Home Covid କରୋନାରୁ ସୁସ୍ଥ ପରେ ବି ବିପଦ ଅଛି

କରୋନାରୁ ସୁସ୍ଥ ପରେ ବି ବିପଦ ଅଛି

ଭୁବନେଶ୍ୱର : ଥରେ କରୋନାରୁ ସୁସ୍ଥ ହେଲେ ବି ଦ୍ୱିତୀୟ ଥର ପୁଣି କରୋନା ହେବାର ଆଶଙ୍କା ରହିଛି । ଏହାଛଡ଼ା କରୋନାରୁ ସୁସ୍ଥ ହେଉଥିବା ବ୍ୟକ୍ତି ଠିକଣା ଭାବେ ନ ଚଳିଲେ ଅନ୍ୟ ରୋଗରେ ମଧ୍ୟ ପଡ଼ିପାରନ୍ତି । ଏ ଦୃଷ୍ଟିରୁ କରୋନା ସଂକ୍ରମଣରୁ ସୁସ୍ଥ ହେଉଥିବା ଲୋକମାନେ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ଆବଶ୍ୟକୀୟ ନିରାପତ୍ତା ବ୍ୟବସ୍ଥା ଗ୍ରହଣ କରିବା ଆବଶ୍ୟକ ବୋଲି ବୈଜ୍ଞାନିକମାନେ ମତ ଦେଇଛନ୍ତି ।

ଗବେଷଣା ତଥ୍ୟ ଅନୁଯାୟୀ ଘରେ ସଙ୍ଗରୋଧରେ ରହି ସୁସ୍ଥ ହେବା ଓ ଡାକ୍ତରଖାନାରୁ ଚିକିତ୍ସିତ ହୋଇ ସୁସ୍ଥ ଭାବେ ଫେରୁଥିବା ରୋଗୀମାନେ ଅନ୍ତତଃପକ୍ଷେ ଛଅମାସରୁ ବର୍ଷକ ପର୍ଯ୍ୟନ୍ତ ଅତି ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ । ବିଶେଷକରି କରୋନ ଭୂତାଣୁ ଦ୍ୱାରା ଅଧିକ ସଂକ୍ରମିତ ହୋଇଥିବା ରୋଗୀଙ୍କ ଜୀବନରକ୍ଷା ଲାଗି ଡାକ୍ତରମାନେ କେତେକ କ୍ଷେତ୍ରରେ ଅନୁମୋଦିତ ଔଷଧ ସହ ଷ୍ଟେରଏଡ୍‍ ଦେଇଥାନ୍ତି ।

ଏହାଛଡ଼ା କରୋନା ଭୂତାଣୁ ଯେଉଁମାନଙ୍କ ଶ୍ୱାସନଳୀ, ଫୁସ୍‍ଫୁସ୍‍ ଆଦିକୁ ବିଶେଷ ଭାବେ ସଂକ୍ରମିତ କରି ଦାଗ ସୃଷ୍ଟି କରିଥାଏ ସେମାନଙ୍କର ସୁସ୍ଥ ହେବା ପରେ ବି ହୃତ୍‍ପିଣ୍ଡ, ମସ୍ତିଷ୍କ, ସ୍ନାୟୁ ଆଦି ବିଭିନ୍ନ କ୍ଷେତ୍ରରେ ବେଳେ ବେଳେ ସମସ୍ୟା ଉପୁଜିଥାଏ । ଅବଶ୍ୟ ସବୁ ରୋଗୀଙ୍କ କ୍ଷେତ୍ରରେ ସମାନ ସମସ୍ୟା ନ ଥାଏ । ତେଣୁ ସୁସ୍ଥ ହେଉଥିବା କେଉଁ ଲୋକର ଶରୀରରେ କ’ଣସବୁ ସମସ୍ୟା ରହୁଛି ତାହା ଉପରେ ବିଶେଷ ଧ୍ୟାନ ଦିଆଯିବା ଦରକାର । ତେବେ ଡାକ୍ତରଖାନାରୁ ମୁକ୍ତ ହେବା ପରେ ବି ବିଶେଷ ଯତ୍ନର ଆବଶ୍ୟକତା ରହିଛି ।

ଯେଉଁମାନଙ୍କର ମଧୁମେହ ରହିଛି ସେମାନେ ଏହାକୁ ନିୟନ୍ତ୍ରିତ ଅବସ୍ଥାରେ ରଖିବା ଲାଗି ବିଜ୍ଞାନ ସମ୍ମତ ଉପଚାର କରିବା ଆବଶ୍ୟକ । ଯଦି କାହାର ନିଃଶ୍ୱାସ ନେବାରେ କଷ୍ଟ ସହିତ ଜ୍ୱର ଦେଖାଦିଏ ଏବଂ ଛାତିରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ତାହାକୁ ହାଲୁକା ଭାବେ ନ ନେଇ ବିଶେଷଜ୍ଞ ଡାକ୍ତରଙ୍କ ସହ ତୁରନ୍ତ ପରାମର୍ଶ କରି ଆବଶ୍ୟକୀୟ ଔଷଧ ସେବନ କରିବା ଆବଶ୍ୟକ ।

ଏମିତିକି କରୋନାରୁ ମୁକ୍ତ ହୋଇ ଘରକୁ ଫେରିବା ପରେ କିଛି ଲୋକଙ୍କର ଅବସ୍ଥା ଏମିତି ବିଗିଡ଼ିଛି ଯେ ସେମାନଙ୍କ ପାଇଁ ବି ଆଇସିୟୁ ଏବଂ ଭେଣ୍ଟିଲେଟର ଦରକାର ହେଉଛି ଓ ଏମାନଙ୍କ ଭିତରୁ କେତେକଙ୍କର ପ୍ରାଣହାନୀ ଘଟୁଛି । କିନ୍ତୁ କରୋନାରୁ ସୁସ୍ଥ ହେବା ପରେ ଠିକଣା ଉପଚାର ଓ ପ୍ରତିକାରାତ୍ମକ ପଦକ୍ଷେପ ମଧ୍ୟରେ ରହିଥିଲେ ଏମାନଙ୍କର ବହୁ ସମସ୍ୟା ଏଡ଼ାଇ ଦିଆଯାଇପାରନ୍ତା । ଯେଉଁମାନେ କରୋନାରୁ ସୁସ୍ଥ ହୋଇଥିଲେ ମଧ୍ୟ କର୍କଟ, କିଡ୍‍ନୀ, ଲିଭର, ଶ୍ୱାସ, ମଧୁମେହ ଆଦିରେ ପୀଡ଼ିତ ସେମାନଙ୍କ ପ୍ରତି ନିରନ୍ତର ଧ୍ୟାନ ଦେବା ଆବଶ୍ୟକ ।

କରୋନାରୁ ସୁସ୍ଥ ହେବା ପରେ ହଠାତ୍‍ ବାହାରେ ଚଲାବୁଲା ନ କରିବା ଏବଂ ଶାରୀରିକ ଓ ମାନସିକ ଚାପ ଥିବା କାମ କିଛିଦିନ ନ ପାଇଁ ସ୍ଥଗିତ ରଖିବା ଏବଂ ଚାପମୁକ୍ତ ଜୀବନଯାପନ ପାଇଁ ସକରାତ୍ମକ ଚିନ୍ତା ସହ ଆବଶ୍ୟକୀୟ ବ୍ୟାୟାମ, ପ୍ରାଣାୟାମ୍‍, ଯୋଗ ଆଦି କରିବା, ମୁକ୍ତ ବାୟୁ ପ୍ରଚଳନ କରୁଥିବା ପରିବେଶରେ ରହିବା ଏବଂ ସର୍ବୋପରି ଡାକ୍ତରଙ୍କ ପରାମର୍ଶ ମୁତାବକ ସନ୍ତୁଳିତ ଖାଦ୍ୟ ଓ ଆବଶ୍ୟକୀୟ ପାଣି ପିଇବା ଏବଂ ମଦ, ସିଗାରେଟ ସମେତ ସମସ୍ତ ପ୍ରକାରର ମାଦକଦ୍ରବ୍ୟ, ଫାଷ୍ଟ ଫୁଡ୍‍, ଜଙ୍କ୍‍ ଫୁଡ୍‍ ଆଦିଠାରୁ ଦୂରରେ ରହିବା ଲାଗି ମଧ୍ୟ ବୈଜ୍ଞାନିକମାନେ ପରାମର୍ଶ ଦେଉଛନ୍ତି । (ତଥ୍ୟ)