Home Covid କରୋନାର ଲମ୍ବା ଡିଆଁ

କରୋନାର ଲମ୍ବା ଡିଆଁ

ଭୁବନେଶ୍ୱର : ରାଜ୍ୟରେ କରୋନାର ଲମ୍ବା ଡିଆଁ । ଗୋଟିଏ ଦିନରେ ୧୧୫ ନୂଆ ସଂକ୍ରାମିତ ବାହାରିବା ସହିତ ଗତ ୨୪ଘଣ୍ଟାରେ ରାଜ୍ୟରେ ୩୪୬ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଦିନ ପୂର୍ବରୁ ରାଜ୍ୟରେ ଗୋଟିଏ ଦିନରେ ୨୩୧ ନୂଆ ସଂକ୍ରମିତ ବାହାରିଥିଲେ । ତିନି ଦିନରେ ଏହା ପ୍ରାୟ ୩ଗୁଣ ବୃଦ୍ଧି ପାଇଛି ।

ଗତ ୨୪ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୦୨ଜଣ କ୍ୱାରେଣ୍ଟାଇନ୍‍ରୁ ବାହାରିଥିବାବେଳେ ୧୪୪ଟି ଲୋକାଲ କେଶ୍‍ ରହିଛି । ମୋଟ୍‍ ସଂକ୍ରମିତଙ୍କ ମଧ୍ୟରେ ୧୮ବର୍ଷ ବୟସ ମଧ୍ୟରେ ଥିବା ପିଲାଙ୍କ ସଂଖ୍ୟା ୪୯ଜଣ ରହିଛନ୍ତି ।

ଚିହ୍ନଟ ନୂଆ ସଂକ୍ରମିତଙ୍କ ମଧ୍ୟରେ ଖୋରଧା ଜିଲ୍ଲାରୁ ସର୍ବାଧିକ ୧୮୯ଜଣ ବାହାରିଥିବାବେଳେ କଟକରୁ ୫୧, ସୁନ୍ଦରଗଡରୁ ୧୩, ବାଲେଶ୍ୱର, ଜଗତ୍‍ସିଂହପୁର ଓ ନୂଆପଡାରୁ ୭ଜଣ କରି, ରାୟଗଡା ଓ ସମ୍ବଲପୁରରୁ ୫ଜଣ କରି, ଭଦ୍ରକ, ଯାଜପୁର ଓ ପୁରୀରୁ ୪ଜଣ କରି, ଝାରସୁଗୁଡା, ମୟୁରଭଞ୍ଜରୁ ୨ଜଣ କରି ଏବଂ ଢେଙ୍କାନାଳ, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର ଓ ନୟାଗଡରୁ ଜଣେ କରି ଚିହ୍ନଟ ହୋଇଛନ୍ତି ।

କରୋନାର ଏହି ଲମ୍ବାଡିଆଁ ପରେ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୯୦,୫୩୮ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୧୨,୮୦,୦୪୯ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ୧୩୧୦ଜଣ ସକ୍ରିୟ କରୋନା ରୋଗୀ ରହିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦର୍ଶାଯାଇଛି । ତେବେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୧ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି ।

କରୋନାର ଏଭଳି ଦ୍ରୁତ ସଂକ୍ରମଣକୁ ଦେଖି ଇତି ମଧ୍ୟରେ ଭୁବନେଶ୍ୱର ପରେ କଟକରେ ମାସ୍କ ବାଧ୍ୟତାମୂଳକ ସହିତ ସାମାଜିକ ଦୂରତ୍ୱ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ତେବେ ବହୁ ଲୋକେ ଏବେ ବି ବିନାମାସ୍କରେ ବୁଲିବା ସହିତ ପୂର୍ବଭଳି ଜନଗହଳି ବି ଜାରି ରହିଛି ।