Home Health କରୋନାର ଭୟଙ୍କର ଲେଉଟାଣି

କରୋନାର ଭୟଙ୍କର ଲେଉଟାଣି

219
0

ଭୁବନେଶ୍ୱର : ୟୁରୋପ, ଆମେରିକା ଭଳି ଦେଶରେ କମିଆସୁଥିବା କରୋନା ଏବେ ପୁଣି ତାହାର କରାଳ କାୟା ବିସ୍ତାର କରୁଥିବା ପରିପ୍ରେକ୍ଷୀରେ ଓଡ଼ିଶା ସମେତ ସାରା ଭାରତରେ ଏଥିଘେନି ଲୋକଙ୍କ ଭିତରେ ଉଦ୍‍ବେଗ ପ୍ରକାଶ ପାଉଛି । ପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନଠାରୁ ଆରମ୍ଭ କରି ଦେଶ ବିଦେଶରେ ବୈଜ୍ଞାନିକମାନେ ଶୀତର ପ୍ରକୋପ ବୃଦ୍ଧି ସହ କରୋନା ପୁଣି ସାଙ୍ଘାତିକ ଭାବେ ଭୟଙ୍କର ଲେଉଟାଣି ମାରିପାରେ ବୋଲି ଚେତାବନୀ ଦେଇଥିବା ପରିପ୍ରେକ୍ଷୀରେ ୟୁରୋପ, ଆମେରିକା ଆଦିର ବର୍ତ୍ତମାନର ଅବସ୍ଥାକୁ ଦେଖି ଭାରତ ସରକାର ପ୍ରତିକାରାତ୍ମକ ବ୍ୟବସ୍ଥା ଉପରେ ଗୁରୁତ୍ୱାରୋପ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୟୁରୋପରେ କରୋନାର ଭୟଙ୍କର ଲେଉଟାଣି ପରିପ୍ରେକ୍ଷୀରେ ଲଣ୍ଡନ ସମେତ ବହୁ ଅଞ୍ଚଳରେ ପୁଣି ଲକ୍‍ଡାଉନ୍‍ ଜାରି କରାଯାଇଛି । ଜର୍ମାନ, ଇଟାଲୀ, ଫ୍ରାନ୍ସ ଆଦି ମଧ୍ୟ ବ୍ୟାପକ ସତର୍କତା ଅବଲମ୍ବନ କରୁଛନ୍ତି । ଆମେରିକାରେ କରୋନା ପ୍ରତିଷେଧକ ଟିକାକରଣକୁ ବ୍ୟାପକ କରାଯାଉଛି ।

କରୋନାର ପ୍ରକୋପ କମିଆସୁଥିବା ପରିପ୍ରେକ୍ଷୀରେ ଜୁନ୍‍ ମାସରୁ ଓଡ଼ିଶାରେ ଆଉ ଲକ୍‍ଡାଉନ ନାହିଁ । କେନ୍ଦ୍ର ସରକାର ବିଭିନ୍ନ ପର୍ଯ୍ୟାୟରେ ‘ଅନ୍‍ଲକ୍‍’ ନିଷ୍ପତ୍ତି ନେଇଥିବା ଆଧାରରେ ରାଜ୍ୟରେ ବି କରୋନା କଟକଣା ବହୁମାତ୍ରାରେ କୋହଳ ହୋଇସାରିଛି । ଏପରିକି ଦୋକାନ, ବଜାର, ଦପ୍ତର ଆଦି ଖୋଲି ସାରିଥିବା ବେଳେ ଓଡ଼ିଶାରେ ଧର୍ମାନୁଷ୍ଠାନଗୁଡ଼ିକ ଖୋଲିବା ପ୍ରକ୍ରିୟା ଆରମ୍ଭ ହୋଇଛି । ତେବେ ଶିକ୍ଷାନୁଷ୍ଠାନଗୁଡ଼ିକ କିନ୍ତୁ ଶିକ୍ଷାର୍ଥୀମାନଙ୍କ ପାଇଁ ବନ୍ଦ ରହିଛି । ଏବେ କିଛିଦିନ ଧରି ଓଡ଼ିଶା ସମେତ ସାରା ଦେଶରେ ଶୀତଲହରି ଚାଲିଛି । ଶୀତ ପ୍ରକୋପ ବୃଦ୍ଧି ସହ କରୋନା ବଢ଼ିବ ବୋଲି ବିଶେଷଜ୍ଞମାନଙ୍କ ଆଶଙ୍କା ପରିପ୍ରେକ୍ଷୀରେ ଏ ସମ୍ପର୍କରେ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଛି ।

ଏଠାରେ ଉଲ୍ଲେଖନୀୟ ଯେ ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଗତ ମାର୍ଚ୍ଚ ମାସରେ ଚିହ୍ନିତ ହୋଇଥିଲେ । ଗତ ସେପ୍ଟେମ୍ବର ଶେଷ ବେଳକୁ ଓଡ଼ିଶାରେ କରୋନା ୮୩୦ରୁ ଅଧିକ ମୁଣ୍ଡ ନେଇସାରିଥିବା ବେଳେ ମୋଟ୍‍ ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ୨ଲକ୍ଷ ୨୦ହଜାରରେ ପହଞ୍ଚିଥିଲା । ଏବେସୁଦ୍ଧା ସରକାରୀ ଭାବେ ଓଡ଼ିଶାରେ କରୋନା ମୃତ୍ୟୁସଂଖ୍ୟା ୧୮୪୦ରୁ ଅଧିକ ଥିବା ବେଳେ ମୋଟ୍‍ ୩,୨୬,୬୦୦ରୁ ଅଧିକ କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଛନ୍ତି । ତେବେ ଓଡ଼ିଶା ପାଇଁ ଆଶ୍ୱାସନାର କଥା ହେଉଛି ଯେ ଏବେସୁଦ୍ଧା ପ୍ରାୟ ୩ଲକ୍ଷ ୨୨ହଜାର ଲୋକ କରୋନାରୁ ସୁସ୍ଥ ହୋଇସାରିଛନ୍ତି ।

ସେହିପରି ଭାରତରେ ପ୍ରଥମ କରୋନା ରୋଗୀ ଗତ ଜାନୁଆରୀ ୩୦ ତାରିଖରେ ଚିହ୍ନିତ ହୋଇଥିବା ବେଳେ ଗତ ସେପ୍ଟେମ୍ବର ଶେଷ ସୁଦ୍ଧା ଦେଶର ୯୮ହଜାର ଲୋକଙ୍କୁ କରୋନା ମାରିଥିଲା । ଏପର୍ଯ୍ୟନ୍ତ ଦେଶରେ ଚିହ୍ନିତ କରୋନା ସଂକ୍ରମିତଙ୍କ ସଂଖ୍ୟା କୋଟିଏ ଟପିଥିବା ବେଳେ ମୃତ୍ୟୁସଂଖ୍ୟା ପ୍ରାୟ ୧ଲକ୍ଷ ୪୬ହଜାର ହେଲାଣି । ସମଗ୍ର ବିଶ୍ୱରେ ପାଖାପାଖି ୭ କୋଟି ୭୫ ଲକ୍ଷ ଲୋକ ଏଯାବତ୍‍ କରୋନା ସଂକ୍ରମିତ ହୋଇଥିବା ବେଳେ ୧୭ଲକ୍ଷରୁ ଅଧିକ ମଲେଣି ।

ଯୁକ୍ତରାଷ୍ଟ୍ର ଆମେରିକା ଭଳି ବିକଶିତ ରାଷ୍ଟ୍ୟରେ ୧ କୋଟି ୮୫ ଲକ୍ଷ ଲୋକ କରୋନା ସଂକ୍ରମିତ ହୋଇସାରିଥିବା ବେଳେ ସେଠାରେ ପ୍ରାୟ ୩ ଲକ୍ଷ ୨୫ହଜାର ମୁଣ୍ଡ ଏହି ମହାମାରୀ ନେଇସାରିଲାଣି । ଏ ପରିପ୍ରେକ୍ଷୀରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରମାନେ ପ୍ରତିକାରତ୍ମକ ପଦକ୍ଷେପ ଘେନି ବିଚାର ବିମର୍ଶ ଚଳାଇଛନ୍ତି ।

LEAVE A REPLY

Please enter your comment!
Please enter your name here