Home General କରୋନା ଚିନ୍ତାରେ ଗାଡିମାଲିକ

କରୋନା ଚିନ୍ତାରେ ଗାଡିମାଲିକ

ଭୁବନେଶ୍ୱର : ରାଜ୍ୟରେ କରୋନାର ଦ୍ୱିତୀୟ ଲହର ମାଡୁଥିବାବେଳେ ଗାଡି ମାଲିକମାନଙ୍କ ଚିନ୍ତା ବଢିବାରେ ଲାଗିଛି । ଗତବର୍ଷର ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ରେ ସେମାନଙ୍କ ଅଣ୍ଟା ଭାଙ୍ଗିଥିବାବେଳେ ଏଥର ଯଦି କଟକଣା ଲାଗେ ତେବେ ସବୁଦିନ ପାଇଁ ବେପାର ବୁଡିଆ ଆଶଙ୍କା ସୃଷ୍ଟି ହେଲାଣି ।

ଗତବର୍ଷ କରୋନା ସଂକ୍ରମଣକୁ ରୋକିବାଲାଗି ସରକାର ଜାରି କରିଥିବା ଜନତାକର୍ଫ୍ୟୁ, ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ସମୟରେ ବିଭିନ୍ନ କିସମର ପ୍ରାୟ ୩୦ହଜାର ଯାନବାହାନ ରାସ୍ତାରେ ଗଡିନଥିଲା । ଏଥିରେ ମଧ୍ୟରେ ବସ୍‍, ଟ୍ରକ ଓ ଡମ୍ଫର ସହିତ ଛୋଟ ଛୋଟ ବ୍ୟବସାୟିକ ଯାନବାହାନ ବି ଥିଲା । ଅନେକ ବସ୍‍ ଦୀର୍ଘଦିନ ଧରି ଛିଡାହୋଇ ରହିବା ଫଳରେ ସେଗୁଡିକର ଯନ୍ତ୍ରାଂଶ ନଷ୍ଟ ହୋଇଯାଇଥିଲା । କେତେକ ଗାଡିମାଲିକ ଅର୍ଥାଭାବରୁ ବସ୍‍ ଟ୍ରକଗୁଡିକ ଖତ ହେବାକୁ ଛାଡି ଦେଇଥିଲେ । ଋଣ ଅର୍ଥ ସୁଝିବା ତ ଦୂରରକଥା ଡ୍ରାଇଭର ଓ ହେଲପରଙ୍କୁ ଦରମା ଦେବାକୁ ବି ଅର୍ଥାଭାବ ଦେଖାଦେଇଥିଲା ।

ରାସ୍ତାରେ ଗାଡିମୋଟର ନଗଡିବାରୁ ସରକାର ବି ପ୍ରାୟ ୩୧୫କୋଟି ଟଙ୍କାର ରାଜସ୍ୱ କ୍ଷତି ସହିଥିଲେ । ତେବେ ଗାଡିମାଲିକଙ୍କ ଦୁର୍ଦ୍ଦିନକୁ ଦେଖି ଚଳାଚଳ କରିପାରିନଥିବା ଘରୋଇ ବସ୍‍, ମିନି ବସ୍‍ଗୁଡିକ ଉପରୁ ଗତବର୍ଷ ଏପ୍ରିଲ୍‍ରୁ ଜୁନ୍‍ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଟିକସ ଛାଡ କରିଥିବାବେଳେ ପରବର୍ତ୍ତୀ ତିନିମାସପାଇଁ ୭୫ ପ୍ରତିଶତ, ୫୦ ପ୍ରତିଶତ ଓ ୨୫ ପ୍ରତିଶତ ଟିକସ ଛାଡି କରିଥିଲେ ।

ତେବେ ଗାଡି ଚଳାଚଳ ପାଇଁ ଅନୁମତି ମିଳିବାର ବହୁଦିନ ପର୍ଯ୍ୟନ୍ତ ସଂକ୍ରମଣ ଭୟରେ ଲୋକେ ବସ୍‍ରେ ଯିବାଆସିବା କରିବାକୁ ଡରିଲେ । ଫଳରେ ଅନେକ ଘରୋଇ ବସ୍‍ ହାତଗଣତି କେତୋଟି ଲୋକଙ୍କୁ ନେଇ ଯା’ ଆସ କରିଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ କେତେକ ବସ୍‍ ମାଲିକ ଟିକସ ଦେବାକୁ ଅକ୍ଷମ ହେଲେ ।

ତେବେ ଗତ ତିନି ଚାରିମାସ ଧରି ପରିବହନ ବ୍ୟବସ୍ଥା ଏକପ୍ରକାର ପୂର୍ବ ସ୍ଥିତିକୁ ଫେରିଥିବାବେଳେ ଏବେ ପୁଣିଥରେ କରୋନାର ଦ୍ୱିତୀୟ ଲହର ଡରାଇବା ଆରମ୍ଭ କରିଛି । ରାଜ୍ୟରେ କରୋନା ସଂକ୍ରମଣ ଯେଉଁ ହାରରେ ମାଡୁଛି ଆଗାମୀ ଦିନରେ ରାଜ୍ୟରେ କଟକଣା ଲାଗୁ ହେବାଟା ଏକ ପ୍ରକାର ଥୟ ବୋଲି ମାଲିକମାନେ ଆଶଙ୍କା କରୁଛନ୍ତି । ତେଣୁ ଗାଡି ଚାଲିଲେ ବି ଲୋକେ ସଂକ୍ରମଣ ଭୟରେ ଯିବାକୁ ସାହସ କରିବେ ନାହିଁ । ତେଣୁ ବିନା ଯାତ୍ରୀରେ ଗାଡି ଚଳାଇ ସରକାରଙ୍କୁ ହାତରୁ ଟିକସ ଗଣିବା ଅବସ୍ଥାରେ ନଥିବା କିଛି ଗାଡିମାଲିକ ମତ ଦେଇଛନ୍ତି ।

କେବଳ ବସ୍‍ ନୁହେଁ ସଂକ୍ରମଣ ଯୋଗୁଁ ଖଣିଖାଦାନ ଓ ଅନ୍ୟାନ୍ୟ ବ୍ୟବସାୟ ପ୍ରତିଷ୍ଠାନ ଉପରେ କଟକଣା ଲାଗେ ତେବେ ଟ୍ରକ ପରିବହନ ବି ଗୁରୁତର ବାଧାପ୍ରାପ୍ତ ହେବ । ତେଣୁ ଗତବର୍ଷ ଭଳି ପୁଣି ଯଦି ଗାଡିମୋଟର ଛିଡାହୋଇ ରହିବ ତେବେ ଅଧାରୁ ଅଧିକ ପରିବହନ ଯାନ ଖତ ହେବା ଏକ ପ୍ରକାର ନିଶ୍ଚିତ ବୋଲି ସେମାନେ ମତ ଦେଉଛନ୍ତି । (ତଥ୍ୟ)