ ମାଧ୍ୟମରେ ମୋବାଇଲ୍‍ ଜରିଆରେ ମାଗଣା ପରାମର୍ଶ ପାଇବା ସ୍ୱପ୍ନହୋଇ ରହି ଯାଇଛି ।

ସେହିଭଳି ଆମ କୃଷି ୱେବସାଇଟ୍‍କୁ ଗଲେ ସେଠାରେ ଚାଷୀମାନଙ୍କୁ ପଞ୍ଜିକରଣ କରିବାକୁ କୁହାଯାଉଛି । ଚାଷୀ ନିଜର ନାମ, ଟେଲିଫୋନ୍‍ ନମ୍ବର, ଜମିର କିସମ, କି ପ୍ରକାର ଚାଷ କରୁଛନ୍ତି ଓ କରିବାକୁ ଚାହୁଁଛନ୍ତି, ଉଭୟ ଖରିଫ ଓ ରବି ଚାଷ ସମ୍ପର୍କୀୟ ପ୍ରଶ୍ନ ରହିଛି । ପଞ୍ଜିକରଣ ପାଇଁ ମୋବାଇଲ୍‍ ନମ୍ବର ଦେବାପରେ ଓଟିପି ବି ଆସୁଛି । ହେଲେ ସବୁ ବର୍ଗରେ ପଚରା ଯାଇଥିବା ପ୍ରଶ୍ନ ପୂରଣ କରିସାରିବା ପରେ ଏହା ‘ସେଭ୍‍’ ହୋଇନଥିବା ଦର୍ଶାଉଛି । ଫଳରେ ଚାଷୀଟିଏ ଏହା ଜରିଆରେ ମଧ୍ୟ ସୂଚନା ପାଇବା ମୁସ୍କିଲ ।

ଏହି ଦୁଇ ବ୍ୟବସ୍ଥା ବାଦ୍‍ ଆମ କୃଷି ପ୍ରସ୍ତୁତ କରିଥିବା ସଂସ୍ଥା ନିଶୁଳ୍କ ଟେଲିଫୋନ୍‍ ନମ୍ବର ୧୫୫୩୩୩ ବି ଜାରି କରିଛି । ଏହି ନମ୍ବରରେ ଫୋନ୍‍ କଲେ ପ୍ରଥମରୁ ଏହା ଏକ ହଟ୍‍ଲାଇନ୍‍ ଓ ସିଧାସଳଖ କଥାବାର୍ତ୍ତା ପାଇଁ ଶୂନ ନମ୍ବର ଚିପିବାକୁ ପରାମର୍ଶ ଦିଆଯାଉଛି । ସେହିଭଳି ଅନ୍ୟାନ୍ୟ ସୂଚନା ପାଇଁ ଭିନ୍ନ ଭିନ୍ନ ନମ୍ବର ବି ଦବାଇବାକୁ ସ୍ୱୟଂକ୍ରିୟ ବାର୍ତ୍ତା ଆସୁଛି । ହେଲେ ସେଗୁଡିକ କାମ କରୁନାହିଁ । ଗୋଟିଏ କଥାକୁ ବାରମ୍ବାର ଶୁଣିବାପରେ ଚାଷୀ ବିରକ୍ତ ହୋଇ ଫୋନ୍‍ କାଟି ଦେଉଛି ।

ତେବେ ଇତି ମଧ୍ୟରେ ଆମ କୃଷି ବ୍ୟବସ୍ଥାରେ ୨୮ଲକ୍ଷରୁ ଅଧିକ ଚାଷୀଙ୍କୁ ମାଗଣା ପରାମର୍ଶ ଦିଆଯାଇଥିବା କଥା ଉଲ୍ଲେଖ ରହିଛି । ଦୀର୍ଘ ସମୟ ଧରି ଏହି ବ୍ୟବସ୍ଥା ଅଚଳ ଥିବାବେଳେ ଏତେ ସଂଖ୍ୟାରେ ଚାଷୀ ମାଗଣାରେ କି ପରାମର୍ଶ ନେଲେ ତାହା ଏବେ ବହୁ ଚାଷୀଙ୍କୁ ସନ୍ଦେହରେ ପକାଇଛି । କୃଷି ବିଭାଗ ପକ୍ଷରୁ ଚାଷୀଙ୍କ କଲ୍ୟାଣ ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ଜିଡିଟାଲ ଯୋଜନା ହୋଇଥିବାବେଳେ ତାହା କାହିଁକି ଅକାମୀ ହେଲା ଓ ଏଥିପାଇଁ ଦାୟୀ କିଏ ତାହାକୁ ନେଇ ବିଭାଗରେ ଆଲୋଚନା ଜୋରଦାର ହେଉଛି । ତେବେ ଏହାକୁ ପ୍ରସ୍ତୁତ କରିଥିବା ଖୁବଶୀଘ୍ର ଏହାକୁ କାର୍ଯ୍ୟକ୍ଷମ ଲାଗି ପ୍ରସ୍ତୁତ ହେଉଥିବା ସୂଚନା ମିଳୁଛି । (ତଥ୍ୟ)