Home Health କରୋନାରେ ଗୁରୁତର ରକ୍ତ ସଙ୍କଟ

କରୋନାରେ ଗୁରୁତର ରକ୍ତ ସଙ୍କଟ

ଭୁବନେଶ୍ୱର : କରୋନା ଯୋଗୁଁ ଏବେ ଗୁରୁତର ରକ୍ତ ସଙ୍କଟ ସ୍ଥିତି ଉପୁଜିଛି । ଅବସ୍ଥା ଏଭଳି ହୋଇଛି ଯେ ପୂର୍ବଭଳି ଥାଲାସେମିଆ ରୋଗୀଙ୍କୁ ବିନା ବଦଳରେ ଆଉ ରକ୍ତ ଯୋଗାଯାଇ ପାରୁନାହିଁ । ଗର୍ଭବତୀ ମହିଳା ଓ କର୍କଟ ରୋଗୀଙ୍କ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ଉପୁଜିଛି ।

ଥାଲାସେମିଆ ଆକ୍ରାନ୍ତଙ୍କ ସମେତ ପ୍ରସୂତୀ ଓ କର୍କଟରୋଗୀମାନଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ରକ୍ତ ଯୋଗାଣ ହୋଇଥାଏ । ଏଥିପାଇଁ ରକ୍ତ ବଦଳ କରିବା କିମ୍ବା କୌଣସି ଦେୟ ଦେବାକୁ ପଡେନାହିଁ । ତେବେ କରୋନା ଦ୍ୱିତୀୟ ଲହର ସମୟରେ ରକ୍ତ ସଂଗ୍ରହ ଗୁରୁତର ଭାବେ ହ୍ରାସ ପାଇଥିବାରୁ ବିନା ବଦଳରେ ରକ୍ତ ଦେବା ସମ୍ଭବପର ହୋଇପାରୁ ନାହିଁ । କ୍ୟାପିଟାଲ ହସ୍ପିଟାଲ ପରିସରରେ ଥିବା ସରକାରୀ ରକ୍ତଭଣ୍ଡାର ସମେତ ସମଗ୍ର ରାଜ୍ୟରେ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।

କ୍ୟାପିଟାଲ ହସ୍ପିଟାଲରେ ଥିବା ରକ୍ତଭଣ୍ଡାରରେ ୬୬୫ଜଣ ଥାଲାସେମିଆ ରୋଗୀ ପଞ୍ଜିକୃତ ଥିବାବେଳେ ଏମାନଙ୍କ ପାଇଁ ଦୈନିକ ୨୦ରୁ ୨୫ଟି ରକ୍ତ ଆବଶ୍ୟକ ହୋଇଥାଏ । ସେହିଭଳି ପ୍ରସୂତୀମାନଙ୍କ ପାଇଁ ୧୦ଟି ପର୍ଯ୍ୟନ୍ତ ରକ୍ତ ଆବଶ୍ୟକ ହେଉଥିବାବେଳେ କର୍କଟରୋଗୀଙ୍କ ପାଇଁ ୪/୫ଟି ଓ ଦୁର୍ଘଟଣାର ସମ୍ମୁଖୀନ ହେଉଥିବା ବ୍ୟକ୍ତିଙ୍କପାଇଁ ରକ୍ତ ଆବଶ୍ୟକ ପଡିଥାଏ । ମୋଟାମୋଟି ଭାବେ ଏହି ରକ୍ତଭଣ୍ଡାରରୁ ଦୈନିକ ୪୦ରୁ ୫୦ଟି ରକ୍ତ ଯାଇଥାଏ ।

ତେବେ କରୋନାର ଦ୍ୱିତୀୟ ଲହର ସମୟରେ ଏଠାରେ ଏବେ ଗୁରୁତର ରକ୍ତ ସଙ୍କଟ । ଆବଶ୍ୟକ ତୁଳନାରେ ରକ୍ତ ସଂଗ୍ରହ ହେଉନଥିବାରୁ ଥାଲାସେମିଆ ରୋଗୀଙ୍କୁ ସାଙ୍ଗରେ ରକ୍ତଦାତା ଆଣିବାପାଇଁ କୁହାଯାଉଛି । ଯେଉଁ କେତୋଟି ରକ୍ତ ସଂଗ୍ରହ ଶିବିର ହେଉଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏପରିକି ଗୋଟିଏ ଗୋଟିଏ ରକ୍ତଦାନ ଶିବିରରେ ୮/୧୦ଟି ରକ୍ତ ମିଳିବା କଷ୍ଟକର ହୋଇପଡୁଛି ।

ଏଠାରେ ଉଲ୍ଲେଖନୀୟ ଯେ କରୋନା ସଂକ୍ରମିତ ଓ ଟିକା ନେଇଥିବା ଲୋକଙ୍କୁ ସାମିୟିକ ଭାବେ ରକ୍ତଦାନ ପାଇଁ ବାରଣ କରାଯାଇଛି । ତେଣୁ କରୋନାର ଦ୍ୱିତୀୟ ଲହରରେ ଅଧିକ ସଂଖ୍ୟାରେ ଯୁବବର୍ଗ ସଂକ୍ରମିତ ହେବା ଓ ୧୮ରୁ ୪୪ବର୍ଷ ବୟସ ବ୍ୟକ୍ତିଙ୍କୁ ଟିକାଦାନ ଆରମ୍ଭ ପରେ ରକ୍ତ ସଂଗ୍ରହ ଗୁରୁତର ଭାବେ ବାଧାପ୍ରାପ୍ତ ହେଉଛି । ସଂକ୍ରମଣ ଭୟରେ ରକ୍ତଦାନ ଶିବିର ଆୟୋଜନରେ ବାଧା ଉପୁଜିଥିବାବେଳେ ଯାହା କେବଳ ରକ୍ତଭଣ୍ଡାର ପରିସରରେ ଆୟୋଜିତ ଛୋଟ ଛୋଟ ଶିବିରରେ ସଂଗ୍ରହ କରାଯାଉଛି । ଏଥିରୁ ଯାହା ରକ୍ତ ମିଳୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି ।

ତେବେ ଅନ୍ୟ ସମୟରେ ଯେଉଁ ସଂଗଠନଗୁଡିକ ରକ୍ତଦାନ ଶିବିର ଆୟୋଜନ କରି ନିଜର ବ୍ୟାପକ ପ୍ରଚାର ପ୍ରସାର କରାଉଥିଲେ ସେମାନଙ୍କର ବି ଏବେ ଦେଖାଦର୍ଶନ ମିଳୁନାହିଁ । ଏପରିକି କମିଶନରେଟ ପୁଲିସ୍‍ କିମ୍ବା ରାଜ୍ୟ ପୁଲିସ୍‍ ପକ୍ଷରୁ ପୂର୍ବଭଳି ଆଉ ରକ୍ତଦାନ ଶିବିର ଆୟୋଜନ ହେଉଥିବା ଲକ୍ଷ୍ୟ କରାଯାଉନାହିଁ । ଏଭଳି ସ୍ଥିତି ଲାଗି ରହିଲେ ଅନ୍ୟ ରୋଗୀ ତ ଦୂରରକଥା ରକ୍ତ ଉପରେ ଜୀବନ ନିର୍ଭର କରୁଥିବା ଥାଲାସେମିଆ ରୋଗୀଙ୍କୁ ବି ରକ୍ତଯୋଗାଣରେ ସମସ୍ୟା ଦେଖାଦେଇପାରେ ବୋଲି ରକ୍ତଭଣ୍ଡାର କର୍ମଚାରୀମାନେ ମତ ଦେଉଛନ୍ତି । (ତଥ୍ୟ)