Home Covid କରୋନା ମାଡ଼ରେ ଗଣମାଧ୍ୟମ କ୍ଷତିଗ୍ରସ୍ତ

କରୋନା ମାଡ଼ରେ ଗଣମାଧ୍ୟମ କ୍ଷତିଗ୍ରସ୍ତ

95
0

ଭୁବନେଶ୍ୱର : କରୋନାରେ ଗଣମାଧ୍ୟମ ଶିଳ୍ପ ସାଙ୍ଘାତିକ ଭାବେ ପ୍ରଭାବିତ ହୋଇଛି । ଏଯାବତ୍‍ ଗଣମାଧ୍ୟମ ସହ ଜଡ଼ିତ ଅନ୍ୟୁନ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ସଂକ୍ରମିତ ହୋଇସାରିଲେଣି । ଏଥିଯୋଗୁ ଖବରକାଗଜ ଠାରୁ ଆରମ୍ଭ କରି ବୈଦ୍ୟୁତିକ ଗଣମାଧ୍ୟମ ପର୍ଯ୍ୟନ୍ତ ଅତି ବିପଦଜ୍ଜନକ ସ୍ଥିତିରେ ରହି ମଧ୍ୟ ଜନସାଧାରଣଙ୍କୁ ଖବର ଯୋଗାଇବା କାମରେ ବ୍ରତୀ ଅଛନ୍ତି ।

କରୋନାକୁ ଲଗାମଛଡ଼ା ପ୍ରସାରଣର ମାଡ଼ ଏବେ ବିଭିନ୍ନ ସମ୍ବାଦପତ୍ର ପ୍ରତିଷ୍ଠାନ ଓ ଟିଭି ଚ୍ୟାନେଲଗୁଡ଼ିକରେ ଦେଖିବାକୁ ମିଳିଛି । ଭୁବନେଶ୍ୱରରୁ ରାଉରକେଲା ଏବଂ ବ୍ରହ୍ମପୁରରୁ ସମ୍ବଲପୁର ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅନେକ ସାମ୍ବାଦିକଙ୍କ କରୋନାରେ ଦେହାନ୍ତ ହୋଇଥିବା ବେଳେ ଆଉ କେତେକ ସଂକ୍ରମିତ ହୋଇ ବର୍ତ୍ତିଯାଇଛନ୍ତି । ଏମିତିକି ଗଣମାଧ୍ୟମ ଶିଳ୍ପ ସହ ଜଡ଼ିତ ଅନେକ ସାମ୍ବାଦିକ ଓ ଅଣସାମ୍ବାଦିକଙ୍କ ପରିବାରବର୍ଗ ମଧ୍ୟ କରୋନା କୋପରୁ ବର୍ତ୍ତି ନାହାନ୍ତି ।

ଛୋଟ ବଡ଼ ବହୁ ସମ୍ବାଦପତ୍ରରେ କାର୍ଯ୍ୟରତ ଅନେକ ସାମ୍ବାଦିକ, ସମ୍ପାଦକ ଓ ସହସମ୍ପାଦକ ଇତ୍ୟାଦି ଏ ପରିପ୍ରେକ୍ଷୀରେ ପ୍ରେସ୍‍କୁ ନ ଆସି ଘରେ ରହି କାର୍ଯ୍ୟ କରିବାକୁ ବାଧ୍ୟ ହେଉଛନ୍ତି । ଏମାନଙ୍କ ଛଡ଼ା ଖବରକାଗଜଗୁଡ଼ିକର ପ୍ରସାନିକ, ଅର୍ଥ, ବିଜ୍ଞାପନ, ପ୍ରସାରଣ, ଡିଟିପି ଓ ମୁଦ୍ରଣ ଆଦି ବିଭାଗରେ କରୋନା ସଂକ୍ରମଣ ଯୋଗୁ ଅନେକ କର୍ମଚାରୀ ପ୍ରେସ୍‍ ଆସୁନାହାନ୍ତି ।

ଆଉ କେତେକ କରୋନା ଡରରେ ପ୍ରେସ୍‍ ଆସିବାକୁ ପଛାଉଛନ୍ତି । ଏ ପରିପ୍ରେକ୍ଷୀରେ ଖବର ସଂଗ୍ରହଠାରୁ ଆରମ୍ଭ କରି ଏହାର ସମ୍ପାଦନ ଓ ମୁଦ୍ରଣ ଲାଗି ଯେତେ ମାନବସମ୍ବଳ ଦରକାର ତାହାଠାରୁ ଢେର୍‍ କମ୍‍ ଲୋକଙ୍କୁ ନେଇ ଅନେକ ସମ୍ବାଦପତ୍ର ଚାଲୁଛି ।

କରୋନା ଯୋଗୁ ବେସରକାରୀ ସଂସ୍ଥାଗୁଡ଼ିକ ବ୍ୟାପକ ଭାବେ ପ୍ରଭାବିତ ହୋଇଥିବାରୁ ପୂର୍ବରୁ ଯେତେ ବିଜ୍ଞାପନ ମିଳୁଥିଲା ତାହା ଅନେକାଂଶରେ କମିଯାଇଛି । ସେହିପରି ଗତବର୍ଷଠାରୁ କରୋନା ଆତଙ୍କରେ ଅନେକ ଲୋକ ଖବରକାଗଜ କିଣିବା ବନ୍ଦ କରିଦେଇଛନ୍ତି । ଲକ୍‍ଡାଉନ୍‍, ସଟ୍‍ଡାଉନ୍‍ ଆଦି ପାଇଁ ବସ୍‍ଷ୍ଟାଣ୍ଡ, ରେଳଷ୍ଟେସନ ଓ ଅନ୍ୟ କର୍ଣ୍ଣରମାନଙ୍କରେ ଖବରକାଗଜ ବିକ୍ରି ମଧ୍ୟ ବେଶ୍‍ ପ୍ରଭାବିତ ହୋଇଛି ।

ଇତିମଧ୍ୟରେ ଖବରକାଗଜଗୁଡ଼ିକ କରୋନା ଦୃଷ୍ଟିରୁ ନିରାପଦ ବୋଲି ବିଭିନ୍ନ ବୈଷୟିକ ସଂସ୍ଥା ମତ ରଖିସାରିଛନ୍ତି । ଏହା ସତ୍ତ୍ୱେ ବି ରୋଜଗାର ହ୍ରାସ ପାଉଥିବାରୁ ଅନେକ ପରିବାର ଖବରକାଗଜ କିଣିପାରୁନାହାନ୍ତି । ଏ ପରିପ୍ରେକ୍ଷୀରେ ଖବରକାଗଜ ସହ ଜଡ଼ିତ ସାମ୍ବାଦିକ ଓ ଅଣସାମ୍ବାଦିକମାନଙ୍କୁ ବେତନ ଦେବା ମୁସ୍କିଲ ହୋଇପଡ଼ୁଛି ବୋଲି ଛପେଇ ଗଣମାଧ୍ୟମ ସହ ଜଡ଼ିତ ବହୁ କର୍ମକର୍ତ୍ତା ସ୍ୱୀକାର କରୁଛନ୍ତି ।

ଟେଲିଭିଜନ ଚ୍ୟାନେଲଗୁଡ଼ିକର ମଧ୍ୟ ଅନୁରୂପ ସମସ୍ୟା ଲାଗି ରହିଛି । ସିରିଏଲ୍‍ ସୁଟିଂ ଉପରେ କଟକଣା ଲାଗିବା ଫଳରେ ବିଭିନ୍ନ ଚ୍ୟାନେଲ ପ୍ରସାରଣ କରୁଥିବା ମନୋରଞ୍ଜନ ଧର୍ମୀ ସିରିଏଲ୍‍ ସବୁ ପ୍ରସ୍ତୁତି କରିବା କାଠିକର ପାଠ ହୋଇପଡ଼ୁଛି । ଏଥିଯୋଗୁ କଳାକାରଙ୍କଠାରୁ ଆରମ୍ଭ କରି କ୍ୟାମେରାମ୍ୟାନ୍‍ ଓ ଅନ୍ୟ କର୍ମଚାରୀମାନେ ଏକପ୍ରକାର ହାତବାନ୍ଧି ବସିଛନ୍ତି ।

କରୋନା ମାଡ଼ରେ ସାମ୍ବାଦିକଙ୍କ ଜୀବନ ବିପନ୍ନ ସ୍ଥିତିରେ ଥିବାରୁ ସରକାର ସେମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କରିିବା ସହ ଏହି ମହାମାରୀରେ ମୃତ୍ୟୁବରଣ କରୁଥିବା ସାମ୍ବାଦିକଙ୍କ ପରିବାରବର୍ଗଙ୍କୁ ମଧ୍ୟ ସହାୟତା ରାଶି ଦେଉଛନ୍ତି । ତେବେ ଅଣସାମ୍ବାଦିକମାନଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରିବାକୁ ମତପ୍ରକାଶ ପାଉଛି ।

ଅନେକ ଚ୍ୟାନେଲ୍‍ରେ ଉଭୟ ସମ୍ବାଦ ଅନ୍ୟ ବିଭାଗଗୁଡ଼ିକର କର୍ମଚାରୀମାନେ ସଂକ୍ରମିତ ହୋଇଥିବା ଓ ସଂକ୍ରମଣର ଆଶଙ୍କା କରୁଥିବା ଯୋଗୁ ଚ୍ୟାନେଲ୍‍ ପାଇଁ ସମ୍ବାଦ ସଂଗ୍ରହ, ଏହାର ପରିବେଷଣ ଏବଂ ଚ୍ୟାନେଲ୍‍ ଆଲୋଚନାଗୁଡ଼ିକ ମଧ୍ୟ ବେଶ୍‍ ପ୍ରଭାବିତ ହେଉଥିବା କେତେକ ଟିଭି ଚ୍ୟାନେଲ୍‍ ସୂତ୍ରରୁ ଜଣାପଡ଼ିଛି । ମୋଟାମୋଟି ଭାବେ କରୋନା ଗଣମାଧ୍ୟମ ଶିଳ୍ପଗୁଡ଼ିକର ଆର୍ଥିକ ମେରୁଦଣ୍ଡ ଉପରେ ଶକ୍ତ ପ୍ରାହାର କରିଚାଲିଛି । (ତଥ୍ୟ)

LEAVE A REPLY

Please enter your comment!
Please enter your name here