Home News in Odia କରୋନାରେ ଅପପୁଷ୍ଟି ବଢିବା ଆଶଙ୍କା

କରୋନାରେ ଅପପୁଷ୍ଟି ବଢିବା ଆଶଙ୍କା

77
0

ଭୁବନେଶ୍ୱର : ରାଜ୍ୟରେ ଏବେ ସାଢେ ୪ଶହରୁ ଅଧିକ ଅତିଶୟ ପୁଷ୍ଟିହୀନ ଶିଶୁ ଥିବାବେଳେ କରୋନା କାଳରେ ଏମାନଙ୍କ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ମହାମାରୀ ସମୟରେ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆନଗଲେ ଏଭଳି ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଏ କ୍ଷେତ୍ରରେ କାର୍ଯ୍ୟରତ ସ୍ୱେଚ୍ଛାସେବୀମାନେ ମତ ଦେଉଛନ୍ତି ।

ସରକାରୀ ହିସାବରେ ରାଜ୍ୟରେ ଏବେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କ ସଂଖ୍ୟା ୪୫୧ । ଏମାନଙ୍କ ମଧ୍ୟରୁ ସର୍ବାଧିକ ୫୭ଜଣ ନବରଙ୍ଗପୁର ଜିଲ୍ଲାରେ ଥିବାବେଳେ କେନ୍ଦୁଝରରେ ୪୫, ମୟୁରଭଞ୍ଜ ଓ ସୁନ୍ଦରଗଡରେ ୨୯କରି, କୋରାପୁଟରେ ୨୮, ଯାଜପୁରରେ ୨୬, ବାଲେଶ୍ୱରରେ ୨୪, କନ୍ଧମାଳ ଓ ମାଲକାନଗିରିରେ ୨୧କରି, ରାୟଗଡାରେ ୧୮, ଭଦ୍ରକ ଓ ନୂଆପଡାରେ ୧୭କରି, ସମ୍ବଲପୁରରେ ୧୬, କଟକରେ ୧୪ ଓ ବଲାଙ୍ଗିରରେ ୧୦ଜଣ ଅଛନ୍ତି । ଢେଙ୍କାନାଳରେ ଜଣେ ହେଲେ ଅତିଶୟ ପୁଷ୍ଟିହୀନ ଶିଶୁ ନଥିବାବେଳେ ଅବଶିଷ୍ଟ ଜିଲ୍ଲାରେ ଏହି ସଂଖ୍ୟା ଏକ ଅଙ୍କରେ ସୀମିତ ରହିଛି ।

ତେବେ ଅଧିକ ଅତିଶୟ ପୁଷ୍ଟିହୀନ ଶିଶୁ ଥିବା ଜିଲ୍ଲା ଗୁଡିକରେ ଏବେ କରୋନାର ଦ୍ୱିତୀୟ ଲହର ଉଗ୍ରରୂପ ଧାରଣ କରିଛି । ଫଳରେ ପୁଷ୍ଟିହୀନତା ଦୂରପାଇଁ କାର୍ଯ୍ୟକାରୀ ହେଉଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନା କାର୍ଯ୍ୟକାରୀରେ ବାଧା ଉପୁଜିବାର ଆଶଙ୍କା ସୃଷ୍ଟି ହୋଇଛି । କାରଣ ପୁଷ୍ଟିହୀନତା ଦୂରୀକରଣ କାର୍ଯ୍ୟରେ ନିୟୋଜିତ ଅଧିକାଂଶ କର୍ମଚାରୀ ଓ ସ୍ୱେଚ୍ଛାସେବୀମାନେ ଏବେ କରୋନା ମୁକାବିଲାରେ ବ୍ୟସ୍ତ । ଅନେକ ଆକ୍ରାନ୍ତ ମଧ୍ୟ ହୋଇଛନ୍ତି ।

ଏଠାରେ ଉଲ୍ଲେଖ କରାଯାଇପାରେ ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ତୁରନ୍ତ ଚିହ୍ନଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଏଥିରେ ଅଙ୍ଗନବାଡିକର୍ମୀମାନେ ପ୍ରମୁଖ ଭୂମିକାଗ୍ରହଣ କରିଥାନ୍ତି । ଏଥି ସହିତ ଆବଶ୍ୟକସ୍ଥଳେ ଏଭଳି ଶିଶୁଙ୍କୁ ଏନ୍‍ଆରସିକୁ ସ୍ଥାନାନ୍ତର କରାଯାଇଥାଏ । ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ଅତିପୁଷ୍ଟିର ଶିକାର କମ୍‍ ଓଜନର ୬ମାସରୁ ୩ବର୍ଷ ବୟସର ଶିଶୁଙ୍କୁ ଅତିରିକ୍ତ ପୁଷ୍ଟିକର ଖାଦ୍ୟ ପ୍ରଦାନ କରାଯାଇଥାଏ । ଏପରିକି ଏଭଳି କେତେକ ଶିଶୁଙ୍କୁ ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିକାରୀ ପୋଷ୍ୟ ଶିଶୁଭାବେ ଗ୍ରହଣ କରିଥାନ୍ତି ।

ହେଲେ କରୋନା କାଳରେ ଏହା ଆଦୌ ସମ୍ଭବପର ନୁହେଁ । କରୋନାର ପ୍ରଥମ ଲହରୀ ଥମିବା ପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଅଙ୍ଗନାବାଡି କେନ୍ଦ୍ରଗୁଡିକୁ ପୁର୍ନବାର ଖୋଲାଯିବା ସହିତ ଶିଶୁଙ୍କୁ ପୁଷ୍ଟିକର ଆହାର ଏବଂ ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ହେଲେ ଦ୍ୱିତୀୟ ଲହର ଯୋଗୁଁ ପୁଣିଥରେ ତାହା ବନ୍ଦ ହୋଇଯାଇଛି । କରୋନାର ତୀବ୍ର ସଂକ୍ରମଣ ଯୋଗୁଁ ଅଙ୍ଗନବାଡିକର୍ମୀଙ୍କ ଠାରୁ ଆରମ୍ଭ କରି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନେ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ତେଣୁ ଏଭଳି ସ୍ଥିତିରେ ସେମାନେ ଘରକୁ ଘର ବୁଲି ଅତିଶୟ ପୁଷ୍ଟିହୀନ ଶିଶୁଙ୍କୁ ଚିହ୍ନଟ ସହିତ ପୁଷ୍ଟିକର ଖାଦ୍ୟ ଯୋଗାଇବା ଅତ୍ୟନ୍ତ କଷ୍ଟକର ହୋଇପଡିଛି ।

ସେହିଭଳି ପୁଷ୍ଟିହୀନତାର ଶିକାର ଅନେକ ଶିଶୁଙ୍କ ପିତା ମାତା ମଧ୍ୟ କରୋନା ଯୋଗୁଁ କାମଧନ୍ଦା ହରାଇବାରେ ଲାଗିଛନ୍ତି । ପ୍ରବାସରୁ ମଧ୍ୟ କାମଦାମ ଛାଡି ଅନେକ ଓଡିଶା ଫେରିଲେଣି । ଏଭଳି ସ୍ଥିତିରେ ପିଲାଙ୍କ ପୁଷ୍ଟିହୀନତାକୁ କିଭଳି ମୁକାବିଲା କରାଯାଇପାରିବ ତାହା ବଡ ପ୍ରଶ୍ନବାଚୀ ହୋଇଛି । ଏ କ୍ଷେତ୍ରରେ ସ୍ୱତନ୍ତ୍ର ଧ୍ୟାନ ଦିଆନଗଲେ କରୋନା ପରବର୍ତ୍ତୀ ସମୟରେ ରାଜ୍ୟରେ ଅପପୁଷ୍ଟିର ଶିକାର ଶିଶୁଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ସ୍ୱେଚ୍ଛାସେବୀମାନେ ଆଶଙ୍କା ପ୍ରକାଶ କରୁଛନ୍ତି । (ତଥ୍ୟ)

LEAVE A REPLY

Please enter your comment!
Please enter your name here