Home General କରୋନା କାଳରେ ନୂଆ ଗାଡି ବିକ୍ରି

କରୋନା କାଳରେ ନୂଆ ଗାଡି ବିକ୍ରି

303
0

କରୋନା ସଂକ୍ରମଣ ସମୟ ଅର୍ଥାତ୍‍ ଚଳିତବର୍ଷ ଏପ୍ରିଲ୍‍ ପହିଲାରୁ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୪୦ହଜାରରୁ ଅଧିକ ଗାଡ଼ି ବିକ୍ରି ହୋଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟରଯାନ ଟିକସ ବାବଦକୁ ରାଜକୋଷକୁ ୩୮୨ କୋଟି ୭୮ ଲକ୍ଷ ଟଙ୍କା ଆସିଛି । ତେବେ କରୋନା ଯୋଗୁ ଗତବର୍ଷ ତୁଳନାରେ ଏହା କମିଥିବା ଜଣାଯାଇଛି ।

ସରକାରୀ ସୂତ୍ରରୁ ମିଳିଥିବା ସୂଚନାନୁସାରେ ଏପ୍ରିଲ୍‍ ୧ ତାରିଖରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ରାଜ୍ୟରେ ୧,୪୦,୦୬୩ ଟି ଗାଡ଼ି ବିକ୍ରି ଓ ପଞ୍ଜିକୃତ ହୋଇଛି । ଏହି ସମୟ ମଧ୍ୟରେ ୧୦,୫୩୪ଟି ଡ୍ରାଇଭିଂ ଲାଇସେନ୍ସର ନବୀକରଣ କରାଯାଇଛି । ଏହି ସମୟ ମଧ୍ୟରେ ରାଜ୍ୟରେ ମୋଟରଯାନ ଟିକସ ବାବଦରେ ୩୮୨ କୋଟି ୭୮ ଲକ୍ଷ ଟଙ୍କା ଆଦାୟ କରାଯାଇଛି ଯାହାକି ଗତବର୍ଷ ଏହି ସମୟ ତୁଳନାରେ ୪୨ ପ୍ରତିଶତ କମ୍‍ । ୨୦୧୯ ମସିହାରେ ଏହି ସମୟ ମଧ୍ୟରେ ମୋଟରଯାନ ଟିକସ ବାବଦରେ ରାଜକୋଷକୁ ଆସିଥିଲା ୬୬୧ କୋଟି ୨୯ ଲକ୍ଷ ଟଙ୍କା ।

ସେହିଭଳି କରୋନା ଯୋଗୁ ରାଜ୍ୟରେ ମୋଟରଯାନ ଯାଞ୍ଚ ବାବଦରେ ମଧ୍ୟ କମ୍‍ ଅର୍ଥ ଆଦାୟ ହୋଇଛି । ଚଳିତବର୍ଷ ଏପ୍ରିଲ୍‍ ପହିଲାରୁ ଅଗଷ୍ଟ ଶେଷ ମଧ୍ୟରେ ଯାନବାହନ ଯାଞ୍ଚରୁ ୪ କୋଟି ୧୪ ଲକ୍ଷ ଟଙ୍କା ଆଦାୟ ହୋଇଥିବା ବେଳେ ଗତବର୍ଷ ଏହି ପରିମାଣ ଥିଲା ୩୫ କୋଟି ୧୩ ଲକ୍ଷ ଟଙ୍କା । ଯାନବାହନ ଯାଞ୍ଚ ବାବଦରେ ମିଳିଥିବା ରାଜସ୍ୱ ଗତବର୍ଷ ତୁଳନାରେ ୮୮.୨୧ ପ୍ରତିଶତ ହ୍ରାସ ପାଇଥିବା ଜଣାଯାଇଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ କରୋନା ବ୍ୟାପିବା ପରେ ପରେ ରାଜ୍ୟରେ ପ୍ରାୟ ସମସ୍ତ ଆଞ୍ଚଳିକ ପରିବହନ ଦପ୍ତରକୁ ସଂକ୍ରମଣ ଭୟରେ ସାମୟିକ ବନ୍ଦ କରାଯାଇଥିଲା । ଏହି ସମୟରେ ଗାଡ଼ି ପଞ୍ଜିକରଣ, ଲାଇସେନ୍ସ ନବୀକରଣ ଆଦିର ମିଆଦକୁ ସରକାର ବଢ଼ାଇଥିଲେ । ଏପରିକି ନୂଆ ଗାଡ଼ି ପଞ୍ଜିକରଣ ନେଇ ମଧ୍ୟ ସମସ୍ୟା ଦେଖାଦେଇଥିଲା । ତେବେ ଧୀରେ ଧୀରେ ଆର୍‍ଟିଓ ଅଫିସ୍‍ରେ ସ୍ଥିତି ସ୍ୱାଭାବିକ ହେଉଥିଲେ ମଧ୍ୟ ସଂକ୍ରମଣ ଭୟରେ ଏବେ ବି କମ୍‍ ସଂଖ୍ୟକ କର୍ମଚାରୀଙ୍କୁ ନେଇ ଦପ୍ତର ଚଳାଯାଉଛି ।

ଗାଡ଼ି ମୋଟର ଯାଞ୍ଚ ପାଇଁ ପରିବହନ ବିଭାଗ ପୁଲିସ ଉପରେ ନିର୍ଭରଶୀଳ ଥିବାରୁ କରୋନା କାଳରେ ଯାଞ୍ଚ ଏକପ୍ରକାର ନାହିଁ କହିଲେ ଚଳେ । କାରଣ କରୋନା ମୁକାବିଲାରେ ପୁଲିସ ବଳ ନିୟୋଜିତ ହୋଇ ଏକାଧିକ କର୍ମଚାରୀ ଓ ଅଧିକାରୀ ସଂକ୍ରମିତ ହେବା ପରେ ପୁଲିସକୁ ନିଜ କାମ ପାଇଁ ଲୋକବଳ ମିଳୁନାହାନ୍ତି । ତେଣୁ ଏଭଳି ସ୍ଥିତିରେ ରାସ୍ତାଘାଟରେ ଗାଡ଼ି ମୋଟର ଯାଞ୍ଚ କରି ସଂକ୍ରମଣକୁ ନିମନ୍ତ୍ରଣକୁ କରିବାକୁ କର୍ମଚାରୀମାନେ ମଙ୍ଗୁ ନ ଥିବା ଲକ୍ଷ୍ୟ କରାଯାଉଛି । ତେବେ କରୋନା କଟକଣା ଯୋଗୁ ରାଜ୍ୟରେ ରେଳ ଓ ବସ୍‍ ଭଳି ସାଧାରଣ ପରିବହନ ବ୍ୟବସ୍ଥା ଏକପ୍ରକାର ଅଚଳ ହୋଇଥିବାରୁ ଲୋକେ ନିଜସ୍ୱ ପରିବହନ ଉପରେ ଅଧିକ ନିର୍ଭର କରୁଛନ୍ତି । ଫଳରେ ରାଜ୍ୟରେ ଦୁଇଚକିଆ ସମେତ ଅନ୍ୟାନ୍ୟ ଗାଡ଼ି ବିକ୍ରି ବୃଦ୍ଧି ପାଉଥିବା ଦେଖିବାକୁ ମିଳୁଛି ।  

LEAVE A REPLY

Please enter your comment!
Please enter your name here