Home General କରୋନାରେ ଆଖି ବୁଜିଲେ ରଘୁନାଥ

କରୋନାରେ ଆଖି ବୁଜିଲେ ରଘୁନାଥ

111
0

ଭୁବନେଶ୍ୱର : ବିଶିଷ୍ଟ ଭାଷ୍କର୍ଯ୍ୟ ଶିଳ୍ପୀ, ରାଜ୍ୟସଭା ସାଂସଦ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର ଆଜି ୭୮ବର୍ଷ ବୟସରେ କରୋନାରେ ଆଖି ବୁଜିଛନ୍ତି । ସେ ଭୁବନେଶ୍ୱର ଏମ୍‍ସରେ ଚିକିତ୍ସିତ ହେଉଥିଲେ ।

୧୯୪୩ମସିହାରେ ପୁରୀର ପଥୁରିଆ ସାହିରେ ଜନ୍ମଗ୍ରହଣ କରିଥିବା ରଘୁନାଥ ତାଙ୍କର ଭାଷ୍କର୍ଯ୍ୟ ପାଇଁ ଓଡିଶା ସମେତ ଦେଶ ବିଦେଶରେ ବେଶ୍‍ ପରିଚିତ ଥିଲେ । ଶିଳ୍ପୀଗୁରୁ ଭାବେ ବେଶ୍‍ ଜଣାଶୁଣା ରଘୁନାଥ ୨୦୧୮ ମସିହାରେ ରାଜ୍ୟସଭା ପାଇଁ ମନୋନୀତି ହୋଇଥିଲେ । ତାଙ୍କର ଅସାଧାରଣ କଳାକୃତି ପାଇଁ ଭାରତ ସରକାର ୧୯୭୫ ମସିହାରେ ତାଙ୍କୁ ପଦ୍ମଶ୍ରୀ, ୨୦୦୧ ରେ ପଦ୍ମଭୂଷଣ ଏବଂ ୨୦୧୩ ରେ ପଦ୍ମ ବିଭୂଷଣ ସମ୍ମାନ ପ୍ରଦାନ କରିଥିଲେ । ୨୦୦୦ରେ ତାଙ୍କୁ ଆଇସିସିଆର ସଭ୍ୟ ଭାବେ ମନୋନୀତ କରାଯାଇଥିଲା ।

କରୋନା ସଂକ୍ରମିତ ହେବାପରେ ଗତ ସପ୍ତାହରେ ତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଥିଲେ । ତେବେ ତାଙ୍କ ଅବସ୍ଥା ଗୁରୁତର ଥିବାବେଳେ ଏକ ୪ଜଣିଆ ଡାକ୍ତରୀ ଟିମ୍‍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶ୍ରୀ ମହାପାତ୍ରଙ୍କ ସ୍ୱାସ୍ଥ୍ୟ ସଂକ୍ରାନ୍ତରେ ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ସହିତ ସମସ୍ତ ପ୍ରକାର ପଦକ୍ଷେପ ନେବାପାଇଁ କହିଥିଲେ ।

ଶ୍ରୀ ମହାପାତ୍ରଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମନ୍ତ୍ରୀ ପ୍ରତାପ ଜେନା, ଆନ୍ଧ୍ରପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ, ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଶୋ ପ୍ରକାଶ କରିଛନ୍ତି ।

ଏକ ଶୋକବାର୍ତାରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ବର୍ଗତ ମହାପାତ୍ର ତାଙ୍କ ନିହାଣ ମୂନରେ ଓଡ଼ିଶାର ମହାନ କଳା ପରମ୍ପରା କୁ ବିଶ୍ୱବ୍ୟାପି  କରିଥିଲେ । ଓଡ଼ିଶାର କଳା ଓ ଐତିହ୍ୟ କୁ ସମୃଦ୍ଧ କରିବାରେ ତାଙ୍କର ମହନୀୟ ଅବଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇରହିବେ ।

ସେ ଥିଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଅନନ୍ୟ ଭକ୍ତ ।ସାରା ଦେଶରେ ବହୁସ୍ଥାନରେ ଜଗନ୍ନାଥ ମନ୍ଦିର ନିର୍ମାଣରେ ତାଙ୍କର ମହତ୍ତ୍ୱପୂର୍ଣ୍ଣ  ଯୋଗଦାନ  ଥିଲା । ପୁରୀ ଶ୍ରୀମନ୍ଦିର ମରାମତି ରେ ସେ ମଧ୍ୟ ସହଯୋଗ କରିଥିଲେ । ଗଞ୍ଜାମ ତାରାତାରିଣୀ ମନ୍ଦିର ପୁନନିର୍ମାଣରେ  ସେ ତାଙ୍କର ଅତୁଳନୀୟ କାରିଗରୀ ଦଷତା ପ୍ରଦର୍ଶନ କରିଯାଇଛନ୍ତି । ବାସ୍ତବରେ ସେ ଥିଲେ କଳାଜଗତର ଏକ ବିସ୍ମୟ କର ପ୍ରତିଭା । ତାଙ୍କ ବିୟୋଗରେ ଭାରତର କଳା ଜଗତରେ ଏକ ବିରାଟ ଶୂନ୍ୟତା ସୃଷ୍ଟି ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here