Home Health କରୋନା କଟକଣାକୁ କେହି ମାନୁ ନାହାନ୍ତି

କରୋନା କଟକଣାକୁ କେହି ମାନୁ ନାହାନ୍ତି

ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ଆସନପାଇଁ ହେଉଥିବା ଉପନିର୍ବାଚନରେ ନିର୍ବାଚନ କମିଶନ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୋଭିଡ କଟକଣାକୁ ପ୍ରାୟ କୌଣସି ରାଜନୈତିକଦଳ, ସେମାନଙ୍କ ପ୍ରାର୍ଥୀ ଓ ସମର୍ଥକ ମାନୁ ନାହାନ୍ତି । ଏ ସଂକ୍ରାନ୍ତରେ ଗଣମାଧ୍ୟମରେ ଲଗାତାର ଖବର ପ୍ରକାଶ ପାଉଥିଲେ ମଧ୍ୟ ସେମିତି କିଛି ଆଖି ଦୃଶିଆ କାର୍ଯ୍ୟାନୁଷ୍ଠାନ ହେଉନାହିଁ ।

ବିଶ୍ୱ ମହାମାରୀ କରୋନା ତାହାର କରାଳ କାୟା ବିସ୍ତାର କରୁଥିବାବେଳେ ଉପନିର୍ବାଚନ ହେଉଥିବାରୁ ପ୍ରାର୍ଥୀ ଅତି ବେଶିରେ ୫ଜଣ ସମର୍ଥକଙ୍କୁ ନେଇ ପ୍ରଚାର ଅଭିଯାନରେ ଯିବେ ଏବଂ ପ୍ରାର୍ଥୀ ଓ ତାଙ୍କ ସମର୍ଥକମାନେ ସାମାଜିକ ଦୂରତା ରକ୍ଷା କରିବା ସହ ଠିକଣା ଭାବେ ମାସ୍କ ପିନ୍ଧିବା ଲାଗି ମାର୍ଗନିର୍ଦ୍ଦେଶିକାରେ କୁହାଯାଇଥିଲା । ଏମିତିକି ପ୍ରାର୍ଥୀପତ୍ର ଦାଖଲ ଠାରୁ ନିର୍ବାଚନୀ ସଭା ଓ ଶୋଭାଯାତ୍ରାରେ କେତେ ସଂଖ୍ୟକ ଲୋକ ରହିପାରିବେ ସେଥିଘେନି ମଧ୍ୟ ନିର୍ବାଚନ କମିଶନ ସ୍ପଷ୍ଟ କରିଛନ୍ତି ।

ଜିଲ୍ଲାରେ ନିର୍ବାଚନ ଦାୟିତ୍ୱରେ ଥିବା ଜିଲ୍ଲାପାଳ ଓ ଅନ୍ୟ ମାଜିଷ୍ଟ୍ରେଟ ଏବଂ ତଳୁ ଉପର ପର୍ଯ୍ୟନ୍ତ ପୁଲିସ୍‍ ଅଧିକାରୀମାନେ ଏହି କଟକଣା ସମ୍ପର୍କରେ ସମ୍ପୂର୍ଣ୍ଣ ଅବହିତ । କିନ୍ତୁ ପ୍ରାର୍ଥୀପତ୍ର ଦାଖଲ ଠାରୁ ନିର୍ବାଚନ ପ୍ରଚାର ଅଭିଯାନ ଶେଷହେବାକୁ ଯାଉଥିବାବେଳେ ସେମିତି କାହା ବିରୁଦ୍ଧରେ ଏଯାବତ୍‍ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ସାଧାରଣ ଲୋକଟିଏ ମାସ୍କ ନପିନ୍ଧିଲେ କିମ୍ବା ସାମାଜିକ ଦୂରତା ଭଙ୍ଗକଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ହେଉଛି । ଏମିତିକି ଉଠା ପରିବା ଦୋକାନ ଠାରୁ ଆରମ୍ଭକରି ସପିଙ୍ଗ ମଲ୍‍ ପର୍ଯ୍ୟନ୍ତ ବି ସ୍ଥଳ ବିଶେଷରେ ସିଲ୍‍ କରାଯାଉଛି ।

ମାସ୍କ ନପିନ୍ଧିବା ଓ ଅନ୍ୟାନ୍ୟ କୋଭିଡ କଟକଣା ଭଙ୍ଗ ଅଭିଯୋଗରେ କର୍ତ୍ତୃପକ୍ଷ ଜୋରିମାନା ଆଦାୟ କରୁଛନ୍ତି । ଏମିତିକି କେତେକ କାହା ନାଁରେ ବି ମୋକଦ୍ଦମା ଦିଆଯାଉଛି । ଅଥଚ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା ନିର୍ବାଚନମଣ୍ଡଳୀରେ ସତେ ଯେମିତି ଏହି କଟକଣା ଲାଗୁ ନହେବା ପରି ମନେ ହେଉଛି ।

ବିଭିନ୍ନ ରାଜନୈତିକଦଳର ନେତାମାନଙ୍କ ପାଇଁ ଏବେ ଏହି ଦୁଇ ନିର୍ବାଚନମଣ୍ଡଳୀ ରାଜନୈତିକ ତୀର୍ଥକ୍ଷେତ୍ରରେ ପରିଣତ ହୋଇଛି । ଶହ ଶହ ଗାଡିମୋଟର ଏଠି ପ୍ରଚାର ଅଭିଯାନରେ ବ୍ୟବହୃତ ହେଉଛି ଏବଂ ନେତାମାନଙ୍କ ସଭା ସମିତି ଶୋଭାଯାତ୍ରା ଆଦିରେ ବି ବିପୁଳ ଜନସମାଗମ ଦେଖାଯାଉଛି । ଅନେକ ନେତା ନିଜେ ମାସ୍କ ପିନ୍ଧୁ ନାହାନ୍ତି କି ସାମାଜିକ ଦୂରତା ମଧ୍ୟ ମାନୁନାହାନ୍ତି । ନେତାମାନଙ୍କ ହାଭ ଭାବ ଏଭଳି ହୋଇଥିବାବେଳେ ଦଳୀୟ କର୍ମୀ ଓ ସାଧାରଣ ଲୋକଙ୍କ ଉପରେ ତାହାର ସିଧାସଳଖ କୁପ୍ରଭାବ ପଡୁଛି ।

ଶୀତ ଆସିବା ସହ କରୋନା ସଂକ୍ରମଣ ବୃଦ୍ଧି ପାଇବା ଓ ସଂକ୍ରମିତ ଲୋକଙ୍କୁ ପୁନଃ ସଂକ୍ରମଣ ହେବାର ଆଶଙ୍କା ଥିବାଘେନି ବାରମ୍ବାର ବୈଜ୍ଞାନିକମାନେ ଚେତାଉ ଥିବାବେଳେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବି ଏକାକଥା କହୁଛନ୍ତି । ଏ ପରିପ୍ରେକ୍ଷୀରେ ତିର୍ତ୍ତୋଲ ଓ ବାଲେଶ୍ୱର ବିଧାନସଭା କ୍ଷେତ୍ରରେ କରୋନା କଟକଣାକୁ ଯେଭଳି ଉପେକ୍ଷା କରାଯାଉଛି ସେଥିରେ ଯଦି ସମ୍ପୃକ୍ତ ଅଞ୍ଚଳରେ ନିର୍ବାଚନ ପରେ କରୋନା ବ୍ୟାପେ ତେବେ ସେଥିଲାଗି କିଏ ଦାୟୀ ରହିବ ବୋଲି ସାଧାରଣ ଲୋକେ ପ୍ରଶ୍ନ କରୁଛନ୍ତି ।