Home News in Odia କରୋନା ପାଇଁ ପିପିଲିବାସୀ ଛାନିଆ

କରୋନା ପାଇଁ ପିପିଲିବାସୀ ଛାନିଆ

ଭୁବନେଶ୍ୱର : କରୋନାର ଭୟାବହ ସ୍ଥିତିକୁ ରୋକିବାପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଜାରି କରିଥିବା କଟକଣା ପରିପ୍ରେକ୍ଷୀରେ ଏବର୍ଷ ଓଡିଆଙ୍କ ଆଦିପର୍ବ ଦୋଳ ମେଳଣ ଗାଁରେ ଗାଁରେ ବାଧାପ୍ରାପ୍ତ ହୋଇଥିବାବେଳେ ପିପିଲି ଡେଲାଙ୍ଗ ଅଞ୍ଚଳରେ କିନ୍ତୁ ଯେପରି ଶହ ଶହ ନେତାଙ୍କ ମେଳଣ ଚାଲିଛି ସେଥିରୁ କୋଭିଡ ପ୍ରସଙ୍ଗରେ ସେ ଅଞ୍ଚଳର ସାଧାରଣ ଲୋକେ ଏକ ପ୍ରକାର ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ପିପିଲିରେ ଏବେ ବିଧାନସଭା ଉପନିର୍ବାଚନ ପ୍ରଚାର ଚାଲିଛି । ଏହି ନିର୍ବାଚନମଣ୍ଡଳୀ ଅଞ୍ଚଳରେ ଥିବା ହରିରାଜପୁର ଠାରେ ଦୋଳ ପୂର୍ଣ୍ଣିମା ପରେ ପରେ ରାଜ୍ୟର ସବୁଠାରୁ ବଡ ମେଳଣ ହୋଇଥାଏ । ସୋମନାଥଦେବଙ୍କ ସମେତ ଆଖପାଖ ଗାଁ ଗହଳରୁ ଅନେକ ସୁସଜ୍ଜିତ ବିମାନରେ ଠାକୁରମାନଙ୍କ ବିଗ୍ରହ ଆସି ତିନିଦିନ ଧରି ଏଠାରେ ପୂଜିତ ହୋଇଥାନ୍ତି ଏବଂ ମେଳଣ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ହରିରାଜପୁରରେ ସୃଷ୍ଟି ହେଉଥିବା ଉତ୍ସବମୁଖର ପରିବେଶରେ ପ୍ରତିଦିନ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ତେବେ କରୋନା କଟକଣା ପରିପ୍ରେକ୍ଷୀରେ କେବଳ ବିଧିପାଳନ ପାଇଁ ବିଗ୍ରହମାନଙ୍କୁ ଅଣାଯାଇଥିବାବେଳେ ଜନସମାଗମ ଓ ଦୋକାନବଜାର ଉପରେ କଟକଣା ଲାଗିଛି ।

କେବଳ ହରିରାଜପୁର ନୁହେଁ, ପିପିଲି-ଡେଲାଙ୍ଗର ଅନେକ ସ୍ଥାନରେ ଏବର୍ଷ କରୋନା ପାଇଁ ଦୋଳ ମେଳଣ ଫିକା ପଡିଯାଇଛି । ବେରବୋଇ ଠାରୁ ବଳଙ୍ଗା ପର୍ଯ୍ୟନ୍ତ ମେଳଣ ପଡିଆ ଖାଁ ଖାଁ । ଲୋକଙ୍କ ଧର୍ମୀୟ ଭାବନା ଓ ସାମାଜିକ ଅନୁଷ୍ଠାନ ସହ ଶହ ଶହ ବର୍ଷଧରି ଏହି ମେଳଣ ପରମ୍ପରା ଜଡିତ ଥିବାବେଳେ ଲୋକେ କୋଭିଡ କଟକଣାକୁ ମାନି ସମାଗମରୁ ଦୂରେଇ ରହିଛନ୍ତି ।

ଅଥଚ ଲୋକଙ୍କୁ ସଚେତନ କରିବାପାଇଁ ଯେଉଁସବୁ ରାଜନୈତିକଦଳର ନେତାମାନେ ଗଣମାଧ୍ୟମରେ ବିବୃତ୍ତି ଜାରି କରନ୍ତି ସେମାନେ କିନ୍ତୁ ଖୋଲାଖୋଲି ଭାବେ କୋଭିଡ କଟକଣାର ଉଲ୍ଲଙ୍ଘନ କରି ବଡ ବଡ ସମାବେଶରେ ମାତିଥିବାରୁ ନେତାମାନଙ୍କ ପାଇଁ ଆମ ଦେଶର ଆଇନ୍‍ କ’ଣ ଅଲଗା କି ବୋଲି ଲୋକେ ପ୍ରଶ୍ନ କରିବାକୁ ଆରମ୍ଭ କଲେଣି । ତେବେ ଏହି ସମ୍ବେଦନଶୀଳ ନିର୍ବାଚନମଣ୍ଡଳୀ ହିଂସା ଆଉ ନିଶା ପାଇଁ ଚର୍ଚ୍ଚିତ ଥିବା ପରିପ୍ରେକ୍ଷୀରେ ବିରକ୍ତ ହେଲେ ବି ଲୋକେ ଚୁପ୍‍ ରହିବାକୁ ବାଧ୍ୟ ହେଉଛନ୍ତି ।

ପିପିଲି ବିଧାନସଭା ଉପନିର୍ବାଚନ ପାଇଁ ଏବେ ବିଭିନ୍ନ ଦଳର ପାଞ୍ଚଶହରୁ ଅଧିକ ନେତା ଓ ସେମାନଙ୍କ ଅନୁଚର ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସି ଏଠାରେ ଡେରା ପକାଇଛନ୍ତି । ଏ ପରିପ୍ରେକ୍ଷୀରେ ପିପିଲି-ଡେଲାଙ୍ଗ ଅଞ୍ଚଳରେ ଥିବା ବିଭିନ୍ନ ଢାବା, ହୋଟେଲ ଓ ମଦଦୋକାନଗୁଡିକରେ କାରବାର ବେଶ୍‍ ବଢିଯାଇଛି । ବିଶେଷକରି ବିଜେଡି, ବିଜେପି, କଂଗ୍ରେସ ଓ ସିପିଆଇଏମ୍‍ଏଲ୍‍ ପ୍ରାର୍ଥୀଙ୍କ ଲାଗି ଭୋଟ ଯୋଗାଡ କରିବାକୁ ବାହାରୁ ଅନେକ ନେତା ସବୁଦିନ ଆସୁଥିବାବେଳେ ଆଉ କେତେକ ନେତା ଏଠାରେ ବେଡିଂ ବିସ୍ତର ଧରି ରହୁଛନ୍ତି ।

ସକାଳୁ ଅଧରାତି ପର୍ଯ୍ୟନ୍ତ ରାଣୀ ମହୁମାଛି ଭାବେ ପରିଚିତ ନେତାମାନଙ୍କ ନିକଟରେ ଭିଡ ଜମୁଛି । ପ୍ରାର୍ଥୀମାନେ ବି ବଡ ବଡ ଶୋଭାଯାତ୍ରାରେ ପ୍ରଚାର ଅଭିଯାନରେ ଯାଉଛନ୍ତି । ଏହି ଉପନିର୍ବାଚନ ପାଇଁ ନିର୍ବାଚନ କମିଶନ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଓ ଜିଲ୍ଲା ପ୍ରଶାସନ ଯେତେସବୁ କଟକଣା ଲାଗୁ କରିଛନ୍ତି ତାହାକୁ ଅଧିକାଂଶ କ୍ଷେତ୍ରର ଅକ୍ଷରେ ଅକ୍ଷରେ ଉଲ୍ଲଙ୍ଗନ କରାଯାଉଥିବା ଦେଖିବାକୁ ମିଳୁଛି । ପୁଲିସ୍‍ ବି ଏ ପରିପ୍ରେକ୍ଷୀରେ ଏକ ପ୍ରକାର ହାତବାନ୍ଧି ବସିଛି । (ତଥ୍ୟ)