Home Industry କରୋନା ମାଡରେ ୩ହଜାରରୁ ଅଧିକ ଶିଳ୍ପ ବନ୍ଦ

କରୋନା ମାଡରେ ୩ହଜାରରୁ ଅଧିକ ଶିଳ୍ପ ବନ୍ଦ

ଭୁବନେଶ୍ୱର : କରୋନା ସମୟରେ ରାଜ୍ୟରେ ୩ହଜାରରୁ ଅଧିକ ଛୋଟ ଛୋଟ ଶିଳ୍ପ ବନ୍ଦହୋଇ ଯାଇଛି । ବନ୍ଦ ଶିଳ୍ପ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ରହିଛି ।

କରୋନା ସ୍ଥିତିରେ ରାଜ୍ୟରେ ବନ୍ଦହୋଇ ଯାଇଥିବା କ୍ଷୁଦ୍ର ଶିଳ୍ପ ସଂକ୍ରାନ୍ତରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନିପତି ପଚାରିଥିବା ପ୍ରଶ୍ନର ଉତ୍ତରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ସାମ୍ପ୍ରତିକ କରୋନା ସ୍ଥିତିରେ ଗତବର୍ଷ ଏପ୍ରିଲ ସୁଦ୍ଧା ୩୨୦୭ ଟି ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବନ୍ଦହୋଇ ଯାଇଛି ।

ବନ୍ଦ ହୋଇଥିବା ଶିଳ୍ପ ମଧ୍ୟରେ ବାଲେଶ୍ୱରରେ ସର୍ବାଧିକ ୪୮୪ ଟି ୟୁନିଟ୍‍ ଥିବାବେଳେ ସମ୍ବଲପୁରରେ ୩୨୧, ଗଞ୍ଜାମରେ ୨୮୪, ସୁନ୍ଦରଗଡରେ ୨୭୨ ଓ ଭଦ୍ରକରେ ୧୫୭ଟି ରହିଛି । କୋଭିଡ ମହାମାରୀ ସମୟରେ ଉଦ୍ୟୋଗମାନଙ୍କୁ ସହାୟତା ପାଇଁ ଇର୍ମଜେନ୍ସି କ୍ରେଡିଟ ଲାଇନ୍‍ ଗ୍ୟାରେଣ୍ଟି ସ୍କିମ୍‍ ରେ ବ୍ୟାଙ୍କମାନଙ୍କ ଦ୍ୱାରା ସହାୟତା ପାଇଥିବା ଉଦ୍ୟୋଗମାନଙ୍କୁ ପୁରୁଷଙ୍କ କ୍ଷେତ୍ରରେ ୨ ପ୍ରତିଶତ ଓ ମହିଳାଙ୍କ କ୍ଷତ୍ରରେ ୫ ପ୍ରତିଶତ ହିସାବ ୧୦୮କୋଟି ୨୯ଲକ୍ଷ ଟଙ୍କା ସୁଧରେ ଅର୍ଥ ସହାୟତା ଯୋଗାଇବାକୁ ବ୍ୟୟ ଅଟକଳ ହୋଇଥିଲା ।

ସେହି ଅନୁଯାୟୀ ବିଭାଗ ପକ୍ଷରୁ ୯୯କୋଟି ୮୭ଲକ୍ଷ ୨୨ହଜାର ଟଙ୍କା ମଞ୍ଜୁର କରିଛନ୍ତି ଏବଂ ସେଥି ମଧ୍ୟରୁ ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ୪୭୩ଜଣ ଉଦ୍ୟୋଗୀଙ୍କ ସପକ୍ଷରେ ୭,୫୪,୯୩୨.୨୪ ଟଙ୍କା ବଣ୍ଟନ ହୋଇଛି । ତେବେ ବନ୍ଦ ହୋଇଥିବା ଉଦ୍ୟୋଗଗୁଡିକୁ ଚିହ୍ନଟ ପାଇଁ ରାଜ୍ୟ ସରକାର ଏମ୍‍ଏସ୍‍ଏମ୍‍ଇ ଗଣନା ୨୦୨୧ ପ୍ରକ୍ରିୟା ଆରମ୍ଭ ହୋଇଛି । (ତଥ୍ୟ)