Home Election କର୍ମୀଙ୍କୁ ଚିହ୍ନାଇଲା ଗାମୁଛା, ଶାଢୀ

କର୍ମୀଙ୍କୁ ଚିହ୍ନାଇଲା ଗାମୁଛା, ଶାଢୀ

ଭୁବନେଶ୍ୱର : ଗାମୁଛା ଓ ଶାଢୀର ରଙ୍ଗ ଚିହ୍ନାଇଛି ଦଳୀୟ କର୍ମୀଙ୍କୁ । କର୍ମୀମାନେ ନିଜ ନିଜ ଦଳର ଗାମୁଛାକୁ ବେକରେ ପକାଇ ଓ ଶାଢୀ ପିନ୍ଧି ଆଜି ବିଭିନ୍ନ ମତଦାନ କେନ୍ଦ୍ର ନିକଟରେ ପଇଁତରା ମାରୁଥିବା ଦେଖିବାକୁ ମିଳିଥିଲା ।

ମତଦାନ କେନ୍ଦ୍ରରେ ରାଜନୈତିକ ଦଳର କର୍ମୀଙ୍କ ଆତଯାତ ଉପରେ କଟକଣା ଥିବାରୁ କର୍ମୀମାନେ ଏଭଳି କୌଶଳ ଆପଣେଇଥିଲେ । କାଳେ ଦଳୀୟ ଚିହ୍ନ ଥିବା ଗାମୁଛା ବେକରେ ପକାଇ ବୁଥ୍‍ ନିକଟରେ ରହିଲେ ଆଇନ୍‍ ଉଲ୍ଲଙ୍ଘନ ହେବ ସେଥିପାଇଁ ସେମାନେ ଚିହ୍ନ ନଥିବା ଗେରୁଆ ଓ ନୀଳ ଗାମୁଛା ବେକରେ ପକାଇଥିଲେ । ଏଥିରୁ କେଉଁମାନେ ବିଜେପିର ଓ କେଉଁମାନେ ବିଜେଡିର ତାହା ସହଜରେ ଜଣାପଡି ଯାଉଥିଲା । ଏଥି ଆଧାରରେ ସେମାନେ ନିଜ ନିଜ ନେତାଙ୍କୁ ଭୋଟ ଦେବାପାଇଁ ଭୋଟରଙ୍କୁ ବୁଝାଉଥିଲେ ।

ସେହିଭଳି ମତଦାନ କେନ୍ଦ୍ରଠାରୁ କିଛି ଦୂରରେ ମହିଳାମାନେ ମଧ୍ୟ ଦଳ ଦଳ ହୋଇ ଗୋଟିଏ ରଙ୍ଗର ଶାଢୀ ପିନ୍ଧି ଲୋକଙ୍କୁ ବୁଝାଉଥିବା ଦେଖିବାକୁ ମିଳିଥିଲା । ଏହିସବୁ ମହିଳାମାନେ ଗେରୁଆ ଓ ନୀଳ ରଙ୍ଗର ଶାଢୀ ପିନ୍ଧିଥିଲେ । ଏଥିରେ ସେମାନେ କେଉଁଦଳର ତାହା ବୁଝିବାକୁ ଆଉ କାହାରିକୁ ଅଛପା ନଥିଲା । ସେହି ଆଧାରରେ ସେମାନେ ଲୋକଙ୍କୁ ବୁଝାସୁଝା କରୁଥିଲେ ।

ଉଲ୍ଲେଖନୀୟ ଯେ ଆଇନ୍‍ ଅନୁଯାୟୀ ବୁଥ୍‍ଗ୍ରହଣ କେନ୍ଦ୍ର ଠାରୁ ଅତି କମ୍‍ରେ ଶହେ ମିଟର ଦୂରରେ ଦଳୀୟ କର୍ମୀମାନେ ରହିବାକଥା । ହେଲେ ଏତେ ଦୂରରେ ରହିଲେ କାଳେ ଭୋଟରମାନଙ୍କୁ ବୁଝାଇବା କଷ୍ଟକର ହେବ ତେଣୁ ଆଜି ରାଜଧାନୀର ବିଭିନ୍ନ ଭୋଟଗ୍ରହଣ କେନ୍ଦ୍ର ନିକଟରେ ଏଭଳି ରଙ୍ଗ ବେରଙ୍ଗର କର୍ମୀଙ୍କୁ ଦେଖିବାକୁ ମିଳିଥିଲା । ମତଦାନ ସକାଳ ୭ଟାରୁ ଆରମ୍ଭ ହେଉଥିବାବେଳେ ଏହାର ଢେର ପୂର୍ବରୁ ବେକରେ ଗାମୁଛା ପକାଇ ଯୁବ କର୍ମୀମାନେ ମତଦାନ କେନ୍ଦ୍ର ଅତି ନିକଟରେ ନିଜ ନିଜ ସ୍ଥାନ ଗ୍ରହଣ କରିନେଇଥିଲେ । ସେହଭଳି ଏହାର କିଛି ସମୟ ପରେ ମହିଳମାନେ ମଧ୍ୟ ଦଳ ଦଳ ହୋଇ ନିଜ ନିଜ ଦଳୀୟ ରଙ୍ଗର ଶାଢୀ ପିନ୍ଧି ଡେରା ପକାଇଥିଲେ ।

ଏହି କର୍ମୀମାନଙ୍କ ପୋଷାକରେ କୌଣସି ଦଳୀୟ ଚିହ୍ନ ନଥିବାରୁ ପୁଲିସ୍‍ ନିର୍ବାଚନୀ ସ୍କ୍ୱାଡ୍‍ ପକ୍ଷରୁ ମଧ୍ୟ କୌଣସି ଆଇନ୍‍ଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଯଦିଓ ଦୁଇ ଦଳର କର୍ମୀମାନେ ବିଭିନ୍ନ ମତଦାନ କେନ୍ଦ୍ର ନିକଟରେ ଦଳ ବଳ ସହିତ ଉପସ୍ଥିତ ଥିଲେ, କିନ୍ତୁ କୌଣସି ସ୍ଥାନରେ ଅଘଟଣ ଘଟିଥିବା ପରିଲକ୍ଷିତ ହୋଇନାହିଁ । (ତଥ୍ୟ)