Home Covid କରୋନା ଉଜାଡିଲା ଏସ୍‍ଏଚ୍‍ଜି ବେପାର

କରୋନା ଉଜାଡିଲା ଏସ୍‍ଏଚ୍‍ଜି ବେପାର

ଭୁବନେଶ୍ୱର : ମିଶନ୍‍ ଶକ୍ତି ଅଧିନରେ ଥିବା ରାଜ୍ୟର ଲକ୍ଷାଧିକ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ଏବେ କରୋନା ମାଡ଼ରେ ପ୍ରଭାବିତ ହୋଇଛନ୍ତି । ସେମାନଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀ ବିକ୍ରିବଟା ହୋଇପାରୁନଥିବା ବେଳେ ଋଣ କିଭଳି ସୁଝିବେ ସେହି ଚିନ୍ତାରେ ଅଛନ୍ତି ।

ରାଜ୍ୟରେ ଏବେ ୬ଲକ୍ଷରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀରେ ୭୦ଲକ୍ଷ ମହିଳା ଯୋଡ଼ିହୋଇ ରହିଛନ୍ତି । ଏମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବ୍ୟାଙ୍କରୁ ଋଣ ଆଣି ଛୋଟ ମୋଟ ବ୍ୟବସାୟ କରିଥାନ୍ତି । ବିଶେଷକରି ଗାଁ ଗହଳର ମହିଳାମାନେ ଏକତ୍ରିତ ହୋଇ ବଡ଼ି, ପାମ୍ପଡ଼, ଆଚାର, ଲଡ଼ୁ, ମୁଢ଼ି, ବିଭିନ୍ନ ପ୍ରକାରର ପିଠା, ମସଲାଗୁଣ୍ଡ, ହଳଦୀଗୁଣ୍ଡ, ଲଙ୍କାଗୁଣ୍ଡ ଭଳି ଖାଦ୍ୟ ପଦାର୍ଥ ସମେତ ହସ୍ତଶିଳ୍ପ ଓ କୂଟୀର ଶିଳ୍ପ ମାଧ୍ୟମରେ ବିଭିନ୍ନ ଖେଳନା, କାଗଜ ତିଆରି ସାମଗ୍ରୀ, ଫଟୋ ଆଦି ପ୍ରସ୍ତୁତ କରି ତାହାକୁ ସ୍ଥାନୀୟ ବଜାର ସମେତ ବିଭିନ୍ନ ମେଳାରେ ବିକ୍ରି କରିଥାନ୍ତି । ଆଉ କେତେକ ମହିଳା ଗୋଷ୍ଠୀ ଋଣ ଆଣି ଗୋପାଳନ, ମତ୍ସ୍ୟଚାଷ, କୁକୁଡ଼ା ଚାଷ, ଛେଳିଚାଷ, ମହୁଚାଷ ସହିତ ପନିପରିବା ଆଦି ଚାଷ କରୁଛନ୍ତି ।

ବର୍ତ୍ତମାନ କରୋନାଜନିତ ଲକ୍‍ଡାଉନ୍‍ ଓ ସଟ୍‍ଡାଉନ୍‍ ଜାରି ହୋଇଥିବା ବେଳେ ମହିଳାମାନଙ୍କ ଉତ୍ପାଦିତ ସାମଗ୍ରୀ କିଣିବାକୁ କେହି ନାହାନ୍ତି । ଅଧିକାଂଶ ସ୍ୱୟଂ ସହାୟିକା ଗୋଷ୍ଠୀ ଖାଦ୍ୟ ସାମଗ୍ରୀ ପ୍ରସ୍ତୁତ ବନ୍ଦ କରିଥିବା ବେଳେ ପନିପରିବା ଓ ଦୁଗ୍ଧ ଉତ୍ପାଦନ କରୁଥିବା ଗୋଷ୍ଠୀଗୁଡ଼ିକ ମୁଣ୍ଡରେ ହାତଦେଇ ବସିଗଲେଣି । କାରଣ ପନିପରିବାର ଦର ଗାଁ ଗହଳରେ ଅତି ଶସ୍ତା ହୋଇଥିବା ବେଳେ ଏହା ବାହାରକୁ ଯାଇପାରୁନାହିଁ । ସେହିଭଳି ଉତ୍ପାଦିତ ଦୁଗ୍ଧକୁ ମଧ୍ୟ ନେବାକୁ କେହି ନାହାନ୍ତି । କୁକୁଡ଼ା ଓ ଛେଳି ଆଦି ଏବେ ବାହାର ବଜାରକୁ ଯିବାର ସୁବିଧା ନଥିବାରୁ ଏଥିରେ ଅର୍ଥ ଖଟାଇଥିବା ସ୍ୱୟଂ ସହାୟିକା ଗୋଷ୍ଠୀ ବି ମୁଣ୍ଡରେ ହାତଦେଇ ବସିଛନ୍ତି ।

ଏଭଳି ସ୍ଥିତିରେ ବ୍ୟାଙ୍କରୁ ଋଣ ଆଣି ବିନିଯୋଗ କରିଥିବା ମହିଳା ଗୋଷ୍ଠୀ କିଭଳି ଋଣ ସୁଝିବେ ସେହି ଚିନ୍ତାରେ ଅଛନ୍ତି । ଏଥିସହିତ ମିଶନ୍‍ ଶକ୍ତି କାର୍ଯ୍ୟରେ ନିୟୋଜିତ ଯେଉଁ ମହିଳାମାନେ ଦୁଇପଇସା ପାଇ ଘର ଚଳାଉଥିଲେ ସେମାନଙ୍କ ପରିବାର ଉପରେ ବି ଏବେ କରୋନା ଚଡ଼କ ପଡ଼ିଛି । କରୋନା ସହାୟତା ପାଇଁ ବିଭିନ୍ନ ଯୋଜନା ଘୋଷଣା ହେଉଥିବା ବେଳେ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀଙ୍କ ଉତ୍ପାଦିତ ସାମଗ୍ରୀ କିଭଳି ବଜାରକୁ ଆସିବ ଓ ମହିଳାମାନେ ଆର୍ଥିକ ଦୃଷ୍ଟିରୁ ସ୍ୱାବଲମ୍ବୀ ହେବେ ସେ ଦିଗରେ କିଛି ଘୋଷଣା ହେଉନାହିଁ ।

ଏଭଳି ଅବସ୍ଥା ଆଉ କିଛିଦିନ ଲାଗି ରହିଲେ ମହିଳା ଗୋଷ୍ଠୀମାନେ ବ୍ୟାଙ୍କରୁ ନେଇଥିବା ଋଣ ସୁଝିବା କଷ୍ଟକର ହୋଇପଡ଼ିବ ବୋଲି କେତେକ ମହିଳା ଗୋଷ୍ଠୀ ମତ ଦେଉଛନ୍ତି । ତୁରନ୍ତ ଏମାନଙ୍କ ଉତ୍ପାଦିତ ସାମଗ୍ରୀକୁ ଅନ୍‍ଲାଇନ ଜରିଆରେ ଲୋକଙ୍କ ନିକଟରେ ପହଞ୍ଚାଇବା ସହିତ ଗାଁ ଗହଳରେ ହେଉଥିବା ଉନ୍ନୟନ କାର୍ଯ୍ୟରେ ମହିଳା ଗୋଷ୍ଠୀଙ୍କୁ ସାମିଲ କରିବା ଲାଗି ମତ ପ୍ରକାଶ ପାଉଛି । (ତଥ୍ୟ)