Home Health କରୋନା ମୁକ୍ତଙ୍କୁ ପରାମର୍ଶ

କରୋନା ମୁକ୍ତଙ୍କୁ ପରାମର୍ଶ

ଭୁବନେଶ୍ୱର : କରୋନାରୁ ଆରୋଗ୍ୟଲାଭ କରୁଥିବା ଲୋକ ହୁସିଆର ନରହିଲେ ଭବିଷ୍ୟତରେ ସାଂଘାତିକ ସମସ୍ୟାର ସମ୍ମୁଖୀନ ହେବେ । ଏମିତିକି ଅନ୍ୟ ରୋଗରେ ବି ମୃତ୍ୟୁବରଣ କରିପାରନ୍ତି । ତେଣୁ ଲୋକେ ଯେଭଳି କରୋନାରେ ସଂକ୍ରମିତ ନହେବେ ଏବଂ ସଂକ୍ରମିତ ହୋଇଥିବା ଲୋକ ସୁସ୍ଥ ହେବାପରେ ଯେମିତି ଅସୁବିଧାରେ ନପଡନ୍ତି ସେ ଦିଗ ପ୍ରତି ସତର୍କ ଦୃଷ୍ଟି ରଖିବାକୁ ବୈଜ୍ଞାନିକମାନେ ପରାମର୍ଶ ଦେଇଛନ୍ତି ।

କରୋନା କେବଳ ଶ୍ୱାସନଳୀ ଓ ଫୁସ୍‍ଫୁସ୍‍କୁ ଦୁର୍ବଳ କରୁନାହିଁ ଭିନ୍ନ ଭିନ୍ନ ମଣିଷଙ୍କ ରୋଗ ପ୍ରତିରୋଧଶକ୍ତି ଓ ଅନ୍ୟାନ୍ୟ ଅଙ୍ଗ ପ୍ରତ୍ୟଙ୍ଗର ଅବସ୍ଥାକୁ ଦେଖି ପରବର୍ତ୍ତୀ ସମୟରେ ଘାତକ ହେଉଛି । ବହୁ କ୍ଷେତ୍ରରେ ସୁସ୍ଥ କରୋନା ରୋଗୀଙ୍କ ରକ୍ତଜମାଟ ବାନ୍ଧିବା, ରକ୍ତ ବହଳିଆ ହେବା ଆଦି କାରଣରୁ ହୃଦରୋଗର ସମ୍ଭାବନା ରହୁଛି ।

ଏହା ସହିତ ସ୍ଥଳ ବିଶେଷରେ ଫୁସ୍‍ଫୁସ, ବୃକକ, ଯକୃତ, ପାକସ୍ଥଳୀ ସମେତ ସ୍ନାୟୁବିକ ବ୍ୟବସ୍ଥା ଉପରେ ମଧ୍ୟ ପ୍ରଭାବ ପକାଉଛି । ମଣିଷକୁ ଦୁର୍ବଳ କରିଦେବା ସହ କେତେକ କ୍ଷେତ୍ରରେ ସ୍ମୃତିଶକ୍ତି ହ୍ରାସ ଠାରୁ ଆରମ୍ଭକରି ଆଲଜିମର୍ସ ପର୍ଯ୍ୟନ୍ତ ରୋଗ ବି ବଢୁଛି । ମୋଟାମୋଟି ଭାବେ କରୋନାରୁ ମୁକ୍ତ ହେଉଥିବା ରୋଗୀଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହେଉଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ବି ପୁଣି କରୋନା ସଂକ୍ରମିତ ହେବାର ଢେର ଆଶଙ୍କା ରହୁଛି ।

କାର୍ଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟରେ କରୋନା ଉପରେ ପ୍ରାୟ ଦେଢବର୍ଷ ଧରି ଗବେଷଣା କରୁଥିବା ଯୁବ ଓଡିଆ ବୈଜ୍ଞାନିକ ଡକ୍ଟର ସ୍ୱୟଂପ୍ରକାଶ କହିଛନ୍ତି ଯେ ଏ ସଂକ୍ରାନ୍ତରେ ବୈଜ୍ଞାନିକମାନେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ କରିଛନ୍ତି । ଦେଶ ବିଦେଶରେ କରୋନା ପରବର୍ତ୍ତୀ ସ୍ଥିତି ସଂକ୍ରାନ୍ତରେ ଏବେ ଚାଲିଥିବା ବ୍ୟାପକ ଗବେଷଣାରୁ ଏଭଳି ଅନେକ ଉଦ୍‍ବେଗଜନକ ଘଟଣା ଜଣାପଡୁଛି ।

ସାଧାରଣତଃ ବୃକକ, ଯକୃତ, ସ୍ନାୟୁବିକ ଓ ଫୁସ୍‍ଫୁସ, ହୃଦ୍‍ରୋଗ ଆଦିରେ ବିପଦର ସମ୍ଭାବନା ଯେତିକି ଥାଏ କରୋନା ସଂକ୍ରମିତଙ୍କ କ୍ଷେତ୍ରରେ ତାହା ଢେର ଅଧିକ । ଏମିତିକି କରୋନାରୁ ମୁକ୍ତହେବା ପରେ ଯେଉଁମାନଙ୍କୁ ଅନ୍ୟାନ୍ୟ ରୋଗ ହେଉଛି ତାହା ହଠାତ୍‍ ବଢିଯାଉଛି । ଭାରତ ପରିପ୍ରେକ୍ଷୀରେ କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକମାନେ ଯେମିତି ଡେଙ୍ଗୁ, ମ୍ୟାଲେରିଆ, ଟାଇଫଏଡ, ଶ୍ୱାସ, ଅନ୍ୟାନ୍ୟ ଥଣ୍ଡାଜ୍ୱର ଆଦିରେ ପୀଡିତ ନହୁଅନ୍ତି ସେଥିପ୍ରତି ବିଶେଷ ସତର୍କତା ଅବଲମ୍ବନ କରିବା ଆବଶ୍ୟକ ।

ଏ ପରିପ୍ରେକ୍ଷୀରେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମେତ କେନ୍ଦ୍ର ଓ ରାଜ୍ୟ ସରକାରମାନେ କରୋନା ସଂକ୍ରମଣ ରୋକିବାପାଇଁ ଯେଉଁସବୁ ମାର୍ଗନିର୍ଦ୍ଦେଶିକା ଜାରି କରୁଛନ୍ତି ଲୋକେ ତାହାର ଠିକଣା ଅନୁପାଳନ ନକଲେ କରୋନାର ତୃତୀୟ ଲହର ଅତି ସାଂଘାତିକ ହୋଇପାରେ । କେବଳ ତୃତୀୟ ଲହର ନୁହେଁ ଏହାପରେ ଆଉ ଅନେକ ଲହର ଆସିବାର ମଧ୍ୟ ଆଶଙ୍କା ରହିଛି ବୋଲି ସେ କହିଛନ୍ତି । ବିଶେଷକରି କରୋନା ଚିକିତ୍ସା ପାଇଁ ଦିଆଯାଉଥିବା କେତେକ ନିର୍ଦ୍ଦିଷ୍ଟ ଔଷଧର ପାଶ୍ୱର୍ ପ୍ରତିକ୍ରିୟା ଯୋଗୁଁ ଯେଉଁ ସମସ୍ୟା ସୃଷ୍ଟିହେଉଛି ତାହାକୁ ଉପଯୁକ୍ତ ଚିକିତ୍ସା ଓ ଶୃଙ୍ଖଳିତ ଜୀବନଚର୍ଯ୍ୟା ଦ୍ୱାରା ନିୟନ୍ତ୍ରିତ କରାଯାଇ ପାରିବ ।

କେତେକ କ୍ଷେତ୍ରରେ କରୋନା ମୁକ୍ତ ବ୍ୟକ୍ତିଙ୍କ ଯକୃତରେ କିଛି ପଦାର୍ଥ ଜମି କର୍କଟ ରୋଗ ସୃଷ୍ଟି ହେଉଛି । ତେଣୁ ନିୟମିତ ବ୍ୟବଧାନରେ ଡାକ୍ତରମାନଙ୍କ ପରାମର୍ଶକ୍ରମେ ପରୀକ୍ଷା ନିରୀକ୍ଷା କରିବା ଓ ଯେତେଶୀଘ୍ର ଲୋକେ ଟିକା ନେଇପାରିବେ ସେ ଦିଗରେ ଧ୍ୟାନଦେବା ସହ ଦ୍ୱିତୀୟ ଡୋଜ୍‍ ପରେ ବୁଷ୍ଟର ଡୋଜ୍‍ ପାଇଁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ଡକ୍ଟର ସ୍ୱୟପ୍ରକାଠ ମତ ଦେଉଛନ୍ତି ।