Home Covid କରୋନା ସଂକ୍ରମଣ ଦୈନିକ ୧୫ହଜାର ଛୁଇଁବ

କରୋନା ସଂକ୍ରମଣ ଦୈନିକ ୧୫ହଜାର ଛୁଇଁବ

ଭୁବନେଶ୍ୱର : ଆଠ ଦିନ ଭିତରେ ଓଡିଶାରେ କରୋନା ସଂକ୍ରମଣ ଅନ୍ୟୁନ ୧୨ଗୁଣ ବଢିଛି । ଏହି ହାର ଅବ୍ୟାହତ ରହିଲେ ମାସକ ଭିତରେ ଦୈନିକ ସଂକ୍ରମଣ ସଂଖ୍ୟା ୧୫ହଜାର ଛୁଇଁପାରେ ବୋଲି ବିଶେଷଜ୍ଞମାନେ ଆଶଙ୍କା କରୁଛନ୍ତି । କୋଭିଡ କଟକଣା କଡାକଡି ଭାବେ ଅନୁପାଳନ କରାନଗଲେ ପରିସ୍ଥିତି ଏତେ ଜଟିଳ ହୋଇପାରେ ଯେ ଡାକ୍ତରଖାନାରେ କରୋନା ରୋଗୀଙ୍କ ପାଇଁ ଶଯ୍ୟା ମିଳିବା ବି ମୁସ୍କିତ ହୋଇପଡିବ ।

ନୂଆବର୍ଷର ପ୍ରଥମ ଦିନରେ ରାଜ୍ୟରେ ୨୯୮ଜଣ ନୂଆ କରୋନା ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଆଜିର ସରକାରୀ ରିପୋର୍ଟ ଅନୁଯାୟୀ ଦୈନିକ ସଂକ୍ରମଣ ସଂଖ୍ୟା ୩୬୭୯ ହୋଇଛି । ଏଥିରୁ ଉଭୟ ଡେଲ୍‍ଟା ଓ ଓମିକ୍ରନ ପ୍ରଜାତିର ଦୌରାତ୍ମ୍ୟ ଯୋଗୁଁ କରୋନା ସଂକ୍ରମଣ କିଭଳି ହୁ ହୁ ହୋଇ ବଢୁଛି ତାହା ସହଜରେ ଅନୁମେୟ ।

ସରକାରୀ ତଥ୍ୟ ମୁତାବକ ୨୦୧୯ ଅକ୍ଟୋବର-ନଭେମ୍ବରରେ ଚୀନ୍‍ର ଉହାନରୁ କରୋନା ଭୂତାଣୁ ଚିହ୍ନିତ ହୋଇଥିବାବେଳେ ୬ମାସ ଭିତରେ ତାହା ସମଗ୍ର ବିଶ୍ୱକୁ ବ୍ୟାପି ଯାଇଥିଲା । ଭାରତ ଓ ଆମେରିକାରେ ପ୍ରଥମ କରୋନା ରୋଗୀ ୨୦୨୦ ଜାନୁୟାରୀ ଶେଷ ବେଳକୁ ଚିହ୍ନିତ ହୋଇଥିଲା । ଏବେସୁଦ୍ଧା ଆମେରିକାରେ ପ୍ରାୟ ୬କୋଟି ଲୋକ କରୋନାରେ ସଂକ୍ରମିତ ହୋଇସାରିଥିବାବେଳେ ସେମାନଙ୍କ ମଧ୍ୟରୁ ପ୍ରାୟ ୮ଲକ୍ଷ ୫୬ହଜାରଙ୍କ ମୃତ୍ୟୁ ଘଟିଲାଣି ।

ଦୁଇ ବର୍ଷ ଭିତରେ ଭାରତରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୩କୋଟି ୫୩ଲକ୍ଷରେ ପହଞ୍ଚି ଥିବାବେଳେ ଆମ ଦେଶରେ ପ୍ରାୟ ୪ଲକ୍ଷ ୮୪ହଜାର ଲୋକ କରୋନାରେ ପ୍ରାଣ ହରାଇଛନ୍ତି । କରୋନା ସଂକ୍ରମିତ ଥାଇ ଅନ୍ୟ ରୋଗରେ ବା କୋ-ମର୍ବିଡିଟିରେ ଏବଂ କରୋନାରୁ ସୁସ୍ଥ ହେବାପରେ ବିଭିନ୍ନ କାରଣରୁ ପୋଷ୍ଟ କୋଭିଡ ସମସ୍ୟାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସଂଖ୍ୟା ମିଶାଇଲେ ଏହା ଢେର ଅଧିକ ହେବ । ଏଯାବତ୍‍ ସମଗ୍ର ବିଶ୍ୱରେ ୩୦କୋଟିରୁ ଅଧିକ ଲୋକ କରୋନା ସଂକ୍ରମିତ ହୋଇ ସାରିଛନ୍ତି ଏବଂ ଏହି ବିଶ୍ୱ ମହାମାରୀ ପାଖାପାଖି ୫୫ଲକ୍ଷ ଲୋକଙ୍କ ଜୀବନ ନେଇ ସାରିଲାଣି ।

ଓଡିଶାରେ ପ୍ରଥମ କରୋନା ରୋଗୀ ୨୦୨୦ ମାର୍ଚ୍ଚ ମାସରେ ଚିହ୍ନିତ ହୋଇଥିବାବେଳେ ସେହିବର୍ଷ ସେପ୍ଟେମ୍ବର ୨୬ତାରିଖ ବେଳକୁ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ଦୈନିକ ସଂଖ୍ୟା ୪୩୫୬ରେ ପହଞ୍ଚିଥିଲା । କରୋନାର ଦ୍ୱିତୀୟ ଲହର ବେଳକୁ ୨୦୨୧ ମଇ ୨୩ତାରିଖରେ ଦୈନିକ ସଂକ୍ରମଣ ୧୨,୮୫୨ରେ ପହଞ୍ଚିଥିଲା । ସେତେବେଳେ ପରିସ୍ଥିତି ନିୟନ୍ତ୍ରଣ ପାଇଁ ବ୍ୟାପକ ସଂଖ୍ୟକ କ୍ୱାରେଣ୍ଟାଇନ୍‍ ସେଣ୍ଟର ଖୋଲାଯିବା ସହ ପ୍ରାୟ ପ୍ରତି ଜିଲ୍ଲାରେ ସ୍ୱତନ୍ତ୍ର କରୋନା ହସ୍ପିଟାଲମାନ ପ୍ରତିଷ୍ଠା କରାଯାଇ ପରିସ୍ଥିତି ନିୟନ୍ତ୍ରଣ କରାଯାଇଥିଲା ।

ଡେଲ୍‍ଟା ପ୍ରଜାତି ଅପେକ୍ଷା ଓମିକ୍ରନର ସଂକ୍ରମଣ ହାର ଅନ୍ୟୁନ ୬ଗୁଣ ଅଧିକ ବୋଲି ବୈଜ୍ଞାନିକମାନେ କହୁଛନ୍ତି । ପ୍ରଥମ ଓ ଦ୍ୱିତୀୟ ଲହର ବେଳେ କରୋନା କଟକଣା ଉଲ୍ଲଙ୍ଘନକାରୀଙ୍କ ପ୍ରତି ପୁଲିସ୍‍ ଓ ପ୍ରଶାସନ କଡା ଆଭିମୁଖ୍ୟ ଗ୍ରହଣ କରୁଥିବାବେଳେ ଭୟ ଘଟିତ ହୋଇ ସଂଖ୍ୟାଧିକ ଲୋକ କରୋନା ପାଇଁ ଥିବା ସରକାରୀ ମାର୍ଗ ନିର୍ଦ୍ଦେଶିକା ମାନୁଥିଲେ ।

ଏବେ ରାସ୍ତା ଘାଟ ଠାରୁ ଆରମ୍ଭ କି ହାଟ, ବଜାର, ମଲ୍‍ ଆଦି ପର୍ଯ୍ୟନ୍ତ ଯେଭଳି ଅସମ୍ଭବ ଭିଡ ହେଉଛି ଏବଂ ଭୋଜିଭାତର ଆସର ଜମୁଛି ତାହା ଅବ୍ୟାହତ ରହିଲେ କରୋନା ସଂକ୍ରମିତ ସଂଖ୍ୟା ଢେର ବୃଦ୍ଧିର ଆଶଙ୍କା ରହିଛି । ପରିସ୍ଥିତି ନିୟନ୍ତ୍ରଣ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବାରମ୍ବାର ଚେତାବନୀ ଦେଇ ଆସୁଛନ୍ତି । ତେବେ ବ୍ୟବସ୍ଥା ଢିଲା ହୋଇଯାଉଥିବାରୁ ଏହି ମାର୍ଗ ନିର୍ଦ୍ଦେଶିକାର କଡାକଡି ଅନୁପାଳନ ହେଉନାହିଁ ଯାହା କରୋନା ମହାମାରୀ ସମ୍ପ୍ରସାରଣରେ ସହାୟକ ହେଉଛି । (ତଥ୍ୟ)