Home Health କର୍କଟ ରୋଗ ସହିତ ଔଷଧ ଖର୍ଚ୍ଚ ବି ବଢୁଛି

କର୍କଟ ରୋଗ ସହିତ ଔଷଧ ଖର୍ଚ୍ଚ ବି ବଢୁଛି

ଭୁବନେଶ୍ୱର : ଓଡିଶା ସମେତ ସମଗ୍ର ଦେଶରେ କର୍କଟ ରୋଗର ଭୟାବହତା ବୃଦ୍ଧି ପାଉଥିବାବେଳେ ଏହାର ପ୍ରତିକାର ଓ ପ୍ରତିଷେଧ କରାଯିବା ପରିବର୍ତ୍ତେ କ୍ୟାନସର ରୋଗୀଙ୍କ ଚିକିତ୍ସା ଉପରେ ଅଧିକ ଗୁରୁତ୍ୱଆରୋପ ପ୍ରଦାନ କରି ସରକାର ଡାକ୍ତରଖାନାମାନ ଖୋଲିଥିବାବେଳେ ଔଷଧ କମ୍ପାନୀମାନେ ବି ଦାମୀ ଔଷଧ ବଜାରକୁ ଛାଡିବାରେ ବ୍ୟସ୍ତ ।

ଦେଶରେ ବର୍ଷକୁ ପ୍ରାୟ ୧୫ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନିତ ହେଉଥିବାବେଳେ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ବର୍ଷକୁ ପ୍ରାୟ ୧୦ଲକ୍ଷ ରହୁଛି । ସେହିଭଳି ଓଡିଶା ଭଳି ରାଜ୍ୟରେ ବର୍ଷକୁ ୫୦ହଜାରରୁ ଅଧିକ କର୍କଟରୋଗୀ ଚିହ୍ନିତ ହେଉଥିବାବେଳେ ଏହି ରୋଗରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ୩୦ହଜାରରୁ ଅଧିକ ରହୁଥିବା ବିଶେଷଜ୍ଞମାନେ ଅନୁମାନ କରୁଛନ୍ତି ।

ଚିକିତ୍ସା ବିଜ୍ଞାନୀମାନେ କହୁଛନ୍ତି ଯେ ପାନ, ଗୁଟ୍‍ଖା, ମଦ, ସିଗାରେଟ ଆଦି ମାଦକ ଦ୍ରବ୍ୟର ସେବନ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଓଡିଶା ସମେତ ସାରା ଦେଶରେ କର୍କଟରୋଗୀଙ୍କ ସଂଖ୍ୟା ବଢୁଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଶା ନିବାରଣ ଓ ତମାଖୁ ବର୍ଜନ ଦିବସ ଧୂମଧାମ୍‍ରେ ପାଳନ କରୁଥିବାବେଳେ ବସ୍ତୁତଃ କିନ୍ତୁ ନିଶା ନିବାରଣ କରୁନାହାନ୍ତି ।

ଲାଇସେନ୍ସପ୍ରାପ୍ତ ଦୋକାନଗୁଡିକରେ ଯେତେ ମଦ କାରବାର ହେଉଛି ତାହାର ଚାରି ପାଞ୍ଚଗୁଣରୁ ଅଧିକ ମଦ ଚୋରା ବଜାରରେ ହାଉଜାଉ ହେଉଛି । ସେହିଭଳି ଗଞ୍ଜେଇ, ଚରସ, ହେରୋଇନ୍‍, ବ୍ରାଉନସୁଗାର ଆଦି ନିଷିଦ୍ଧ ମାଦକଦ୍ରବ୍ୟ ମଧ୍ୟ ଖୋଲାଖୋଲି ଭାବେ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଉପଲବ୍ଧ ହେଉଛି । ସିଗାରେଟଖୋଳ ଉପରେ ଏହାର ସେବନ କରିବା ସ୍ୱାସ୍ଥ୍ୟପତି କ୍ଷତିକାରକ ଏବଂ ପାନମସଲା ଖୋଳ ଉପରେ ମୁଖଗହ୍ୱର କର୍କଟର ଭୟଙ୍କର ଚିତ୍ର ପ୍ରଦର୍ଶିତ ହେଉଥିବାବେଳେ ଏହାର ଉତ୍ପାଦନ, ବିପ୍ପଣନ ଓ ସେବନକୁ କିନ୍ତୁ ବନ୍ଦ କରାଯାଉନାହିଁ । ସେହିଭଳି ଓଡିଶା ସରକାର ୧୦ବର୍ଷ ଧରି ଗୁଟ୍‍ଖା ନିଷିଦ୍ଧ କରିଥିବାବେଳେ ଖୋଲାଖୋଲି ଭାବେ ହାଟ ବଜାରରେ ପ୍ରଚୁର ପରିମାଣର ଗୁଟ୍‍ଖା ଉପଲବ୍ଧ ହେଉଛି ।

ବୈଜ୍ଞାନିକମାନେ କହୁଛନ୍ତି ଯେ ଯଦି ନିଶାକୁ ସମ୍ପୂର୍ଣ୍ଣ ଭାବେ ନିପାତ କରାଯାଇ ପାରିବ ତେବେ ଫୁସ୍‍ଫୁସ୍‍ କର୍କଟ, ମୁଖଗହ୍ୱର କର୍କଟ ସମେତ ବିଭିନ୍ନ କିସମର କର୍କଟ ରୋଗ ନିୟନ୍ତ୍ରଣକୁ ଆସିପାରିବ । ସେହିଭଳି ଜଳବାୟୁରେ ପରିବର୍ତ୍ତନ, ଜୀବନଶୈଳୀରେ ବିଭ୍ରାଟ, ଖାଦ୍ୟପେୟରେ ଖରାପ ଅଭ୍ୟାସ, ବଜାରରେ ଅପମିଶ୍ରିତ ଖାଦ୍ୟ ପଦାର୍ଥର ବ୍ୟାପକ ବିକ୍ରି ସହିତ ଖାଦ୍ୟ ସଂରକ୍ଷଣ ଓ ଉତ୍ପାଦନ ପାଇଁ ବ୍ୟବହୃତ ରସାୟନିକ ପଦର୍ଥ, କୀଟନାଶକ, ହରମୋନ ଆଦି ମଧ୍ୟ କର୍କଟ ବୃଦ୍ଧିର ଅନ୍ୟତମ କାରଣ ହେଉଛି ।

କର୍କଟରୋଗ ବୃଦ୍ଧି ପାଉଥିବାରୁ ଏଥିରେ ଆକ୍ରାନ୍ତ ଲୋକଙ୍କ ସଂଖ୍ୟାକୁ ଆଖିଆଗରେ ରଖି ସରକାରୀ ଓ ବେସରକାରୀ ସ୍ତରରେ କର୍କଟ ଚିକିତ୍ସା କେନ୍ଦ୍ରମାନ ଖୋଲାଯାଉଛି । କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ, ରାଜ୍ୟ ସରକାରଙ୍କ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସମେତ ଯୋଜନାରେ ଚିକିତ୍ସା ଲାଗି ଯେତେ ଅର୍ଥ ଖର୍ଚ୍ଚ ହେଉଛି ସେଥିରୁ କର୍କଟରୋଗ ଲାଗି ସ୍ଥଳ ବିଶେଷରେ ଏହି କାର୍ଡରେ ଥିବା ସୀମା ସରିଯାଉଛି । ଏହାପରେ କର୍କଟରୋଗୀଙ୍କ ସମ୍ପର୍କୀୟମାନେ ସ୍ଥାବର ଅସ୍ଥାବର ସମ୍ପତ୍ତି ବିକ୍ରିକରି ସର୍ବସ୍ୱାନ୍ତ ହେଉଛନ୍ତି ।

ଏଥିରୁ ଫାଇଦା ଉଠାଇ କେତେକ କର୍ପୋରେଟ ସଂସ୍ଥା ନୂଆ ନୂଆ ଔଷଧ ବଜାରକୁ ଛାଡି ଶହ ଶହ କୋଟି ଟଙ୍କା ମୁନାଫା ଉଠାଉଛନ୍ତି । ସମାଜବିଜ୍ଞନୀମାନେ କହୁଛନ୍ତି ଯେ ଗୋଟିଏ ପଟେ ଆମ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ କର୍କଟରୋଗ ବ୍ୟାପିବାପାଇଁ ଥିବା ପ୍ରମୁଖ କାରଣଗୁଡିକ ପ୍ରୋତ୍ସାହନ ପାଇବା ଫଳରେ ଏହି ଭୟଙ୍କର ରୋଗ କମିବା ପରିବର୍ତ୍ତେ ବଢି ବଢି ଚାଲିଛି ଏବଂ ଏଥିପାଇଁ ବ୍ୟକ୍ତି, ପରିବାର ଓ ସରକାରଙ୍କ ବିପୁଳ ଅର୍ଥ ବରବାଦ ହେଉଛି । (ତଥ୍ୟ)