Home Environment କରୋନା ପାଇଁ ବାଲିଯାତ୍ରା ବନ୍ଦ

କରୋନା ପାଇଁ ବାଲିଯାତ୍ରା ବନ୍ଦ

କରୋନା ମହାମାରୀ ଯୋଗୁଁ ଚଳିତବର୍ଷର ଐତିହାସିକ କଟକ ବାଲିଯାତ୍ରା ଅନୁଷ୍ଠିତ ହେବନାହିଁ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ ଆଜି ଏହି ସୂଚନା ଦେଇଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତବର୍ଷ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଠାରୁ କଟକର ବାଲିଯାତ୍ରା ପଡିଆରେ ରାଜ୍ୟର ଏହି ବୃହତ୍‍ ମେଳା ଆୟୋଜିତ ହୋଇଥାଏ । ରାଜ୍ୟ ତଥା ରାଜ୍ୟ ବାହାରୁ ବହୁ ବ୍ୟବସାୟୀ ଓ ବ୍ୟବସାୟିକ ସଂସ୍ଥା ମେଳାରେ ଅଂଶଗ୍ରହଣ କରୁଥିବାବେଳେ ପ୍ରତିଦିନ ଲକ୍ଷାଧିକ ଲୋକ ମେଳା ପରିସରରେ ରୁଣ୍ଡ ହୋଇଥାନ୍ତି ।

ମହାନଦୀ କୂଳରେ ଆୟୋଜିତ ଏହି ମେଳାରେ ପ୍ରତିଦିନ ସଂଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଭଳି ଭଳିକି ଖାଦ୍ୟର ମଜା ଉଠାଇବାପାଇଁ କଟକ ସହର ସମେତ ରାଜ୍ୟର କୋଣ ଅନୁକୋଣରୁ ଲୋକେ ବାଲିଯାତ୍ରା ଦେଖିବାକୁ ଛୁଟି ଆସିଥାନ୍ତି । ତେବେ ଚଳିତବର୍ଷ ଲୋକେ ଏହି ମେଳା ଦେଖିବା ସୁଯୋଗରୁ ବଞ୍ଚିତ ହେବେ ।

କରୋନା ମହାମାରୀ ଯୋଗୁଁ ଲୋକଙ୍କ ଏକତ୍ରିତ ଉପରେ ସରକାରୀ କଟକଣା ଲାଗିଥିବାରୁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାଯାଇଛି । ମାର୍ଚ୍ଚ ମାସରୁ କରୋନା ଦେଖାଦେବାପରେ ସରକାର ଏହି କଟକଣା ଜାରିଛନ୍ତି । ଯେଉଁଥିପାଇଁ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଧର୍ମପୀଠ ସହିତ ଶିକ୍ଷାନୁଷ୍ଠାନ ଖୋଲିବା ଉପରେ କଟକଣା ଜାରି ରହିଛି ।