Home Education କରୋନା ପାଇଁ ଅନିଶ୍ଚିତତାରେ ପରୀକ୍ଷା

କରୋନା ପାଇଁ ଅନିଶ୍ଚିତତାରେ ପରୀକ୍ଷା

ଭୁବନେଶ୍ୱର : କରୋନା ଓ ଏହାର ନୂଆ ପ୍ରଜାତି ଓମିକ୍ରନ ସଂକ୍ରମଣ ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀମାନଙ୍କ ପରୀକ୍ଷା ଓ ପଞ୍ଚାୟତ ନିର୍ବାଚନ ଘେନି ଅନିଶ୍ଚିତତା ସୃଷ୍ଟି ହୋଇଛି । ତିନି ତାରିଖରୁ ପ୍ରାଥମିକ ବିଦ୍ୟାଳୟ ଖୋଲିବାପାଇଁ ପୂର୍ବରୁ ରାଜ୍ୟ ସରକାର ନେଇଥିବା ନିଷ୍ପତ୍ତିକୁ ଇତି ମଧ୍ୟରେ କରୋନା କାରଣରୁ ପ୍ରତ୍ୟାହାର କରିବା ଯୋଗୁଁ ଏହି ଆଶଙ୍କା ଅଧିକ ବଳବତ୍ତର ହୋଇଛି ।

ଦେଶ ବିଦେଶର ବୈଜ୍ଞାନିକମାନେ ପ୍ରାୟ ୬ମାସ ତଳୁ ଆଶଙ୍କା କରୁଥିଲେ ଯେ ଭାରତରେ ଚଳିତ ଜାନୁୟାରୀ ଓ ଆସନ୍ତା ଫେବୃୟାରୀରେ କରୋନାର ତୃତୀୟ ଲହର ସାଂଘାତିକ ସ୍ଥିତି ସୃଷ୍ଟି କରିବ ବୋଲି । ଇତି ମଧ୍ୟରେ ଗତ ନଭେମ୍ବର ମାସରେ ଦକ୍ଷିଣଆଫ୍ରିକାରେ ପ୍ରଥମ ଓମିକ୍ରନ ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଏବେ ଭାରତ ସମେତ ୧୦୦ରୁ ଅଧିକ ଦେଶରେ ଓମିକ୍ରନ ପହଞ୍ଚି ସାରିଲାଣି । ଏଯାବତ୍‍ ରାଜ୍ୟରେ ୩୭ଜଣ ଓମିକ୍ରନ ସଂକ୍ରମିତ ଚିହ୍ନିତ ହୋଇଥିବାବେଳେ ଗତ ୨୪ଘଣ୍ଟା ମଧ୍ୟରେ ଓମିକ୍ରନ ସଂକ୍ରମିତ ୨୩ଜଣ ଚିହ୍ନିତ ହୋଇଛନ୍ତି ।

ଏଯାବତ୍‍ ଓଡିଶାରେ ୧୦ଲକ୍ଷ ୫୫ହଜାରରୁ ଅଧିକ ଲୋକ କୋଭିଡ ସଂକ୍ରମିତ ହୋଇ ସାରିଥିବାବେଳେ ୨ହଜାରରୁ ଅଧିକ କୋଭିଡ ରୋଗୀ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି । କରୋନା ସିଧାସଳଖ ଭାବେ ୮୪୬୩ମୁଣ୍ଡ ଓଡିଶାରେ ଖାଇ ସାରିଥିବାବେଳେ କରୋନା ପରବର୍ତ୍ତୀ ବିଭିନ୍ନ ରୋଗରେ ମୃତ୍ୟୁବରଣ କରିଥିବା ଲୋକଙ୍କ ସଂଖ୍ୟା ଏହାର ଢେର ଅଧିକଗୁଣ ହେବ ବୋଲି କୁହାଯାଉଛି ।

ସେହିଭଳି ଦେଶରେ ଏବେ ପ୍ରାୟ ଏକ ଲକ୍ଷ ୨୨ହଜାର କରୋନା ରୋଗୀ ଚିକିତ୍ସାଧିନ ଥିବାବେଳେ ମୋଟ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ସାଢେ ୩କୋଟି ହେଲାଣି ଏବଂ ଏମାନଙ୍କ ମଧ୍ୟରୁ ୪ଲକ୍ଷ ୮୧ହଜାରରୁ ଅଧିକ ମୃତ୍ୟୁବରଣ କରିସାରିଛନ୍ତି । ଏବେ ସମଗ୍ର ଦେଶରେ କରୋନା ଓ ତାହାର ନୂଆ ପ୍ରଜାତି ଓମିକ୍ରନ କାୟାବିସ୍ତାର କରି ଚାଲୁଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତୁହାକୁ ତୁହା ମାର୍ଗନିର୍ଦ୍ଦେଶିକା ଜାରି କରୁଛନ୍ତି ।

ଦୁଇବର୍ଷ ଧରି ରାଜ୍ୟରେ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବିଭିନ୍ନ ପରୀକ୍ଷା କରାଯିବାରେ ସମସ୍ୟା ଉପୁଜୁଛି । ଏବେ ଯେଭଳି ପୁଣି କରୋନା ବିପତ୍ତି ମୁଣ୍ଡ ଟେକୁଛି ତାହା ଅବ୍ୟାହତ ରହିଲେ ହୁଏତ ଛାତ୍ରଛାତ୍ରୀଙ୍କ ଶେଷ ପରୀକ୍ଷାର ଢାଞ୍ଚା ବଦଳାଇବାକୁ ପଡିପାରେ । କଲେଜ ଓ ସ୍କୁଲମାନ ଖୋଲାଯାଇଥିଲେ ବି ଅନେକ ଅଭିଭାବକ ପିଲାଙ୍କୁ ଶିକ୍ଷାନୁଷ୍ଠାନ ଛାଡିବାକୁ ନାରାଜ ହୋଇ ଘରେ ଅନ୍‍ଲାଇନ୍‍ରେ ପାଠ ପଢାଉଛନ୍ତି ।

ଗତବର୍ଷ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନ ଯୋଗୁଁ କରୋନା ବ୍ୟାପି ଅନେକ ଧନଜୀବନ ନଷ୍ଟ କରିଥିଲା । ଓଡିଶାରେ ଯଦି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଓ ପରେ ପରେ ପୌର ଓ ସମବାୟ ନିର୍ବାଚନ ଆଦି ହୁଏ ତେବେ ଅମାନିଆ ନେତା, ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନଙ୍କ ଯୋଗୁଁ କରୋନା ବ୍ୟାପିବାର ଢେର ଅଧିକ ଆଶଙ୍କା ରହିଛି ।

ତେଣୁ ଲୋକଙ୍କ ଜୀବନକୁ ଗୁରୁତ୍ୱ ଦେଇ ନିର୍ବାଚନ ସ୍ଥଗିତ ରଖିବାକୁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଏଠାରେ ଉଲ୍ଲେଖନୀୟ ଯେ ୨୦୨୦ ଜାନୁଆରୀରେ ଭାରତର ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିବାବେଳେ ଓଡିଶାର ପ୍ରଥମ କରୋନା ରୋଗୀ ସେହିବର୍ଷ ମାର୍ଚ୍ଚ ୧୫ତାରିଖରେ ଚିହ୍ନିତ ହୋଇଥିଲେ । (ତଥ୍ୟ)