Home News in Odia କରୋନା ପରେ ହେଉ ପିପିଲି ଉପନିର୍ବାଚନ

କରୋନା ପରେ ହେଉ ପିପିଲି ଉପନିର୍ବାଚନ

ଭୁବନେଶ୍ୱର : ସ୍ଥଗିତ ରହିଥିବା ପିପିଲି ଉପନିର୍ବାଚନ କେବେ ହେବ ସେଥିଘେନି ଅନିଶ୍ଚିତତା ରହିଛି । ବିଶେଷକରି ମହାମାରୀ କରୋନାର ପ୍ରାର୍ଦୁଭାବ ବଢି ଚାଲିଥିବାବେଳେ ସ୍ଥିତି ନିୟନ୍ତ୍ରଣକୁ ଆସିବାପରେ ଉପନିର୍ବାଚନ ହେଉବୋଲି ପିପିଲି-ଡେଲାଙ୍ଗ ଅଞ୍ଚଳର ଲୋକେ ମତପ୍ରକାଶ କରୁଛନ୍ତି ।

ପିପିଲି-ଡେଲାଙ୍ଗ ଅଞ୍ଚଳରେ କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ବିୟୋଗରେ ଦଳ ମତ ନିର୍ବିଶେଷରେ ଶୋକର ଛାୟା ଖେଳି ଯାଇଥିବାବେଳେ ଏ ଅଞ୍ଚଳରେ ବେଶ୍‍ କିଛିଦିନ ଧରି ଡେରା ପକାଇ ନିର୍ବାଚନ ପ୍ରଚାର ଆଳରେ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି କରିଥିବା ବାହାର ଅଞ୍ଚଳର ନେତାମାନେ ଫେରି ଯାଇଛନ୍ତି । ତେବେ ସେମାନେ ହିଂସାର ଯେଉଁ ବାତାବରଣ ସୃଷ୍ଟିକରି ଯାଇଛନ୍ତି ସେଥିରେ ଅନେକ ଅଞ୍ଚଳରେ ଯେକୌଣସି ମୂହୂର୍ତ୍ତରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟିହେବା ଆଶଙ୍କା କରାଯାଉଛି ।

ଏଠାରେ ଉଲ୍ଲେଖନୀୟ ଯେ ପିପିଲି ଉପନିର୍ବାଚନ ପରିପ୍ରେକ୍ଷୀରେ ଘଟିଥିବା ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ଅନ୍ୟୁନ ୧୫ଜଣ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସାଧିନ ଅଛନ୍ତି । ଏହାଛଡା ହିଂସା ଆଳରେ ଅନେକ ସ୍ଥାନୀୟ ଲୋକେ ମାଲି ମୋକଦ୍ଦମାରେ ବି ଛନ୍ଦିହୋଇ ପଡିଛନ୍ତି ।

ଅନ୍ୟ ପକ୍ଷରେ କଂଗ୍ରେସ ପ୍ରାର୍ଥୀ ଅଜିତଙ୍କର କରୋନାରେ ମୃତ୍ୟୁ ଘଟଣା ପରେ ସମଗ୍ର ନିର୍ବାଚନମଣ୍ଡଳୀରେ ଆତଙ୍କର ବାତାବରଣ ଖେଳିଯାଇଛି । ବିଶେଷକରି ନିର୍ବାଚନ ପ୍ରଚାରବେଳେ ଯେଉଁମାନେ ଅଜିତଙ୍କ ସଂସ୍ପର୍ଶରେ ଆସିଥିଲେ ଏବଂ ସେମାନେ ଆଉ ଯେତେ ଲୋକଙ୍କ ସହ ମିଶିଥିଲେ ସେମାନେ ସବୁ କରୋନା ଭୟରେ ଆତଙ୍କିତ । ଏହାଛଡା ରାଜ୍ୟର ସୀମାନ୍ତବର୍ତ୍ତୀ ଜିଲ୍ଲା ଗୁଡିକରୁ ବିଭିନ୍ନ ଦଳର ବହୁ ନେତା ଓ କର୍ମୀ ପିପିଲିରେ ଦୀର୍ଘଦିନ ଧରି ଆଡ୍ଡା ଜମାଇଥିବା ଏବଂ କରୋନା କଟକଣାର ଉଲ୍ଲଙ୍ଘନ କରି ଯେପରି ବିଭିନ୍ନ ଦଳ ପ୍ରଚାର ଅଭିଯାନ ଚଳାଇଥିଲେ ତାହା ସମଗ୍ର ନିର୍ବାଚନମଣ୍ଡଳୀରେ କରୋନା ସମ୍ପ୍ରସାରଣରେ ସହାୟକ ହୋଇପାରେ ବୋଲି ସ୍ଥାନୀୟ ଲୋକେ ଆଶଙ୍କା କରିବା ସ୍ୱାଭାବିକ ।

ଅତୀତରେ ପାଟକୁରା ବିଧାନସଭା ନିର୍ବାଚନକୁ କରୋନା ପାଇଁ ବେଶ୍‍ କିଛିଦିନ ଘୁଞ୍ଚାଇ ଦିଆଯାଇଥିଲା । ଏବେ କରୋନାର ପ୍ରାର୍ଦୁଭାବ ସାଂଘାତିକ ଭାବେ ବଢୁଥିବା ପରିପ୍ରେକ୍ଷୀରେ ନାଇଟ୍‍ କର୍ଫ୍ୟୁ ସମେତ ଅନ୍ୟାନ୍ୟ କଟକଣା ରାଜ୍ୟ ସରକାର ଜାରି କରିଛନ୍ତି । ତେଣୁ ସ୍ଥିତିରେ ସୁଧାର ନଆସିବା ପର୍ଯ୍ୟନ୍ତ ନିର୍ବାଚନ ପାଇଁ ସାନି ବିଜ୍ଞପ୍ତି ଜାରି ନକରିବାକୁ ଦାବି ହେଉଛି ।

ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ବିଜ୍ଞପ୍ତି ଜାରି କରାଯିବାର ସାତଦିନ ମଧ୍ୟରେ କେବଳ କଂଗ୍ରେସ ଦଳର ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିପାରିବେ ଏବଂ ଅନ୍ୟ ପ୍ରାର୍ଥୀମାନଙ୍କ ପୂର୍ବ ନାମାଙ୍କନପତ୍ର କାଏମ ରହିବ । ଏହାପରେ ପ୍ରଚାର ଲାଗି ଆଉ ୧୫ଦିନ ସମୟ ମିଳିବ । ଏ ପରିପ୍ରେକ୍ଷୀରେ କରୋନା ସ୍ଥିତିରେ ସୁଧାର ଆସିଥିଲେ ଶୀତଦିନ ଆଡକୁ ପିପିଲି ଉପନିର୍ବାଚନ ହୋଇପାରେ ବୋଲି ଆଶଙ୍କା ପ୍ରକାଶ କରାଯାଉଛି । ତେବେ ନିର୍ବାଚନ ଯେତେ ଡେରିହେବ ରାଜନୈତିକଦଳ ଓ ପ୍ରାର୍ଥୀମାନଙ୍କ ଅଘୋଷିତ ଖର୍ଚ୍ଚ ସେତେ ବୃଦ୍ଧି ପାଇବାର ସମ୍ଭବନା ରହିଛି ।

LEAVE A REPLY

Please enter your comment!
Please enter your name here