Home Agriculture କରୋନା ପାଇଁ ଚାଷୀ ମୁଣ୍ଡରେ ଚଡ଼କ

କରୋନା ପାଇଁ ଚାଷୀ ମୁଣ୍ଡରେ ଚଡ଼କ

ଭୁବନେଶ୍ୱର : ଚାଷୀଙ୍କ ମୁଣ୍ଡରେ କରୋନା ଚଡ଼କ ଦୁର୍ବିସହ ହୋଇପଡ଼ୁଛି । ଗୋଟିଏ ପଟେ କରୋନାକୁ ଡରି ମରି ଚାଷୀ ଚାଷ କରୁଥିବା ବେଳେ ଅନ୍ୟପଟେ ଉତ୍ପାଦିତ ସାମଗ୍ରୀ ବଜାରରେ ଢେର୍‍ କମ୍‍ ଦାମରେ ବିକ୍ରି ହେଉଥିବାରୁ ଉତ୍ପାଦନ ଖର୍ଚ୍ଚ ଉଠିବା କାଠିକର ପାଠ ହେଉଛି । ସ୍ଥଳ ବିଶେଷରେ ଯାଚିଗୁଞ୍ଜି ପନିପରିବା, ଛତୁ, କୁକୁଡ଼ା, କ୍ଷୀର ଆଦି ଦେଉଥିବାରୁ ବେପାରୀଙ୍କ ଦୟା ଅନୁଗ୍ରହରେ ଯେତିକି ପଇସା ମିଳୁଛି ସେତିକିରେ ପରିବାର ଚଳାଇବା କଷ୍ଟକର ହୋଇପଡ଼ୁଛି ।

ଏବେ ଚାଷୀ ବେପାରୀଙ୍କୁ ଛତୁ ଦେଢ଼ଶହରୁ ୨ଶହ ଟଙ୍କା ଦରରେ ବିକିବା କଥା । ରବିବାର ବଜାରରେ ଓ ଉପରବେଳା ସାଧାରଣତଃ ଖାଉଟିମାନେ ଅଧିକ ପରିମାଣର ଛତୁ କିଣିଥାନ୍ତି । ତେବେ ସପ୍ତାହରେ ୫ ଦିନ ମଧ୍ୟାହ୍ନ ପର୍ଯ୍ୟନ୍ତ ଲକ୍‍ଡାଉନ, ଶନିବାର ଓ ରବିବାର ସଟ୍‍ଡାଉନ ରହୁଥିବାରୁ ରାଜଧାନୀ ସମେତ ଅନ୍ୟ ବଜାରରେ ଯେତେ ପରିମାଣର ଛତୁ ବିକ୍ରି ହେବା କଥା ତାହା ହୋଇପାରୁନାହିଁ ।

ଫଳରେ ଚାଷୀଙ୍କଠାରୁ ବେପାରୀମାନେ ୭୫ରୁ ୧୨୦ ଟଙ୍କା ଦରରେ ଛତୁ ସଂଗ୍ରହ କରୁଛନ୍ତି । ଅଧିକ ତାପମାତ୍ରାରେ ଛତୁ ଉତ୍ପାଦନ କମ୍‍ ହେଉଥିବା ଏବଂ ପ୍ରାୟ ଅଧାଅଧି ଦରରେ କଷ୍ଟେମଷ୍ଟେ ବେପାରୀ ଉଠାଉଥିବାରୁ ଛତୁ ଉତ୍ପାଦନ ବାବଦ ମଜୁରୀ ତ ଦୂରର କଥା ମଞ୍ଜି, ପାଳ ଇତ୍ୟାଦିର ଦାମ୍‍ ଉଠୁନାହିଁ । ଖରାଦିନେ ବିବାହ, ବ୍ରତ ଆଦି ଭୋଜି ଲାଗି ବିପୁଳ ଛତୁ ବିକ୍ରି ହୋଇଥାଏ । କିନ୍ତୁ ଏବେ କରୋନା କଟକଣା ପାଇଁ ଭୋଜିଭାତ ପ୍ରାୟତଃ ବନ୍ଦ ରହୁଥିବାରୁ ଛତୁ ବିକ୍ରି କମିଛି ।

ସେହିଭଳି ବ୍ରଏଲର ଚିକେନ୍‍ ଓ ମାଛର ଅବସ୍ଥା । ଏବେ ଚିକେନ୍‍ ଦର ଯାହା ରହିବା କଥା ତାହାର ଅଧା ବି ଚାଷୀ ପାଉନାହିଁ । ଫଳରେ ଦାନା ଖର୍ଚ୍ଚ ଉଠିବା ମଧ୍ୟ କାଠିକର ପାଠ ହୋଇଯାଉଛି । ସେହିପରି ଦୁଧ ଉଠାଣ ଓମ୍‍ଫେଡ୍‍ କମାଇ ଦେଇଥିବା ବେଳେ ବଳକା ଦୁଧ ବିକିବା ଗ୍ରାମାଞ୍ଚଳର ଚାଷୀଙ୍କ ପାଇଁ କାଠିକର ପାଠ ହେଉଛି । ଏମିତିକି ଦୁଧରୁ ଛେନା ଛିଣ୍ଡାଇ ବୁଲି ବୁଲି ବିକିଲେ ବି ଯେତିକି ଦର ମିଳୁଛି ସେଥିରେ ଗାଈଙ୍କ ଦାନା ଖର୍ଚ୍ଚ ମଧ୍ୟ ଉଠିବା ମୁସ୍କିଲ ବୋଲି ପିପିଲି ଡେଲାଙ୍ଗ ଅଞ୍ଚଳର ବହୁ ଚାଷୀ କ୍ଷୋଭର ସହ କହୁଛନ୍ତି ।

ଗତ ଖରିଫ୍‍ ଋତୁରେ ଚାଷୀମାନେ ଯେତେ ଧାନ ବିକିବା କଥା ତାହା ହୋଇପାରିନଥିବା ବେଳେ ଏବେ ପୁଣି ଖରାଦିନିଆ ଧାନ ଅମଳ ଚାଲିଛି । ଗୋଟିଏ ପଟେ ଧାନ କାଟିବାକୁ ଶ୍ରମିକ ମିଳୁନଥିବା ବେଳେ ଅନ୍ୟପଟେ ମେସିନ୍‍ ଲଗାଇ ଧାନକଟା ଅମଳ କାମ ଚାଲୁଥିବା ବେଳେ ଏବେଠାରୁ ଅଭାବୀ ବିକ୍ରି ଆରମ୍ଭ ହୋଇଗଲାଣି । ଅନେକ ଚାଷୀ ଅଭିଯୋଗ କରୁଛନ୍ତି ଯେ ପାଞ୍ଚ ଛଅମାସ ତଳେ ସେମାନେ ରାଜ୍ୟ ବିହନ ନିଗମକୁ ଯୋଗାଇଥିବା ଧାନ ବିହନର ପଇସା ବି ମିଳିନାହିଁ । ଏ ପରିପ୍ରେକ୍ଷୀରେ ଲାଭଖୋର ବେପାରୀମାନେ ଢେର୍‍ କମ୍‍ ଦାମ୍‍ରେ ବାକିରେ ଧାନ ନେଇ ଚାଷୀଙ୍କୁ ଶୋଷଣ କରୁଛନ୍ତି ।

ପନିପରିବା ଚାଷରୁ ବେଶ୍‍ ଲାଭ ମିଳିଥାଏ । ବାରଙ୍ଗ, ବାଙ୍କୀ, କଳାପଥର ଆଦି ଅଞ୍ଚଳରୁ ଏବେ ଯେଉଁ ଦରରେ ପୋଟଳ, ଟମାଟୋ, ବାଇଗଣ, କଲରା, କାକୁଡ଼ି ଆଦି ପନିପରିବା ଚାଷୀ ବେପାରୀଙ୍କୁ ଦେବା କଥା ତାହାର ବି ଅଧା ଦର ମିଳୁନାହିଁ । ଫଳରେ ମୂଲ ମଜୁରୀ ତ ଦୂରର କଥା ମଞ୍ଜି, ସାର, କୀଟନାଶକ ଆଦି ବାବଦରେ ଯେତେ ପଇସା ଖର୍ଚ୍ଚ ହୋଇଛି ତାହା ବି ଉଠିବା ମୁସ୍କିଲ ହେଲାଣି ।

ଏ ବର୍ଷ ଭଲ ଆମ୍ବ ହୋଇଥିବାରୁ ଏହି ସମୟରେ ଚାଷୀମାନେ ବେଶ୍‍ ମୋଟା ଅଙ୍କର ମୁନାଫା ପାଇଥାନ୍ତେ । ବର୍ତ୍ତମାନ ସମୟରେ ଯେଉଁ ଆମ୍ବ କିଲୋ ବେପାରୀଙ୍କୁ ଚାଷୀ ୪୦/୫୦ ଟଙ୍କା ଦରରେ ବିକିଥାନ୍ତେ ତାହା ୧୫/୨୦ ଟଙ୍କାରେ ଯାଉନି । ବିଶେଷକରି ସହରାଞ୍ଚଳରେ ଫଳ ବେପାର ଉପରେ କରୋନା ମାଡ଼ ପଡ଼ୁଥିବାରୁ ଯେତେ ପରିମାଣର ଆମ୍ବ ବିକ୍ରି ହେବା କଥା ତାହା ହେଉନାହିଁ । ତେଣଉ ଆମ୍ବ ସଂଗ୍ରହ କରୁଥିବା ବେପାରୀମାନେ ଛୋଟ ଛୋଟ ବୁଲା ବିକାଳୀଙ୍କ ମାଧ୍ୟମରେ ଢେର୍‍ କମ୍‍ ଦରରେ ଆମ୍ବ ବିକୁଥିବାରୁ ଏଭଳି ସମସ୍ୟା ଉପୁଜୁଛି ।

ଚାଷ ସହିତ ଚାଷୀମାନେ ଅନ୍ୟ ଯେଉଁସବୁ ବିକଳ୍ପ ଅର୍ଥକାରୀ କାମ କରୁଥିଲେ ସେସବୁ ମଧ୍ୟ ମାଡ଼ ଖାଇଯାଇଥିବାରୁ ଅକ୍ଷୟତୃତୀୟା ପରେ ମନଫୁଲାଣିଆ ଗୀତ ଗାଇ ଖରିଫ୍‍ ଫସଲ ପାଇଁ ଯେଉଁ ଚାଷୀ ପ୍ରସ୍ତୁତ ହୋଇଥାନ୍ତେ ସେମାନଙ୍କ ଆଖିରୁ କରୋନା ପରିପ୍ରେକ୍ଷୀରେ ଏବେ ଲୁହ ବଦଳରେ ରକ୍ତ ଝରିବା ଅବସ୍ଥା । (ତଥ୍ୟ)