Home Health କର୍କଟ ପରୀକ୍ଷଣ କିଟ୍ ପ୍ରସ୍ତୁତ

କର୍କଟ ପରୀକ୍ଷଣ କିଟ୍ ପ୍ରସ୍ତୁତ

ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଜଣେ ଫ୍ୟାକଲ୍ଟିଙ୍କ ଦ୍ୱାରା ମୁଖ ଗହ୍ୱର କ୍ୟାନ୍ସରର ଅଭିନବ ନିଦାନ ଉତ୍ପାଦ ପ୍ରସ୍ତୁତ କରାଯାଇଥିବା ବେଳେ ଏହା ବର୍ତମାନ ଜନସାଧାରଣଙ୍କ ପାଇଁ ବଜାରରେ ଉପଲବ୍ଧ ହେବାକୁ ଯାଉଛି ।

ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ୍ ସାଇନ୍‌ସେସ୍‌ର ଓରାଲ ପାଥୋଲୋଜି ଓ ମାଇକ୍ରୋବାୟୋଲୋଜି ବିଭାଗରେ ପ୍ରଫେସର ଭାବେ କାର୍ଯ୍ୟ କରୁଥିବା ଡାକ୍ତର ସ୍ୱାଗତିକା ପଣ୍ଡା ଏହି ଅତ୍ୟାଧୁନିକ ଅଭିନବ ମୁଖ ଗହ୍ୱର କ୍ୟାନ୍ସର ପରୀକ୍ଷାର କିଟ୍ ଓ ଉତ୍ପାଦ ପ୍ରସ୍ତୁତ କରିଥିବା ବେଳେ ଏହାକୁ ମୁମ୍ବାଇରେ ଥିବା ଏକ ଫାର୍ମାସ୍ୟୁଟିକାଲ୍ କମ୍ପାନି ଉତ୍ପାଦନ ନିମନ୍ତେ ହାତକୁ ନେଇଛି ।

ଏହି ଉତ୍ପାଦକୁ ନେଇ ତିନି ଜଣଙ୍କ ମଧ୍ୟରେ ବୁଝାମଣା ହୋଇଛି । ଏମାନେ ହେଲେ ଡାକ୍ତର ପଣ୍ଡା, ମୁମ୍ବାଇ ସ୍ଥିତ ଫାର୍ମା କମ୍ପାନି ସୁପ୍ରିୟା ଫାର୍ମାସ୍ୟୁଟିକାଲ୍ ଓ ଡିପାର୍ଟମେଂଟ ଅଫ୍ ବାୟୋଟେକ୍ନୋଲୋଜି (ଡିବିଟି) ଅନ୍ତର୍ଗତ ଟେକ୍ନୋଲୋଜି ବିଜିନେସ୍ ଇନ୍‌କ୍ୟୁବେଟର ।

ଏହି ସହଭାଗିତାରେ ଟିବିଆଇର ଟେକ୍ନୋଲୋଜି ଟ୍ରାନ୍ସଫର ଅଫିସର ଡକ୍ତର ଅମରେଶ ପଣ୍ଡା ସହଯୋଗ କରିଥିଲେ ।

ଏହି ମୁଖଗହ୍ୱର ପରୀକ୍ଷା କିଟ୍‌ର ବିକାଶ ନିମନ୍ତେ ଡିବିଟି ଅନ୍ତର୍ଗତ ବାୟୋଟେକ୍ନୋଲେଜି ଇଣ୍ଡଷ୍ଟ୍ରି ରିସର୍ଚ୍ଚ ଆସିଷ୍ଟାଂନ୍ସ କାଉନ୍‌ସିଲ (ବିଆଇଆର୍‌ଏସି)ଦ୍ୱାରା ପ୍ରଦତ ବାୟୋଟେକ୍ନୋଲୋଜି ଇଗ୍ନିସନ୍ ଗ୍ରାଂଟ ମିଳିଥିଲା ।

ଏହି ଅଭିନବ ଉତ୍ପାଦକୁ ଆଇଡିଏସ୍‌ର ଓରାଲ ସର୍ଜରୀ ବିଭାଗ, ଓରାଲ ମେଡିସିନ୍ ଆଣ୍ଡ ରେଡିଓଲୋଜି ବିଭାଗ ଓ ଓରାଲ ପାଥୋଲୋଜି ବିଭାଗରେ ଅନେକ ଥର ପରୀକ୍ଷା କରାଯାଇଛି । ଏହି ଉତ୍ପାଦ ଦ୍ୱାରା ମୁଖଗହ୍ୱର କ୍ୟାନ୍ସରର ଆଗୁଆ ଚିହ୍ନଟ ଓ ପରୀକ୍ଷଣ କରିହେବ ।

ଏହି ଉତ୍ପାଦ ଦ୍ୱାରା ଶିକ୍ଷାନୁଷ୍ଠାନ ଓ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଖୁବ୍ ଉଚ୍ଚକୋଟୀର ସହଭାଗିତା ହୋଇପାରିବ । ସେହିପରି ଗବେଷଣା କ୍ଷେତ୍ରରେ ସମାଜର ହିତ ନିମନ୍ତେ ଏହା ସହାୟକ ହେବ ବୋଲି ଆଇଡିଏସ୍‌ର ଡିନ୍ ପ୍ରଫେସର (ଡାକ୍ତର) ନୀତା ମହାନ୍ତି କହିଛନ୍ତି ।