Home Covid କରୋନା ମୃତ୍ୟୁରେ ନୂଆ ରେକର୍ଡ

କରୋନା ମୃତ୍ୟୁରେ ନୂଆ ରେକର୍ଡ

ଭୁବନେଶ୍ୱର : କରୋନା ମୃତ୍ୟୁରେ ରାଜ୍ୟରେ ନୂଆ ରେକର୍ଡ ସୃଷ୍ଟି ହୋଇଛି । ଗୋଟିଏ ଦିନରେ ସରକାରୀ ଭାବେ ରାଜ୍ୟରେ ସର୍ବାଧିକ ୪୦ଜଣ କରୋନାରେ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୮୩୧ରେ ପହଞ୍ଚିଛି । ତେବେ ରାଜ୍ୟରେ ଅଣକୋଭିଡ ଜନିତ ମୃତ୍ୟୁସଂଖ୍ୟା ୫୩ରେ ସ୍ଥିର ରହିଛି ।

ମୃତ୍ୟୁବରଣ କରିଥିବା ୪୦ଜଣଙ୍କ ମଧ୍ୟରେ ଅନୁଗୁଳ, କଟକ, କଳାହାଣ୍ଡି ଓ ଖୋରଧାରୁ ୫ଜଣ କରି ଥିବାବେଳେ ଝାରସୁଗୁଡାରୁ ୪ଜଣ, ରାୟଗଡା ଓ ବୌଦରୁ ୩ଜଣ କରି, ସମ୍ବଲପୁର, ନବରଙ୍ଗପୁର ଓ ଦେବଗଡରୁ ୨ଜଣ କରି ଏବଂ ମାଲକାନଗିରି, ଯାଜପୁର, ବାଲେଶ୍ୱର ଓ ଢେଙ୍କାନାଳରୁ ଜଣେ କରି ରହିଛନ୍ତି ।

ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ୧୦ହଜାର ତଳକୁ ଆସିଥିବାବେଳେ ମୃତ୍ୟୁସଂଖ୍ୟା କିନ୍ତୁ ବଢିବାରେ ଲାଗିଛି । ଗତ ୨୪ଘଣ୍ଟା ମଧ୍ୟରେ ୬୬,୬୮୩ଟି କୋଭିଡ ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୮୩୯୯ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୭,୮୨,୧୩୧ରେ ପହଞ୍ଚିଛି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୧୦୨ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୭୬୬, ଯାଜପୁରରୁ ୫୧୪, ମୟୁରଭଞ୍ଜରୁ ୪୮୫, ସୁନ୍ଦରଗଡରୁ ୪୭୭, ପୁରୀରୁ ୪୭୫, ଅନୁଗୁଳରୁ ୪୬୮, ଢେଙ୍କାନାଳରୁ ୪୫୧, ଜଗତ୍‍ସିଂହପୁରରୁ ୨୬୯, ରାୟଗଡାରୁ ୨୯୨, ବାଲେଶ୍ୱରରୁ ୨୪୦, ନୟାଗଡରୁ ୨୨୩ ଓ କେନ୍ଦ୍ରାପଡାରୁ ୨୧୦ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲାଗୁଡିକରେ ସଂକ୍ରମଣ ସଂଖ୍ୟା ଦୁଇଶହରୁ କମ୍‍ ଥିବାବେଳେ ସବୁଠାରୁ କମ୍‍ ୩୪ସଂକ୍ରମିତ ନୂଆପଡା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡାରୁ ୫୩, ଗଞ୍ଜାମରୁ ୬୫, ଗଜପତିରୁ ୮୦, ଦେବଗଡରୁ ୮୧ ଓ କନ୍ଧମାଳରୁ ୯୫ଜଣ ନୂଆ ସଂକ୍ରମିତ ମିଳିଛନ୍ତି ।

ରାଜ୍ୟରେ କରୋନା ନମୂନା ପରୀକ୍ଷା ୧କୋଟି ୧୯ଲକ୍ଷକୁ ଅତିକ୍ରମ କରିଥିବାବେଳେ ମୋଟ୍‍ ପରୀକ୍ଷା ମଧ୍ୟରୁ ୬.୫୭ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛନ୍ତି ।