Home Agriculture କର୍ଣ୍ଣାଟକ ଢାଞ୍ଚାରେ ବଜାର ବ୍ୟବସ୍ଥା କର

କର୍ଣ୍ଣାଟକ ଢାଞ୍ଚାରେ ବଜାର ବ୍ୟବସ୍ଥା କର

ଭୁବନେଶ୍ୱର : ଚାଷୀଙ୍କ ଉତ୍ପାଦିତ ପନିପରିବା ବିକ୍ରି ଓ ଖରିଦ ପାଇଁ କର୍ଣ୍ଣାଟକ ଢାଞ୍ଚାରେ ନିୟନ୍ତ୍ରିତ ବଜାର ଓ ମଣ୍ଡି ସ୍ଥାପନ ଲାଗି ବଜେଟ୍‍ରେ ଅର୍ଥ ବ୍ୟବସ୍ଥା ସକାଶେ କୃଷି ବିଭାଗ ଷ୍ଟାଣ୍ଡିଂ କମିଟି ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାର ମଧ୍ୟ ତାଙ୍କର ନୂତନ କୃଷି ନୀତିରେ କର୍ଣ୍ଣାଟକ ମଡେଲକୁ ଅନୁସରଣ କରିଥିବା କମିଟି ଦର୍ଶାଇଛନ୍ତି ।

ବିଜେଡି ବିଧାୟକ ଡାକ୍ତର ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ୧୧ଜଣ ବିଧାୟକ ଥିବାବେଳେ କୃଷି ବିଭାଗ ପାଇଁ କେତେଗୁଡିଏ ସୁପାରିଶ୍‍ କରିଛନ୍ତି । କମିଟି ସ୍ପଷ୍ଟଭାବେ କହିଛନ୍ତି ଯେ ଉତ୍ପାଦିତ କୃଷି ସାମଗ୍ରୀ ପାଇଁ ବଜାର ବ୍ୟବସ୍ଥାକୁ ସୁଦୃଢ ନକଲେ ସମସ୍ତ ଉଦ୍ୟମ ପାଣିରେ ପଡିଯିବ । ତେଣୁ କୃଷକମାନେ ସେମାନଙ୍କ ଉତ୍ପାଦିତ ସାମଗ୍ରୀକୁ କିଭଳି ବଜାରରେ ବିକ୍ରିବଟା କରିବେ ସେଥିପାଇଁ ବିଭାଗ ଯୋଜନା ପ୍ରସ୍ତୁତ କରିବା ଆବଶ୍ୟକ ।

ରାଜ୍ୟ ସରକାର ଯେଭଳି ଜିଲ୍ଲା ସ୍ତରରେ ଧାନ ସଂଗ୍ରହ କରୁଛନ୍ତି ଅନୁରୂପ ଭାବେ ସମସ୍ତ ଚାଷୀଙ୍କ ଠାରୁ ଡାଲିଜାତୀୟ ଶସ୍ୟ ସଂଗ୍ରହ ପାଇଁ କମିଟି ପରାମର୍ଶ ଦେଇଛନ୍ତି । ଏଥିପାଇଁ ବ୍ୟାପକ ପ୍ରଚାର ପ୍ରସାର ଉପରେ କମିଟି ଜୋର ଦେଇଛନ୍ତି ଯାହା ଫଳରେ ଏହା କୃଷକଙ୍କୁ ସହାୟକ ହେବା ସହିତ ସେମାନଙ୍କ ଉତ୍ପାଦନ ବୃଦ୍ଧିରେ ସହାୟକ ହେବ । ବିଭିନ୍ନ ସୋସିଆଲ ମିଡିଆ, ଇଲେକଟ୍ରୋନିକ ଓ ଛାପା ଗଣମାଧ୍ୟମ ଏବଂ କ୍ଷୁଦ୍ର ଚଳଚିତ୍ର ଜରିଆରେ ବିଭାଗର ଯୋଜନା ଓ ସଫଳତାର ପ୍ରଚାର ଲାଗି ବଜେଟ୍‍ରେ ୧୦ରୁ ୧୫କୋଟି ଟଙ୍କା ବ୍ୟବସ୍ଥା ଲାଗି କୁହାଯାଇଛି ।

ପଡିଆ ପଡିଥିବା ଚାଷଜମିଗୁଡିକୁ ଅକ୍ତିଆର କରିବା ସହିତ ସେଠାରେ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ଓ ଶୀତଳଭଣ୍ଡାର ବସାଇବାପାଇଁ ଇଡ୍‍କୋକୁ ହସ୍ତାନ୍ତର ଲାଗି କମିଟି ପରାମର୍ଶ ଦେଇଛନ୍ତି । ଏହିଭଳି ଶିଳ୍ପ ସ୍ଥାପନ ପାଇଁ ଆଗ୍ରହୀ ଉଦ୍ୟୋଗୀମାନେ ଆବେଦନ କରିବା ଉଚିତ୍‍ ।

ସେହିଭଳି ଗ୍ରାମ୍ୟ କୃଷି କର୍ମୀ ଏବଂ ଉଦ୍ୟାନ ସମ୍ପ୍ରସାରଣ କର୍ମୀ ସପ୍ତାହର ଗୋଟିଏ ନିର୍ଦ୍ଦିଷ୍ଟ ଦିନରେ ପଞ୍ଚାୟତ ଦପ୍ତରରେ ଉପସ୍ଥିତ ରହିବା ସହିତ ସେମାନଙ୍କ କାର୍ଯ୍ୟ କୃଷି ବିଭାଗର ମୋବାଇଲ୍‍ ଆପ୍‍ରେ ମନିଟରିଂ କରାଯିବ । ଏହାଛଡା ସମଗ୍ର ରାଜ୍ୟରେ କୃଷକ ପରାମର୍ଶ କେନ୍ଦ୍ର ଖୋଲିବାପାଇଁ ମଧ୍ୟ କୁହାଯାଇଛି ।

ଉନ୍ନତମାନର ପନିପରିବା ବିହନ ଓ ଚାରା ଯୋଗାଣ ପାଇଁ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପଦକ୍ଷେପ ନେବା ସହିତ ଚଳିତ ବର୍ଷ ଚାଷୀମାନଙ୍କୁ ଜାତୀୟ ଉଦ୍ୟାନକୃଷି ଗବେଷଣା ବିକାଶ ପ୍ରତିଷ୍ଠାନ ଜରିଆରେ ୬ଲକ୍ଷ ପନିପରିବା ବିହନ କିଟ୍‍ ଯୋଗାଣ ହୋଇଥିବା ସୂଚନା ଦିଆଯାଇଛି । ଅନ୍ୟ କିଛି ବିହନ ଓଡିଶା ରାଜ୍ୟ ବିହନ ନିଗମ ଜରିଆରେ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଛି । ଏହାବାଦ୍‍ ବିଭିନ୍ନ ଯୋଜନାରେ ବିଭାଗୀୟ ଫାର୍ମ ଓ ନର୍ସରୀରେ ୧୬ଲକ୍ଷ ଉନ୍ନତ ଚାରା ପ୍ରସ୍ତତ ସହିତ ତାହାକୁ ଚାଷୀମାନଙ୍କୁ ଯୋଗାଇ ଦିଆଯାଇଥିବା ଷ୍ଟାଣ୍ଡିଂ କମିଟି ରିପୋର୍ଟରେ ଉଲ୍ଲେଖ ଅଛି ।