Home Health କରୋନାକୁ ହରାଇଲେ ୯୦ବର୍ଷର କର୍କଟ ରୋଗୀ

କରୋନାକୁ ହରାଇଲେ ୯୦ବର୍ଷର କର୍କଟ ରୋଗୀ

କର୍କଟରେ ଆକ୍ରାନ୍ତ ଏବଂ କରୋନା ସଂକ୍ରମିତ ଜଣେ ୯୦ ବର୍ଷୀୟ ବୃଦ୍ଧ କୋଭିଡକୁ ପରାସ୍ତ କରିଛନ୍ତି । ସମ୍ କୋଭିଡ ହସ୍ପିଟାଲରୁ କରୋନା ମୁକ୍ତ ହୋଇଛନ୍ତି ମୁରଲୀଧର ଶତପଥୀ ।
ଗଳା କର୍କଟ ରୋଗରେ ଗତ ମାର୍ଚ୍ଚ ମାସରୁ ପୀଡିତ ଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତିଙ୍କର କର୍କଟ ଚିକିତ୍ସା ଚାଲିଥିବା ବେଳେ ଗତ ଅକ୍ଟୋବର ୧୦ ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ସଂକ୍ରମିତ ହେବା ପରେ କ୍ୟାନ୍ସର ହସ୍ପିଟାଲ୍ରୁ ତାଙ୍କୁ ସମ୍ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା । କୋଭିଡ ହସ୍ପିଟାଲରେ ଭର୍ତି ହେବା ପରେ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ ସମ୍ କୋଭିଡ ଟିମ୍ ।

ସମ୍ କୋଭିଡ ହସ୍ପିଟାଲର ଡାକ୍ତର, ନର୍ସ ଓ ପାରାମେଡିକ୍ସଙ୍କର ଉତ୍ତମ ଚିକିତ୍ସା, ଯତ୍ନ ଓ ସେବା ଶୁଶ୍ରୁଷା ଫଳରେ ସେ ସୁସ୍ଥ ହେବା ସହ କରୋନାକୁ ପରାସ୍ତ ମଧ୍ୟ କରିସାରିଛନ୍ତି । ହସ୍ପିଟାଲରେ ଭର୍ତି ହେବା ସମୟରେ ଠିକ୍ରେ ଖାଇପାରୁ ନଥିବା ଏବଂ କେବଳ ତରଳ ପଦାର୍ଥ ଗ୍ରହଣ କରୁଥିବା ଏହି ବୟୋଜ୍ୟେଷ୍ଠ ବ୍ୟକ୍ତି ଜଣଙ୍କ ହସ୍ପିଟାଲରୁ ସୁସ୍ଥ ହୋଇପାରିଥିବା ନେଇ ଆନନ୍ଦ ପ୍ରକଟ କରିଛନ୍ତି ତାଙ୍କ ସମ୍ପର୍କୀୟ ସବ୍ୟସାଚୀ ମିଶ୍ର । ଏନେଇ ସେ ସମ୍ କୋଭିଡ ଟିମକୁ ଧନ୍ୟବାଦ ଓ କୃତଜ୍ଞତା ଜଣାଇଛନ୍ତି ।

ଜଣେ କର୍କଟ ଆକ୍ରାନ୍ତଙ୍କ କ୍ଷେତ୍ରରେ କୋଭିଡ ସଂକ୍ରମଣ ଅଧିକ ସମ୍ବେଦନଶୀଳ ପ୍ରସଙ୍ଗ ହୋଇଥିବା ବେଳେ ମୁରଲୀଧର କରୋନାକୁ ପରାସ୍ତ କରିବା ନିଶ୍ଚିତ ଭାବେ କରୋନା ରୋଗୀଙ୍କ କ୍ଷେତ୍ରରେ ଆଶାଜନକ ବାର୍ତା ପ୍ରଦାନ କରୁଛି ।

କୋଭିଡକୁ ଯେ ପରିଣତ ବୟସରେ ଓ ଭୟଙ୍କର ରୋଗ ଆକ୍ରାନ୍ତ ହୋଇଥିବା ସତ୍ୱେ ପରାସ୍ତ କରିହେବ ତାହା ଧୀରେ ଧୀରେ ସ୍ପଷ୍ଟ ହେବାରେ ଲାଗିଛି । ସମ୍ କୋଭିଡ ଟିମର ଉଦ୍ୟମ, ସେବା ଓ ଯତ୍ନ ଫଳରେ ଏଭଳି ଅନେକ ବୟୋଜ୍ୟେଷ୍ଠ ଏବଂ ବିଭିନ୍ନ ରୋଗରେ ଆକ୍ରାନ୍ତ କରୋନା ସଂକ୍ରମିତ ସୁସ୍ଥ ହେଉଥିବାର ଦେଖିବାକୁ ମିଳୁଛି ।