Home Judiciary କମ୍‍ ଦଣ୍ଡବିଧାନ ଯୋଗୁଁ ଆଇନ୍‍ଶୃଙ୍ଖଳା ବିଗୁଡୁଛି

କମ୍‍ ଦଣ୍ଡବିଧାନ ଯୋଗୁଁ ଆଇନ୍‍ଶୃଙ୍ଖଳା ବିଗୁଡୁଛି

ଭୁବନେଶ୍ୱର : ଅପରାଧିକ ମାମଲା ତୁଳନାରେ ଫଏସଲା ଓ ଦଣ୍ଡବିଧାନ ହାର ଢେର କମ୍‍ ରହୁଥିବା ଆଇନ୍‍ଶୃଙ୍ଖଳା ବ୍ୟବସ୍ଥା ପ୍ରତି ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ସର୍ବଶେଷ ଏନ୍‍ସିଆରବି ରିପୋର୍ଟର ତଥ୍ୟ ମୁତାବକ ମହିଳାମାନଙ୍କ ବିରୁଦ୍ଧରେ ଘଟୁଥିବା ଅପରାଧିକ ମାମଲା ସଂଖ୍ୟା ଓଡିଶାରେ ଏକ ଲକ୍ଷ ୩୬ହଜାରରୁ ଅଧିକ ଥିବାବେଳେ ବର୍ଷକରେ ଏଥିରୁ ମାତ୍ର ୧୫୭୧ଟି ଫଏସଲା ହୋଇଥିଲା ଓ ସେଥିରୁ ୧୪୨୭ଟିରେ ଅପରାଧିମାନେ ଖସିଯାଇଥିବାବେଳେ ମାତ୍ର ୧୪୪ଟିରେ ଦଣ୍ଡବିଧାନ କରିବାକୁ ବିଚାର ବ୍ୟବସ୍ଥା ସକ୍ଷମ ହୋଇଛି ।

ଓଡିଶାରେ ମହିଳମାନଙ୍କ ପ୍ରତି ହିଂସାକାଣ୍ଡ ସଂକ୍ରାନ୍ତୀୟ ଯେତେ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ସେଥିରୁ ବର୍ଷରେ ମାତ୍ର ୧.୧ ପ୍ରତିଶତ ଫଏସଲା ହେଉଥିବାବେଳେ ୯୮.୯ ପ୍ରତିଶତ ବିଚାର ନହୋଇ ପରବର୍ଷକୁ ବାକିଆ ମାମଲା ଭାବେ ଗଡିଆସୁଛି । ମୋଟାମୋଟି ଭାବେ ଯେତୋଟି ମହିଳାଙ୍କ ପ୍ରତି ଘଟୁଥିବା ହିଂସା ମାମଲା ଫଏସଲା ହେଉଛି ସେଥିରୁ ୯୦.୮ ପ୍ରତିଶତରେ ଅଭିଯୁକ୍ତ ଦୋଷମୁକ୍ତ ହୋଇଥିବାବେଳେ ଆମ ରାଜ୍ୟରେ ଦଣ୍ଡବିଧାନ ହାର ୯.୨ ପ୍ରତିଶତ ରହିଛି । ଅବଶ୍ୟ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ଆଦି ରାଜ୍ୟରେ ଏ ସମ୍ପର୍କିତ ଚିତ୍ର ଆହୁରି ଦୟନୀୟ ।

ମୋଟାମୋଟି ଭାବେ କ୍ରାଇମ ଇନ୍‍ ଇଣ୍ଡିଆ ସର୍ବଶେଷ ରିପୋର୍ଟ ଅନୁଯାୟୀ ଦେଶରେ ପାଖାପାଖି ୧୮ଲକ୍ଷ ୭୪ହଜାର ମହିଳାଙ୍କ ପ୍ରତି ଘଟିଥିବା ଅପରାଧ ମାମଲା ବିଚାରାଧିନ ଥିବାବେଳେ ସେଥିରୁ ବର୍ଷରେ ମାତ୍ର ୮୩,୯୦୪ଟି ମାମଲା ଫଏସଲା ହୋଇଥିବାବେଳେ ମୋଟେ ୨୧,୫୫୧ଟିରେ ଅଭିଯୁକ୍ତଙ୍କ ପ୍ରତି ଦଣ୍ଡବିଧାନ କରିବାରେ ଦେଶର ବିଚାରାଳୟଗୁଡିକ ସକ୍ଷମ ହୋଇଛନ୍ତି ।

ଜାତୀୟ ସ୍ତରରେ ମହିଳାଙ୍କ ପ୍ରତି ଘଟୁଥିବା ହିଂସା ମାମଲାରେ ଦଣ୍ଡବିଧାନ ହାର ୨୯.୮ ପ୍ରତିଶତ ଥିାବବେଳେ ୭୦.୨ ପ୍ରତିଶତ ମାମଲାରେ ଅଭିଯୁକ୍ତମାନେ ଖଲାସ ହୋଇଛନ୍ତି । ସାରା ଦେଶରେ ବି ଏଭଳି ସମ୍ବେଦନଶୀଳ ମାମଲାଗୁଡିକର ଫଏସଲା ହାର ଅତ୍ୟନ୍ତ ନଗଣ୍ୟ । ଏ ସଂକ୍ରାନ୍ତୀୟ ମୋଟ୍‍ ମାମଲାର ମାତ୍ର ୪.୫ ପ୍ରତିଶତ ଆମ ଦେଶରେ ବର୍ଷକୁ ଫଏସଲା ହେଉଥିବାବେଳେ ୯୫.୫ ପ୍ରତିଶତ ମାମଲା ପରବର୍ଷକୁ ଗଡୁଛି ।

ଏମିତିକି ଏଭଳି ଗୋଟିଏ ଗୋଟିଏ ମାମଲା ବି ଆଇନ୍‍ ଅଦାଲତରେ ଫଏସଲା ହେବାପାଇଁ ୧୦ରୁ ୨୫ବର୍ଷ ସମୟ ଲାଗିଯାଉଛି । ଅନେକ କ୍ଷେତ୍ରରେ ଅପରାଧିମାନେ ତଳକୋର୍ଟର ଦଣ୍ଡାଦେଶ ବିରୁଦ୍ଧରେ ଉପର ଅଦାଲତରେ ଅପିଲ କରି ବର୍ଷ ବର୍ଷ ଧରି ବେଧଡକ ଭାବେ ବାହାରେ ବୁଲିବା ସହ ନୂଆ ନୂଆ ଅପରାଧ ଘଟାଇବାପାଇଁ ବଳ ପାଉଛନ୍ତି ।

ନାରୀ ନିର୍ଯ୍ୟାତନା ସଂକ୍ରାନ୍ତୀୟ ମାମଲା ସାରା ଦେଶରେ ବର୍ଷକୁ ବର୍ଷ ବଢି ବଢି ଚାଲିଛି । ଏଥିଘେନି ବିଚାର ବ୍ୟବସ୍ଥା ଠାରୁ ଆରମ୍ଭ କରି କାର୍ଯ୍ୟନିର୍ବାହୀ ଓ ବ୍ୟବସ୍ଥାପକ ବ୍ୟବସ୍ଥାରେ ବାରମ୍ବାର ଉଦ୍‍ବେଗ ପ୍ରକାଶ କରାଯାଉଥିଲେ ମଧ୍ୟ ଏଭଳି ଅପରାଧ କିଭଳି ନଘଟିବ ଓ ପ୍ରାଥମିକ ସ୍ତରରେ କି ପ୍ରକାର ପରିବର୍ତ୍ତନ ଅଣାଯାଇ ପାରିଲେ ଅପରାଧ ଓ ହିଂସାକାଣ୍ଡ କମିବ ତାହା ଉପରେ ଗୁରୁତ୍ୱ ନଦେଇ କେବଳ ସୁଅ ମୁହଁରେ କୁଟାକାଠି ପକାଇ ଦେବାଭଳି ଅଦାଲତ ସଂଖ୍ୟା ବୃଦ୍ଧିକରି କର୍ତ୍ତୃପକ୍ଷ ଆତ୍ମସନ୍ତୋଷ ଲାଭ କରୁଛନ୍ତି ।

କେବଳ ନାରୀ ନିର୍ଯ୍ୟାତନା ନୁହେଁ, ଅନ୍ୟାନ୍ୟ ଅପରାଧିକ ମାମଲାରେ ବି ଅବସ୍ଥା ସାଂଘାତିକ । ସାରା ଦେଶରେ ଏବେ ୪କୋଟି ୧୧ଲକ୍ଷରୁ ଅଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ପ୍ରାୟ ୩କୋଟି ହେଉଛି ଅପରାଧିକ ମାମଲା ଓ ସେଥିରୁ ପାଖାପାଖି ୨କୋଟି ମାମଲା ୫ରୁ ୩୦ବର୍ଷ ଧରି ଆଇନ୍‍ ଅଦାଲତରେ ଗଡୁଛି । (ତଥ୍ୟ)