Home Administration କଳାହାଣ୍ଡି ବିକାଶ ପାଇଁ ତିନି ମନ୍ତ୍ରଣାଳୟ ଏକାଠି

କଳାହାଣ୍ଡି ବିକାଶ ପାଇଁ ତିନି ମନ୍ତ୍ରଣାଳୟ ଏକାଠି

ଭୁବନେଶ୍ୱର : ରାଜ୍ୟର ଅନ୍ୟତମ ଆଦିବାସୀ ବହୁଳ ପଛୁଆ ଜିଲ୍ଲା କଳାହାଣ୍ଡିର ବିକାଶ ପାଇଁ କେନ୍ଦ୍ର ସରକାରଙ୍କ ତିନିଟି ମନ୍ତ୍ରାଳୟ ଅଣ୍ଟା ଭିଡିଛନ୍ତି । ଏହି ମନ୍ତ୍ରାଳୟଗୁଡିକ ହେଲା ଆଦିବାସୀ ବ୍ୟାପାର, ଇଲେକଟ୍ରୋନିକ୍ସ ଏବଂ ଆଇଟି ଏବଂ ଅର୍ଥ ମନ୍ତ୍ରଣାଳୟ ।

କେନ୍ଦ୍ର ସରକାରଙ୍କ ଆଙ୍କାକ୍ଷୀ ଜିଲ୍ଲା ତାଲିକାରେ ଥିବା କଳାହାଣ୍ଡିରେ ଆଦିବାସୀଙ୍କ ଜୀବନ ଜୀବିକାରେ ଉନ୍ନତି ଆଣିବାପାଇଁ ଆଦିବାସୀ ବ୍ୟାପର ମନ୍ତ୍ରାଳୟ ଯୋଜନା କରିଥିବାବେଳେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଏହି ଜିଲ୍ଲାକୁ ଅର୍ନ୍ତଭୁକ୍ତିକରଣ କରାଯାଇଛି । କଳାହାଣ୍ଡି ହେଉଛି ରାଜ୍ୟର ଅନ୍ୟତମ ଋଣ ଅଭାବି ଜିଲ୍ଲା । ଇଲେକଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ ମଧ୍ୟ ଏହି ଜିଲ୍ଲାକୁ ବିକାଶ ପାଇଁ ଚିହ୍ନଟ କରିଛି ।

ନୀତି ଆୟୋଗ ପକ୍ଷରୁ ଦେଶର ୧୧୨ଟି ଆଙ୍କାକ୍ଷୀ ଜିଲ୍ଲାର ବିକାଶ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ କଳାହାଣ୍ଡି ଜିଲ୍ଲା ଏଥି ମଧ୍ୟରେ ରହିଛି । ଓଡିଶାରେ ଥିବା ୧୦ଟି ଆଙ୍କାକ୍ଷୀ ଜିଲ୍ଲା ମଧ୍ୟରୁ ମାଲକାନଗିରି ସବୁଠାରୁ ପଛରେ ରହିଛି । କେନ୍ଦ୍ର ଟେଲି ଯୋଗାଯୋଗ ବିଭାଗ ଦେଶର ୪ଟି ଜିଲ୍ଲାକୁ ପୋଷ୍ୟ ଭାବେ ଗ୍ରହଣ କରିଥିବାବେଳେ ଓଡିଶାର ମାଓ ପ୍ରବଣ ମାଲକାନଗିରି ଜିଲ୍ଲାକୁ ବି ତାଲିକାରେ ରଖିଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକ ହେଲା ଛତିଶଗଡର ସୁକମା, ହିମାଚଳପ୍ରଦେଶର ଚମ୍ବା, ମଧ୍ୟପ୍ରଦେଶର ବରୱାନି ଏବଂ ମହାରାଷ୍ଟ୍ରର ଗଡଚିରୋଲି । ଏହି ସମସ୍ତ ଜିଲ୍ଲାରେ ଟେଳି ଯୋଗାଯୋଗ ସ୍ଥିତି ଅତ୍ୟନ୍ତ ଦୁର୍ବଳ ଥିବାରୁ ମନ୍ତ୍ରାଳୟ ପକ୍ଷରୁ ଏଠାରେ ବ୍ୟାପକ ଯୋଜନା ହାତକୁ ନିଆଯାଇଛି । ୟୁନିଭର୍ସାଲ ସର୍ଭିସ ଅର୍ଗାନାଇଜେସନ ଫଣ୍ଡ୍‍ (ୟୁଏସ୍‍ଓଏଫ୍‍) ପାଣ୍ଠି ବ୍ୟବହାର କରି ଏହିସବୁ ଜିଲ୍ଲାରେ ଅଧିକ ସଂଖ୍ୟା ୪ଜି ସୁବିଧା ଥିବା ମୋବାଇଲ୍‍ ଟାୱାର ସ୍ଥାପନ କରାଯିବ ।

ମାଓବାଦୀଙ୍କ ଗଡ କୁହାଯାଉଥିବା ମାଲକାନଗିରି ଜିଲ୍ଲାରେ ମୋବାଇଲ ସଂଯୋଗ ଅତ୍ୟନ୍ତ ଦୁର୍ବଳ ଥିବାରୁ ଏହା କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି । ଓଡିଶା ସରକାର ମଧ୍ୟ ମାଓ ଅଧ୍ୟୁଷିତ ଅଞ୍ଚଳରେ ମୋବାଇଲ୍‍ ନେଟୱାର୍କ ସମ୍ପ୍ରସାରଣ ପାଇଁ ବାରମ୍ବାର ଅନୁରୋଧ କରିଆସୁଛନ୍ତି ।

ରାଜ୍ୟ ସରକାରମାନଙ୍କ ଅନୁମୋଦନ ଆଧାରରେ ମାଓପ୍ରବଣ ଜିଲ୍ଲାଗୁଡିକ ପାଇଁ ୪୮୩ଟି ମୋବାଇଲ୍‍ ଟାୱାର ମଞ୍ଜୁର ହୋଇଛି । ଏଥି ମଧ୍ୟରୁ ମାଲକାନଗିରି ଜିଲ୍ଲାପାଇଁ ୧୨୮ଟି ଟାୱାର ରହିଛି । ଅଧିକାରୀଙ୍କ ମତରେ ଜାରି ରହିଥିବା ମୋବାଇଲ ସମ୍ପ୍ରସାରଣ କାର୍ଯ୍ୟରେ ଅଧିକରୁ ଅଧିକ ଟାୱାର ନିର୍ମାଣ ବେଶ୍‍ ସହାୟକ ହେବ ।

ଏହି ଅଞ୍ଚଳରେ ଏକାଧିକ ଟାୱାର ନିର୍ମାଣ ଦ୍ୱାରା ଛାତ୍ରଛାତ୍ରୀଙ୍କ ସବୁଠାରୁ ଅଧିକ ଭାବେ ଉପକୃତ ହେବେ । ମାଲକାନଗିରି ଜିଲ୍ଳାକୁ ଟେଲି ଯୋଗାଯୋଗ ବିଭାଗ ସହିତ କେନ୍ଦ୍ର ପଶୁସମ୍ପଦ ଓ ଦୁଗ୍ଧ ମନ୍ତ୍ରାଳୟ ମଧ୍ୟ ତାଲିକାଭୁକ୍ତ କରିଛି । ଜିଲ୍ଲାରେ ବିଶାଳ ଜଳଭଣ୍ଡାର ଥିବାରୁ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କୃଷକଙ୍କ ଉନ୍ନତି ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଉଛି ।

ସେହିଭଳି ଆଦିବାସୀ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ଗଜପତି ଜିଲ୍ଲାର ବିକାଶ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିବାବେଳେ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟ ପକ୍ଷରୁ ଗଜପତି ଓ ବଲାଙ୍ଗିର ଜିଲ୍ଲାକୁ ତାଲିକାଭୁକ୍ତ କରାଯାଇଛି । ଅନ୍ୟତମ ଆଙ୍କାକ୍ଷୀ ଜିଲ୍ଲା ଢେଙ୍କାନାଳକୁ କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ତାଲିକାଭୁକ୍ତ କରିଥିବା ଜଣାଯାଇଛି । (ତଥ୍ୟ)